ଭୁବନେଶ୍ୱର, ୧୦/୯ : ଆସନ୍ତା ୨୦୩୦ ସୁଦ୍ଧା ରାଜ୍ୟରେ ମୋଟ ଗାଡ଼ିର ୫୦% ହେବ ଇଭି । ଅର୍ଥାତ୍ ଯେତିକି ଗାଡ଼ି ଗଡୁଥିବ ସେଥିରୁ ଅଧା ଗାଡ଼ି ପେଟ୍ରୋଲ କି ଡିଜେଲ ନୁହେଁ, ବ୍ୟାଟେରି ଚାଳିତ ହୋଇଥିବ । ସ୍କୁଲ ଓ କଲେଜ ବସ୍, ଆମ୍ବୁଲାନ୍ସ ଓ ଅନ୍ୟ ସରକାରୀ ଗାଡ଼ିକୁ ବି ଇଭିରେ ରୂପାନ୍ତରିତ କରାଯିବ । ଏହା ପ୍ରଦୂଷଣକୁ ରୋକିବା ସହ ସବୁଜ ଇନ୍ଧନକୁ ପ୍ରୋତ୍ସାହିତ କରିବ । ଏହି ଲକ୍ଷ୍ୟ ପୂରଣ ପାଇଁ ସରକାର ଏକ ଚିଠା ଇଭି ନୀତି ଆଣିଛନ୍ତି । ସେହିଭଳି ଇଭି କିଣାରେ ମିଳୁଥିବା ସବ୍ସିଡି ପ୍ରଦାନରେ ସ୍ୱଚ୍ଛତା ଆଣିବାକୁ ସରକାର କିଛି ସଂଶୋଧନ ଆଣିଛନ୍ତି । ଇଭି କିଣାରେ ହେଉଥିବା ଜାଲିଆତିକୁ ରୋକିବାକୁ ସରକାର ନୂଆ ବ୍ୟବସ୍ଥା ଲାଗୁ କରିବେ । ଏଣିକି ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇ ନ ଥିଲେ, ଇଭି ଗାଡ଼ି କିଣାରେ ସବ୍ସଡି୍ ମିଳିବନି । ଏପରିକି ଇଭି ଗାଡି଼କୁ ୫ ବର୍ଷ ଯାଏ ଅନ୍ୟ କାହାରିକୁ ବିକ କରି ହେବନି । ବ୍ୟବସାୟିକ ଗାଡି଼ର ମାଲିକାନା (ଓନରସିପ୍) ୫ ବର୍ଷ ଯାଏ ବଦଳାଇ ହେବନି । ଇଭି କ୍ରେତାଙ୍କୁ ମିଳୁଥିବା ପ୍ରୋତ୍ସାହନ ରାଶିକୁ ବଳବତ୍ତର ରଖିଛନ୍ତି ।
ନୂଆ ଇଭି ପଲିସି ଅନୁସାରେ, ତିନି ଚକିଆ ଇଭି ଗାଡ଼ି କିଣିଲେ ୨୦ ହଜାର ଟଙ୍କା ପ୍ରୋତ୍ସାହନ ମିଳିବ । ଚାରି ଚକିଆ ଇଲେକ୍ଟ୍ରିକ୍ କାର ପାଇଁ ଦେଢ଼ ଲକ୍ଷ ଟଙ୍କା ପ୍ରୋତ୍ସାହନ ଦେବେ ସରକାର । ଇଭି ବସ୍ କିଣା ବାବଦକୁ ୨୦ ଲକ୍ଷ ଟଙ୍କା ସବ୍ସିଡି ଦିଆଯିବ । ପଲିସି ଲାଗୁ ହେବାର ବର୍ଷକ ଭିତରେ ସବୁ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ପରିବହନ ପାଇଁ ଇଭି ବସ ବ୍ୟବସ୍ଥା କରିବ । ବର୍ଷକରେ ସବୁତକ ସରକାରୀ ଆମ୍ବୁଲାନ୍ସ ଓ ପିସିଆର ଭ୍ୟାନ୍କୁ ଇଭିରେ ବଦଳାଇବାକୁ ପଡି଼ବ । ସରକାରୀ ବିଭାଗ ଇଭି ଗାଡି କିଣିବେ । ୬ ମାସ ଭିତରେ ବନ ବିଭାଗ ଅଧୀନରେ ଥିବା ସମସ୍ତ ପର୍ଯ୍ୟଟନସ୍ଥଳ ଓ ବଣଭୋଜିସ୍ଥଳରେ କେବଳ ଇଭି ଗାଡି଼ ଚାଲିବ । ସବୁ ପେଟ୍ରୋଲ ପମ୍ପରେ ଅତିକମ୍ରେ ଗୋଟିଏ ଲେଖାଏ ଚାର୍ଜିଂ ଷ୍ଟେସନ ସ୍ଥାପନ ହେବ । ଜାତୀୟ ରାଜପଥରେ ୩୦୦ ଇଭି ଷ୍ଟେସନ ଖଞ୍ଜାଯିବ । ବିଭିନ୍ନ ତୈଳ ଯୋଗାଣ ସଂସ୍ଥା ସହ ଚୁକ୍ତି କରିବ ପରିବହନ ବିଭାଗ । ସବୁ ଓଏସ୍ଆର୍ଟିସି ବସଷ୍ଟାଣ୍ଡରେ ଗୋଟିଏ ଚାର୍ଜିଂ ଷ୍ଟେସନ ରହିବ ।
ସେହିପରି ସାରା ରାଜ୍ୟରେ ୧୦୦ଟି ବ୍ୟାଟେରି ସ୍ୱାଇପିଂ(ବଦଳାଇବା) ଷ୍ଟେସନ ସ୍ଥାପନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଭୁବନେଶ୍ୱର, ବାଲେଶ୍ୱର, ରାଉରକେଲା, ସମ୍ବଲପୁର, କୋରାପୁଟ ଓ ବ୍ରହ୍ମପୁର ଭଳି ସହରରେ ୩ଟି ଉତ୍କର୍ଷ କେନ୍ଦ୍ର ସ୍ଥାପନ ହେବ । ସେଠାରେ ଚାର୍ଜିଂ ଭିତ୍ତିଭୂମି, ହାଇଡ୍ରୋଜେନ୍ ଜନିତ ଟେକ୍ନୋଲୋଜି ଉପରେ ଗବେଷଣା କରାଯିବ । ସରକାର ଏ ବାବଦକୁ ୨୫ କୋଟି କରପସ ଫଣ୍ଡ ବ୍ୟବସ୍ଥା ରଖିଛନ୍ତି । ଓଡିଶା ଇଭି ପଲିସି ୨୦୨୧ ମୁତାବକ, ଗତ ଅଗଷ୍ଟ ଶେଷ ସୁଦ୍ଧା ସାରା ରାଜ୍ୟରେ ୨୦ ପ୍ରତିଶତ ଇଭି ଗାଡ଼ି ଚଳାଚଳ ପାଇଁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଅଗଷ୍ଟ ଶେଷ ସୁଦ୍ଧା ଏହି ଗ୍ରାଫ୍ ମାତ୍ର ୯ ପ୍ରତିଶତ ଛୁଇଁବାରେ ସକ୍ଷମ ହୋଇଛି । ବିକଶିତ ଓଡି଼ଶା ଓ ବିକଶିତ ଭାରତରେ ଏକ ନୂଆ ଅଧ୍ୟାୟ ଯୋଡି଼ବ ଇଭି । ଆସନ୍ତା ୨୦୩୬ ସୁଦ୍ଧା ୭୦ ପ୍ରତିଶତ ଓ ୨୦୪୭ ସୁଦ୍ଧା ୮୦ ପ୍ରତିଶତ ଇଭି ଗାଡି଼ ଚଳାଚଳ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ।