ନୂଆଦିଲ୍ଲୀ, ୨୦।୧୨: ଶୁକ୍ରବାର ଉତ୍ତର-ପଶ୍ଚିମ ପାକିସ୍ତାନର ଏକ ଗ୍ରାମ ନିକଟରେ ଥିବା ଏକ ସାମରିକ ପୋଷ୍ଟ ଉପରେ ଆତଙ୍କୀ ଆକ୍ରମଣ । ତିନି ଜଣ ବନ୍ଧୁକଧାରୀ ଏହି ଆକ୍ରମଣ କରିଥିବା କୁହାଯାଉଛି । ଫଳରେ ଘଣ୍ଟାଏ ଧରି ଗୁଳିବିନିମୟ ହୋଇଥିଲା ଯେଉଁଥିରେ ୪ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା । ଏଥିସହ ମହିଳା ଏବଂ ଶିଶୁ ସମେତ ପାଖାପାଖି ୧୫ ଜଣ ସାଧାରଣ ନାଗରିକ ଆହତ ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ପାକିସ୍ତାନୀ ସେନା ଏବଂ ସ୍ଥାନୀୟ ପୁଲିସର ସୂଚନା ଅନୁଯାୟୀ, ଆଫଗାନିସ୍ତାନ ସୀମାବର୍ତ୍ତୀ ଖାଇବର ପଖତୁନଖ୍ୱା ପ୍ରଦେଶରେ ପାକିସ୍ତାନୀ ତାଲିବାନ ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ଗୋଷ୍ଠୀର ପୂର୍ବତନ ଗଡ଼ ଉତ୍ତର ୱାଜିରିସ୍ଥାନରେ ଏହି ଆକ୍ରମଣ ହୋଇଥିଲା ।
ପୁଲିସର କହିବାନୁସାରେ, ବିସ୍ଫୋରଣ ଯୋଗୁଁ ନିକଟସ୍ଥ ଘରଗୁଡ଼ିକ ଭୁଶୁଡ଼ି ପଡ଼ିଥିଲା ଏବଂ ସାଧାରଣ ନାଗରିକ ଆହତ ହୋଇଥିଲେ । ସେନା ଏକ ବିବୃତ୍ତିରେ କହିଛି ଯେ, ଯୁଦ୍ଧ ସମୟରେ ସମସ୍ତ ଆକ୍ରମଣକାରୀଙ୍କୁ ସୈନ୍ୟମାନେ ନିହତ କରିଛନ୍ତି । ତେବେ ଏହି ଆକ୍ରମଣ ପାଇଁ କୌଣସି ଗୋଷ୍ଠୀ ନିର୍ଦ୍ଦିଷ୍ଟ ତୁରନ୍ତ ଦାୟୀ ନୁହେଁ, କିନ୍ତୁ ଏହି ଆକ୍ରମଣ ପାଇଁ ପାକିସ୍ତାନୀ ସେନା ତେହରିକ-ଏ-ତାଲିବାନ ପାକିସ୍ତାନକୁ ଦାୟୀ କରିଛି । ଆକ୍ରମଣକାରୀମାନେ ପ୍ରଥମେ ପୋଷ୍ଟର ପରିଧି ଭେଦ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନଙ୍କୁ ପ୍ରତିହତ କରାଯାଇଥିଲା । ଏହା ପରେ ଆତଙ୍କବାଦୀମାନେ ଏକ ବିସ୍ଫୋରକ ଭର୍ତ୍ତି ଗାଡ଼ିକୁ ବାହାର କାନ୍ଥରେ ଧକ୍କା ଦେଇଥିଲେ । ବିସ୍ଫୋରଣର ପ୍ରଭାବରେ ନିକଟସ୍ଥ ଘର ଏବଂ ଏକ ମସଜିଦ୍ କ୍ଷତିଗ୍ରସ୍ତ ହୋଇଛି ବୋଲି ଏଥିରେ କୁହାଯାଇଛି ।
ସେନା କହିଛି ଯେ, ଆକ୍ରମଣଟି ଆଫଗାନିସ୍ତାନର ସୀମା ପାର୍ରୁ ଯୋଜନାବଦ୍ଧ ଏବଂ ପୂର୍ବ ନିର୍ଦ୍ଦେଶିତ ଥିଲା । ତେବେ ଏହି ଆକ୍ରମମକୁ ନେଇ ଆଫଗାନିସ୍ତାନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ପାକିସ୍ତାନ ଆଶା କରୁଛି ଯେ, ଆଫଗାନିସ୍ତାନର ତାଲିବାନ ଶାସକମାନେ ଆତଙ୍କବାଦୀମାନଙ୍କୁ ପାକିସ୍ତାନ ଉପରେ ଆକ୍ରମଣ କରିବା ପାଇଁ ଆଫଗାନିସ୍ତାନ ଅଞ୍ଚଳ ବ୍ୟବହାର କରିବାରୁ ରୋକିବେ । ଆକ୍ରମଣର କିଛି ଘଣ୍ଟା ମଧ୍ୟରେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିଲା । ମନ୍ତ୍ରଣାଳୟ ଇସଲାମାବାଦରେ ଥିବା ଆଫଗାନ ତାଲିବାନର ଡେପ୍ୟୁଟି ମିଶନ ମୁଖ୍ୟଙ୍କୁ ଡକାଇ ଏକ ଆନୁଷ୍ଠାନିକ ପ୍ରତିବାଦ ଜଣାଇଥିଲା । ମନ୍ତ୍ରାଳୟର ବିବୃତ୍ତିରେ କୁହାଯାଇଛି ଯେ, ଆଫଗାନ ତାଲିବାନ ନିଜ ଅଞ୍ଚଳରେ ଥିବା ସମସ୍ତ ଆତଙ୍କବାଦୀ ଗୋଷ୍ଠୀ ବିରୁଦ୍ଧରେ ଠୋସ୍ ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । କହିରଖୁଛୁ ଯେ, ଗତ କିଛି ମାସ ମଧ୍ୟରେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଅକ୍ଟୋବରରେ ସୀମା ସଂଘର୍ଷ ଘଟିଥିଲା । ଅକ୍ଟୋବର ୯ ତାରିଖରେ କାବୁଲରେ ହୋଇଥିବା ବିସ୍ପୋରଣ ପାଇଁ ଆଫଗାନିସ୍ତାନ ପାକିସ୍ତାନକୁ ଦାୟୀ କରିଥିଲା । ପରେ କତାର ଦ୍ୱାରା ଏକ ଯୁଦ୍ଧବିରତି ମଧ୍ୟସ୍ଥତା କରାଯାଇଥିଲା, କିନ୍ତୁ ନଭେମ୍ୱରରେ ତୁର୍କୀରେ ଆଲୋଚନା ସମୟରେ ଦୁଇ ଦେଶ ଏକ ଠୋସ୍ ଚୁକ୍ତିରେ ପହଞ୍ଚିବାରେ ବିଫଳ ହୋଇଥିଲେ ।