ମନମୁଣ୍ଡା, ୨୭।୭  ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ବେଳେ ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ପୁଲିସ ୨.୭୦ କୁଇଣ୍ଟାଲ ଗଞ୍ଜେଇ ସହ ୫ ବାଇକ ଜବତ କରିଛି। ତେବେ ଚଢାଉ ବେଳେ ଅଭିଯୁକ୍ତମାନେ  ପୁଲିସକୁ ମାଡ ମାରି ଫେରାର ହୋଇଯାଇଥିବା ଜଣାପଡିଛି। 

ଶନିବାର ଅପରାହ୍ନ ସମୟରେ ଶଗଡ଼ା ଜଙ୍ଗଲ ଅଞ୍ଚଳରୁ ବାଇକରେ ଗଞ୍ଜେଇ ଚୋରା ଚାଲାଣ ହେବାକୁ ଯାଉଥିବା ଶଗଡ଼ା ଫାଣ୍ଡି ଅଧିକାରୀ ଇନ୍ସପେକ୍ଟର ମହେନ୍ଦ୍ର କୁମାର ବେହେରା କୌଣସି ସୂତ୍ରରୁ ଖବର ପାଇଥିଲେ। ଶ୍ରୀ ବେହେରାଙ୍କ ନେତୃତ୍ୱରେ ଏସ ଆଇ ଚନ୍ଦନ କୁମାର ଜେନା ଏବଂ ୯ ଜଣ ପୁଲିସ କର୍ମଚାରୀ  ମିଶି ଖଣ୍ଡିକନପା ରାସ୍ତାରେ ୩୦ ମିଟର ବ୍ୟବଧାନରେ ଭାଗ ହୋଇ ଛପି ରହିଥିଲେ। ଜଙ୍ଗଲ ଦିଗରୁ ୫ ବାଇକରେ ବସ୍ତା ମାନ ଲଦା ହୋଇ ଆସୁଥିବା ଦେଖି ଇନ୍ସପେକ୍ଟର ଶ୍ରୀ ବେହେରା ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଶ୍ରୀ ବେହେରାଙ୍କୁ  ଜଣେ ବାଇକ ଚାଳକ ଧକ୍କା କରିଥିଲା। ଧକ୍କାରେ ଶ୍ରୀ ବେହେରା କାଦୁଅ ରେ ପଡ଼ି ଗଲେ । ତଳୁ ଉଠି ଅଭିଯୁକ୍ତକୁ ଧରିବା ବେଳେ ଅଭିଯୁକ୍ତ ଇନ୍ସପେକ୍ଟର ବେହେରାଙ୍କୁ ମାଡ ମାରି ଫେରାର ହୋଇଯାଇଥିଲା। ଉକ୍ତ ଅଭିଯୁକ୍ତଙ୍କ ପଛରେ ଆସୁଥିବା ଅନ୍ୟ ୪ ଅଭିଯୁକ୍ତ ଅନ୍ୟ ପୁଲିସ ଅଧିକାରୀ ମାନେ ଧାଇଁ ଆସୁଥିବା ଦେଖି ସେମାନେ ଗଞ୍ଜେଇ ସହ ବାଇକ୍ ଛାଡ଼ି ଜଙ୍ଗଲକୁ ଫେରାର ହୋଇଯାଇଥିଲେ। ପୁଲିସ କିଛି ବାଟ ଗୋଡାଇଥିଲା ହେଲେ ଧରିବାରେ ଅସଫଳ ହୋଇଥିଲା। 

ତେବେ ପୁଲିସ ୫ଟିବାଇକ ଓ ୫ଟି ବସ୍ତା ଗଞ୍ଜେଇ ଜବତ କରି ଥାନା କୁ ଆଣିଥିଲେ। ଜବତ ଗଞ୍ଜେଇ ଓଜନ କରିବାରୁ ୨ କୁଇଣ୍ଟାଲ ୭୦ କେଜି ହୋଇଥିଲା। ଜବତ ବାଇକ ମଧ୍ୟରୁ କେତେକ ନମ୍ବର ପ୍ଲେଟ ନ ଥିବାବେଳେ କେତେକ ଥିରେ ଥିବା ନମ୍ବର ପ୍ଲେଟ ଚେକ୍ କରିବାରେ  ଅଟୋ ରିକ୍ସା ତଥା ଚାରି ଚକିଆ ଗାଡ଼ି ର ନମ୍ୱର ବାହାରୁ ଥିବା ଇନ୍ସପେକ୍ଟର ଶ୍ରୀ ବେହେରା ଙ୍କ ଠାରୁ ଜାଣିବାକୁ ମିଳିଛି। ଅଭିଯୁକ୍ତର ବାଇକ ଧକ୍କା ଓ ମାଡରେ ଇନ୍ସପେକ୍ଟର ଶ୍ରୀ ବେହେରାଙ୍କ ଆଣ୍ଠୁ କ୍ଷତାକ୍ତ ହୋଇଥିବା ବେଳେ ବାମ ହାତର ଦୁଇଟି ଆଙ୍ଗୁଠି ଭାଙ୍ଗି ଯାଇଥିବା ଜାଣିବାକୁ ମିଳିଛି। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି ଓ ପୁଲିସ ଏହାର ତଦନ୍ତ ଚଳାଇଥିବା ଜାଣିବାକୁ ମିଳିଛି। ଫେରାର ଅଭିଯୁକ୍ତ ମାନଙ୍କୁ ନିଶ୍ଚୟ ଗିରଫ କରାଯିବ ବୋଲି ଇନ୍ସପେକ୍ଟର ଶ୍ରୀ ବେହେରା କହିଛନ୍ତି।