ରାଉରକେଲା,୧୫/୧୧ : ପ୍ରତ୍ୟେକ ଛାତ୍ରଛାତ୍ରୀ ନିମନ୍ତେ କ୍ରୀଡ଼ାର ନିତ୍ୟାନ୍ତ ଆବଶ୍ୟକତା ରହିଛି । ଏହା କେବଳ ଶାରୀରିକ ଶକ୍ତି ବଢାଇବା ସହ ଅନୁଶାସନ ଶିଖାଏ , ମନୋବଳ ବ୍ରୁଦ୍ଧି କରାଏ , ଟିମ୍ ସ୍ପିରିଟ ବଢାଇ ଥାଏ l ସେଥିପାଇଁ ପ୍ରତ୍ୟେକ ବ୍ଲକରେ ଷ୍ଟାଡିୟମର ନିର୍ମାଣ କରାଯାଉଛି l ଖେଳର ବିଶ୍ବସ୍ତରୀୟ ସୁବିଧା କେବଳ ସହରର ପିଲାଙ୍କ ମଧ୍ୟରେ ସୀମିତ ନ ରହି ଗାଁର ପିଲାମାନଙ୍କୁ ମଧ୍ୟ ପ୍ରାପ୍ତ ହେଉ ସେଥିପାଇଁ କ୍ରୀଡ଼ା ଭିତ୍ତିଭୁମୀ ବ୍ଲକରେ ସୁଦୃଢ କରିବାକୁ ସରକାର ସୁନିଶ୍ଚିତ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଉରକେଲାଠାରେ ଅନୁଷ୍ଠିତ ଚତୁର୍ଥ ଜାତୀୟ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ଯୋଗଦେଇ କହିଛନ୍ତି l

ଆଜି ରାଉରକେଲାର ବିର୍ସାମୁଣ୍ଡା ଆଥଲେଟିକ୍ସ ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, ଓଡ଼ିଶାରେ ଦେଶର ସର୍ବାଧିକ ୧୧୪ଟି EMRS ନିର୍ମାଣ ପାଇଁ ମଞ୍ଜୁର କରାଯାଇଛି। ସେଥିମଧ୍ୟରୁ ବର୍ତ୍ତମାନ ୧୭ଟି ଜିଲ୍ଲାରେ ୪୭ଟି ସ୍କୁଲ କାର୍ଯ୍ୟକ୍ଷମ ହୋଇସାରିଛି l ଏହି ବିଦ୍ୟାଳୟରେ ୧୨ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି l EMRSର ଏକ ଆଂଚଳିକ କାର୍ଯ୍ୟାଳୟ ରାଉରକେଲାରେ ଖୋଲାଯିବା ସଂପର୍କରେ ଘୋଷଣା କରିଥିବାରୁ ସେ କେନ୍ଦ୍ରୀମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ l ଭାରତ ସରକାରଙ୍କ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ l ରାଉରକେଲା ରାଜଗାଙ୍ଗପୁର ଏବଂ ସୁନ୍ଦରଗଡ଼ଠାରେ ଚାଲିଥିବା ଏହି ଚତୁର୍ଥ ଜାତୀୟ ଇଏମଆରଏସ କ୍ରୀଡ଼ା ପ୍ରତିଯୋଗିତା ତେଲେଙ୍ଗାନା ଉଭୟ ଦଳଗତ ଓ ଏକକ ପ୍ରତିଯୋଗିତାରେ ସର୍ବାଧିକ ପଏଣ୍ଟ ରଖି ଚାମ୍ପିୟନ ହୋଇଛନ୍ତି l ମୁଖ୍ୟମନ୍ତ୍ରୀ ଚାମ୍ପିୟନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ l

ଏଥିରେ ୨୧ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରୁ ପ୍ରାୟ ୫୫୦୦ପ୍ରତିଯୋଗୀ ୩ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ୩୫ରୁ ଅଧିକ ପ୍ରତିଯୋଗିତାରେ ଭାଗ ନେଇଥିଲେ l ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ nestର ଆୟୁକ୍ତ ଅଜିତ ଶ୍ରୀବାସ୍ତବ, ଅନ୍ତର୍ଜାତୀୟ ଧାବକ ଦୂତି ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ l ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କମିଶନର ତଥା ଶାସନ ସଚିବ ବି. ପରମେଶ୍ବରନ୍ ସ୍ବାଗତ ଭାଷଣ ଦେଇଥିଲେ। ଜିଲ୍ଲାପାଳ ସୁନ୍ଦରଗଡ଼ ଡାକ୍ତର ଶୁଭଙ୍କର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ l