ଧାନବାଦ : ଝାଡ଼ଖଣ୍ଡର ଧାନବାଦ ଜିଲ୍ଲାରେ ଶନିବାର ଦିନ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। କୋଇଲା ଗୁଣ୍ଡ (କୋଲ୍ ସ୍ଲରି) ତଳେ ଚାପି ହୋଇ ଅତିକମରେ ଚାରିଜଣ ଲୋଡିଂ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପୁଲିସର ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ସନ୍ଧ୍ୟା ପ୍ରାୟ ୫ଟା ସମୟରେ BCCL (ଭାରତ କୋକିଂ କୋଲ୍ ଲିମିଟେଡ୍) ର ମୁନିଡିହ କୋଲ୍ ୱାଶରୀ ନିକଟରେ ଘଟିଛି।

ପୁଲିସ କହିଛି ଯେ, ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ସମୟରେ ମୃତଦେହଗୁଡ଼ିକୁ ସ୍ଲରି ତଳୁ ବାହାର କରାଯାଇଥିଲା। ମୃତ ଶ୍ରମିକମାନେ ହେଲେ ଦିନେଶ ବାଉରୀ, ମାଣିକ ବାଉରୀ (ଉଭୟ ଗୋପୀନାଥଡିହ), ହେମଲାଲ ଗୋପ ଓରଫ୍ ମାୟରା (ରୁଦି କପୁରିଆ) ଏବଂ ଦୀପକ ବାଉରୀ (ସମ ଶିଖରା)। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଅଧିକାରୀଙ୍କ ସୂଚନା ଅନୁସାରେ, ଶ୍ରମିକମାନେ ଟ୍ରକରେ କୋଇଲା ଗୁଣ୍ଡ ଲୋଡ୍ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସେହି ସମୟରେ ହଠାତ୍ ସ୍ଲରିର ଏକ ବଡ଼ ଗଦା ଖସି ପଡି ଥିଲା, ଯାହା ଫଳରେ ଚାରିଜଣ ଶ୍ରମିକ ତାହା ତଳେ ପୋତି ହୋଇଯାଇ ଥିଲେ। ଘଟଣାସ୍ଥଳରେ ପ୍ରାୟ ଏକ ଡଜନ ଶ୍ରମିକ କାମ କରୁଥିଲେ।

ଦୁର୍ଘଟଣା ପରେ ସେଠାରେ ଆତଙ୍କ ଖେଳି ଯାଇ ଥିଲା। ବିସିସିଏଲର ପେଲୋଡର୍ ସାହାଯ୍ୟରେ ମଇଳା ହଟାଯାଇ ସଞ୍ଜ ୬ଟା ୩୮ ସୁଦ୍ଧା ସମସ୍ତ ୪ଟି ମୃତଦେହକୁ ବାହାର କରାଯାଇ ଥିଲା। ଘଟଣା ପରେ ଟ୍ରାନ୍ସପୋର୍ଟିଂ ସହ ଜଡ଼ିତ ସମସ୍ତ ଠିକାଦାର ଫେରାର ହୋଇ ଯାଇଛନ୍ତି।

ଏହି ଘଟଣା ପରେ ମୃତକଙ୍କ ପରିବାର ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଲୋକମାନେ ମୃତଦେହକୁ ଏରିଆ ଜିଏମ୍ (GM) ଅଫିସ ସମ୍ମୁଖରେ ରଖି ବିରୋଧ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କର ମୁଖ୍ୟ ଦାବିଗୁଡ଼ିକ ହେଲା, ମୃତକଙ୍କ ପରିବାରକୁ ନିଯୁକ୍ତି, ଉପଯୁକ୍ତ କ୍ଷତିପୂରଣ ପ୍ରଦାନ। ଏହି ଘଟଣା ଲୋଡିଂ ଶ୍ରମିକମାନଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆହୁରି ମଧ୍ୟ ପଢନ୍ତୁ : ‘ମୋତେ ବଞ୍ଚାଅ’, ଜବଲପୁର କ୍ରୁଜ ଦୁର୍ଘଟଣା ପୂର୍ବରୁ ଦିଲ୍ଳୀର ମହିଳାଙ୍କ ଶେଷ କଲ୍, ଉଜୁଡିଗଲା ଗଲା ପରିବାର