- ୪୮,୩୩୦ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରତିଶ୍ରୁତି
- ୬୭,୮୩୮ ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ୮ଟି MoU ଏବଂ ୬୩ଟି ନିବେଶ ଆଗ୍ରହ ପତ୍ର
- ସମୁଦାୟ ୭୧ଟି ନିବେଶ ପ୍ରସ୍ତାବ
ଭୁବନେଶ୍ୱର, ୭ ।୫ : ଗୁଜୁରାଟରୁ ଆସିଲା ବଡ ପୁଞ୍ଜିନିବେଶ ପ୍ରସ୍ତାବ । ଓଡ଼ିଶା ପାଇଁ ସମୁଦାୟ ୪୮,୩୦୦ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରତିଶ୍ରୁତି ମିଳିଛି। ଏହାଦ୍ୱାରା ୬୭,୮୩୮ ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଶିଳ୍ପାୟନ ଓ ନିଯୁକ୍ତି କ୍ଷେତ୍ରରେ ଆଗାମୀ ଦଶ ବର୍ଷ ଓଡ଼ିଶା ପାଇଁ ହେବ ‘ସୁବର୍ଣ୍ଣ ଦଶକ’ । ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନିଦିନିଆ ଗୁଜରାଟ ଗସ୍ତ ସାରି ଭୁବନେଶ୍ୱର ଫେରିବା ଅବସରରେ ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗୁଜରାଟର ଶିଳ୍ପ ବିକାଶକୁ ଦେଖି ସେ ଅନୁଭବ କରିଛନ୍ତି ଯେ, କିପରି ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ନିର୍ଣ୍ଣାୟକ ପଦକ୍ଷେପ ଯୋଗୁ ଗୁଜରାଟ ଏକ ବିଶ୍ୱସ୍ତରୀୟ ଶିଳ୍ପ କେନ୍ଦ୍ରରେ ପରିଣତ ହୋଇପାରିଛି । ଭାରତର ପଶ୍ଚିମ ଉପକୂଳ ବିକଶିତ ହୋଇସାରିଛି । ଏବେ ବିକଶିତ ଭାରତ ପାଇଁ ଏବଂ ସନ୍ତୁଳିତ ବିକାଶ ପାଇଁ ପୂର୍ବ ଉପକୂଳର ଅଭିବୃଦ୍ଧି ଅତ୍ୟନ୍ତ ଆବଶ୍ୟକ । ଗୁଜରାଟର ଶିଳ୍ପପତି ମାନଙ୍କ ନିକଟରେ ମୁଖ୍ୟମନ୍ତ୍ରୀଙ୍କର ଏହା ଥିଲା ଟୁ-କୋଷ୍ଟ ଷ୍ଟ୍ରାଟେଜି ବା ଦୁଇ-ଉପକୂଳ ରଣନୀତି ।
ସେ କହିଥିଲେ ଯେ, ପାରାଦୀପ, ଧାମରା ଓ ଗୋପାଳପୁର ପରି ବନ୍ଦର ଯୋଗୁ ଓଡ଼ିଶା ପୂର୍ବ-ଏସିଆ, ଦକ୍ଷିଣ ପୂର୍ବ-ଏସିଆ ଏବଂ ସମଗ୍ର ଇଣ୍ଡୋ-ପାସିଫିକ୍ ଅଞ୍ଚଳର ଦେଶମାନଙ୍କ ପାଇଁ ଏକ ପ୍ରବେଶ ଦ୍ୱାର ବା ଗେଟ୍-ୱେ ଭାବରେ ସୁଯୋଗ ସୃଷ୍ଟି କରୁଛି । ତେଣୁ ଓଡ଼ିଶାର ବନ୍ଦରଭିତ୍ତିକ ବିକାଶର ଉଦ୍ୟମ ଅତ୍ୟନ୍ତ ବାସ୍ତବବାଦୀ । ଅଭିବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ରଣନୈତିକ ପ୍ରସ୍ତାବ ଉପରେ ଶିଳ୍ପପତିମାନେ ସମ୍ପୂର୍ଣ୍ଣ ଭାବେ ସହମତ ହୋଇଥିଲେ ଏବଂ ଓଡ଼ିଶାରେ ବନ୍ଦରଭିତ୍ତିକ ବିକାଶ ପାଇଁ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଇନ୍ଭେଷ୍ଟର୍ସ ମିଟ୍ରେ ଓଡ଼ିଶା ପାଇଁ ଅତ୍ୟାଧୁନିକ ଏବଂ ଅଭିବୃଦ୍ଧି ସମ୍ଭାବନା ସମ୍ପନ୍ନ କ୍ଷେତ୍ର ଗୁଡ଼ିକରେ ନିବେଶ ସୁଯୋଗ ସୃଷ୍ଟି ହୋଇଛି। ଏହି କାର୍ଯ୍ୟକ୍ରମରେ ୭୦୦ ରୁ ଅଧିକ ଶିଳ୍ପ ପ୍ରତିନିଧି ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନିଜେ ୧୩୨ ଜଣ ବିଶିଷ୍ଟ ଶିଳ୍ପପତି ଏବଂ ଶିଳ୍ପ ପ୍ରତିନିଧିମାନଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା (ୱାନ୍-ଟୁ-ୱାନ୍) କରିଥିଲେ ।
ମୁଖ୍ୟମନ୍ତ୍ରୀ ଭଦୋଦରା’ରେ (ବରୋଦା) ଗୁରୁବାର ଅନୁଷ୍ଠିତ ନିବେଶକ ସମ୍ମିଳନୀ ରୋଡ୍-ଶୋ'କୁ ସମ୍ବୋଧିତ କରି କହିଛନ୍ତି “ପଶ୍ଚିମ ଭାରତ ପୂର୍ବରୁ ହିଁ ଭାରତର ଶିଳ୍ପ ଅଭିବୃଦ୍ଧିର ନେତୃତ୍ୱ ନେଇସାରିଛି। ବର୍ତ୍ତମାନ ବିକଶିତ ଭାରତ ପାଇଁ ପୂର୍ବ ଭାରତର ବିକାଶ ଜରୁରୀ ଏବଂ ଓଡ଼ିଶା ଏହି ପରିବର୍ତ୍ତନର ନେତୃତ୍ୱ ନେବାକୁ ପ୍ରସ୍ତୁତ” ।ପୂର୍ବୋଦୟ ପରିକଳ୍ପନା ଅଧୀନରେ ଓଡ଼ିଶାକୁ ପୂର୍ବ ଭାରତର ବିକାଶର ଇଞ୍ଜିନ ଭାବେ ଉପସ୍ଥାପିତ କରି ମୁଖ୍ୟମନ୍ତ୍ରୀ ଗୁଜରାଟର ପ୍ରମୁଖ ଶିଳ୍ପପତିମାନଙ୍କୁ ଓଡ଼ିଶାରେ ସେମାନଙ୍କର ଶିଳ୍ପ ସମ୍ପ୍ରସାରଣ କରିବାକୁ ଏବଂ ରାଜ୍ୟର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ପର୍ଯ୍ୟାୟରେ ସହଭାଗୀ ହେବାକୁ ଆମନ୍ତ୍ରଣ କରିଛନ୍ତି।
ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ, ଓଡ଼ିଶା କେବଳ ଏକ ନିବେଶ ସ୍ଥଳ ନୁହେଁ, ବରଂ ଏହା ବିଶ୍ୱାସ, ଦ୍ରୁତ କାର୍ଯ୍ୟକାରିତା ଏବଂ ସ୍ଥିରତା ଉପରେ ଆଧାରିତ ଏକ ଦୀର୍ଘକାଳୀନ ଅଭିବୃଦ୍ଧିର ସହଭାଗୀ। ୨୦୩୬ ସୁଦ୍ଧା ଏକ 'ସମୃଦ୍ଧ ଓଡ଼ିଶା' ଗଠନ ଏବଂ ୨୦୪୭ ସୁଦ୍ଧା 'ବିକଶିତ ଭାରତ'ରେ ସହଯୋଗ କରିବା ପାଇଁ ରାଜ୍ୟ ସରକାର ଏକ ସ୍ପଷ୍ଟ ରୋଡ୍ମ୍ୟାପ୍ ସହ କାର୍ଯ୍ୟ କରୁଛନ୍ତି। ଏହି ପ୍ରତିନିଧି ଦଳରେ ମୁଖ୍ୟ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ସଚିବ ଶିଳ୍ପ, ଗୃହ ହେମନ୍ତ ଶର୍ମା ଉପସ୍ଥିତ ଥିଲେ।