ନୂଆଦିଲ୍ଲୀ,୨।୫: ମଧ୍ୟପ୍ରଦେଶର ଜବଲପୁରର ବର୍ଗୀ ଡ୍ୟାମରେ ମର୍ମନ୍ତୁଦ କ୍ରୁଜ୍ ଜାହାଜ ଦୁର୍ଘଟଣା ପୁରା ଦେଶକୁ ଶୋକାକୂଳ କରିଛି। ଏହା ସହିତ ଦିଲ୍ଲୀର ଏକ ପରିବାରକୁ ଛାରଖାର କରିଦେଇଛି ଏହି ଦୁର୍ଘଟଣା। ଏକ ଗୃହପ୍ରବେଶ ଉତ୍ସବରେ ଯୋଗ ଦେବାକୁ ଆସିଥିବା ପରିବାରର ଖୁସି ଗୁରୁବାର ସନ୍ଧ୍ୟାରେ ଶୋକରେ ପରିଣତ ହୋଇଛି। ଦୁର୍ଘଟଣାରେ ଦିଲ୍ଲୀର ଜଣେ ମହିଳା, ତାଙ୍କ ଚାରି ବର୍ଷର ପୁଅ ଏବଂ ତାଙ୍କ ମାଆଙ୍କ ମୃତ୍ୟୁ ହୋଇଥିବା ବେଳେ ପରିବାରର ଅନ୍ୟ ତିନି ଜଣ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରାୟ ୪୦ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏହି କ୍ରୁଜ୍ ଡଙ୍ଗା ନର୍ମଦା ନଦୀର ବର୍ଗୀ ଡ୍ୟାମ୍ ବୁଲିବାକୁ ପାଇଁ ବାହାରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପାଗରେ ହଠାତ୍ ପରିବର୍ତ୍ତନ ହୋଇଥିଲା। ପ୍ରବଳ ପବନ ଏବଂ ଉଚ୍ଚ ଲହରୀ ଯୋଗୁଁ ଡଙ୍ଗାଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା।
ପରିବାର ସଦସ୍ୟଙ୍କ ଅନୁଯାୟୀ, ଦିଲ୍ଲୀ କ୍ୟାଣ୍ଟ ଅଞ୍ଚଳର ମାସେହଙ୍କ ପରିବାରର ସଦସ୍ୟା ମାରିନା (୩୯) ତାଙ୍କ ପରିବାର ସହିତ ଭିଡିଓ କଲ୍ କରୁଥିଲେ, ଯେତେବେଳେ ପରିସ୍ଥିତି ହଠାତ୍ ଖରାପ ହୋଇଗଲା। ତା’ପରେ ହଠାତ୍ ସବୁକିଛି ବଦଳିଗଲା। ସେ ଚିତ୍କାର କରି କହୁଥିଲେ, ‘ମୋତେ ବଞ୍ଚାଅ... ମୋତେ ବଞ୍ଚାଅ...’ ଏବଂ ତା’ପରେ କଲ୍ କଟିଗଲା। ଦୁର୍ଘଟଣାରେ ମରିନା, ତାଙ୍କର ଚାରି ବର୍ଷର ପୁଅ ତ୍ରିଶାନ୍ ଓରଫ ଜାହାନ୍ ଏବଂ ତାଙ୍କ ମାଆ ମଧୁର ମାସେହ (୬୨)ଙ୍କ ମୃତ୍ୟୁ ହୋଇଥିଲା। ମରିନାଙ୍କ ସ୍ୱାମୀ ପ୍ରଦୀପ, ୧୪ ବର୍ଷର ଝିଅ ସିଆ ଏବଂ ତାଙ୍କ ବାପା ଜୁଲିୟସ୍ ମାସେହ ଅକ୍ଷତ ଅବସ୍ଥାରେ ରକ୍ଷା ପାଇ ଯାଇଥିଲେ। ପରିବାର ସଦସ୍ୟମାନେ କହିଛନ୍ତି ଯେ ପାଗ ଖରାପ ହେବାରୁ ଡଙ୍ଗାର ଉପର ଡେକରେ ବସିଥିବା ଲୋକମାନେ ହଠାତ୍ ତଳକୁ ଦୌଡ଼ି ଯାଇଥିଲେ। ଡଙ୍ଗାଟି ଅସନ୍ତୁଳିତ ହୋଇଗଲା ଏବଂ ଦ୍ରୁତ ଗତିରେ ପାଣି ଭର୍ତ୍ତି ହେବାକୁ ଲାଗିଲା।
ପରିବାର ଲୋକଙ୍କ କହିବା ଅନୁସାରେ, ପ୍ରଦୀପ ସ୍ଥିତି ଖରାପ ହେବା ମାତ୍ରେ ଲାଇଫ୍ ଜ୍ୟାକେଟ୍ ବାହାର କରି ସମସ୍ତଙ୍କୁ ବାଣ୍ଟିବା ଆରମ୍ଭ କରିଦେଇଥିଲେ। କିଛି ଲୋକ ଜ୍ୟାକେଟ୍ ପିନ୍ଧିଥିଲେ, ଆଉ କିଛି ଭୟରେ ପାଣିକୁ ଡେଇଁ ପଡିଥିଲେ। ଅଧିକାରୀଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି, ସେଭଳି ଛଅ ଜଣ ଏବେ ବି ନିଖୋଜ ଅଛନ୍ତି। ୨୮ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଉଦ୍ଧାର ଏବେ ବି କାର୍ଯ୍ୟ ଜାରି ରହିଛି। ମଧ୍ୟପ୍ରଦେଶ ସରକାର ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଡଙ୍ଗାର ତିନି ଜଣ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ଏହି ଦୁଃଖଦ ଦୁର୍ଘଟଣା ପର୍ଯ୍ୟଟନ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି, ବିଶେଷକରି ଯେଉଁ ସ୍ଥାନଗୁଡ଼ିକରେ ପାଗ ହଠାତ୍ ଖରାପ ହୋଇଯାଏ।