ଦେବଗଡ,୧୯।୧ : ଲୁଣ ଭାବି ସାର ଖାଇ ଦେଲେ ୫ ଶିଶୁ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତୀ । ଦେବଗଡ଼ ଜିଲ୍ଲା ବାରକୋଟ ବ୍ଳକ ଅନ୍ତର୍ଗତ ସରୁଆଳି ଗ୍ରାମରେ ଏଭଳି ଘଟଣା ଘଟିଛି। ଗ୍ରାମର ପାଞ୍ଚ ଜଣ ଶିଶୁ ଖେଳୁଖେଳୁ ବାଡ଼ି କମଳା ତୋଳି ଖାଇବା ବେଳେ ଲୁଣ ଭାବି ସାର ଖାଇ ଗୁରୁତର ହୋଇଥିବା ଜଣା ପଡିଛି l
ସରୁଆଳି ଗ୍ରାମର ରାକେଶ ଗାଗରାଇ(୯),ଜୟନ୍ତ କୁମାର ଟିଉ (୧୦),ପ୍ରତିଶ କୁମାର ଟିଉ (୭),ରବୀନ୍ଦ୍ର ଡାଙ୍ଗ (୧୦) ଏବଂ ସୁଜିତ ଡାଙ୍ଗ (୪) ସାଙ୍ଗ ହୋଇ ଗ୍ରାମର ସୁନ୍ଦରସିଂ ଟିଉଙ୍କ ବାଡ଼ିରେ ଖେଳୁଥିଲେ l ଖେଳୁଖେଳୁ ବାଡ଼ିରେ ଫଳିଥିବା ଏକ କମଳା ତୋଳି ଖାଇବା ପାଇଁ ଲୁଣ ଖୋଜିଥିଲେ l ତେବେ ବଗିଚାରେ ଦେବା ପାଇଁ କାନ୍ଥରେ ଟଙ୍ଗା ଯାଇଥିବା ପଟାସ ଓ ୟୁରିଆ ସାରକୁ ଲୁଣ ଭାବି ଖାଇ ଦେଇଥିଲେ l ଫଳରେ କିଛି ସମୟ ପରେ ସମସ୍ତେ ବାନ୍ତି କରିବା ସହ ଅଚେତ ହୋଇଯାଇଥିଲେ l ଏହା ଦେଖି ପରିବାର ଲୋକେ ଦେଶୀ ଚିକିତ୍ସା କରିଥିଲେ । କିନ୍ତୁ କୌଣସି ସୁଫଳ ମିଳି ନ ଥିଲା। ପରେ ସମସ୍ତ ଗୁରୁତର ଶିଶୁଙ୍କୁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ନିକଟସ୍ଥ ପାଲଲହଡା ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l ଚିକିତ୍ସା ପରେ ତିନିଜଣଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଦୁଇଜଣ ଶିଶୁଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି।