ନୂଆଦିଲ୍ଲୀ ୦୪/୦୧: ଗତ ବୁଧବାର ଏକ ଅଜବ ଘଟଣା କେନିଆବାସୀଙ୍କୁ ଚକିତ କରିଥିଲା । ସ୍ଥାନୀୟ ସମୟ ଅପରାହ୍ଣରେ ପ୍ରାୟ ୩ଟାରେ ଧାତୁର ଏକ ବିଶାଳ ରିଙ୍ଗ୍ ମାକୁଏନି କାଉଣ୍ଟିରେ ଅବସ୍ଥିତ ମୁକୁକୁ ଗାଁରେ ପଡ଼ିଲା । ଏହାର ଓଜନ ହାରାହାରି ୫୦୦ କିଲୋ ଓ ବ୍ୟାସ ୮ ଫୁଟ । କେନିଆ ମହାକାଶ ଏଜେନ୍ସି ଏହାକୁ ମହାକାଶ ବର୍ଜ୍ୟ ବୋଲି ସ୍ପଷ୍ଟ କଲା । ରିଙ୍ଗ୍ଟି ନିକଟରେ ହୋଇଥିବା ଏକ । ଭାଗ୍ୟବଶତଃ ଏହି ଆକସ୍ମିକ ଘଟଣାରେ କେହି ଆହତ ହୋଇନାହାନ୍ତି ।
ଧାତୁଟିକୁ ବିସ୍ଫୋରକ ସାମଗ୍ରୀ ଆଶଙ୍କା କରି ସ୍ଥାନୀୟ ଲୋକଙ୍କୁ ପ୍ରଥମେ ସତର୍କ କରାଯାଇଥିଲା । ପରେ ସମସ୍ତଙ୍କୁ ଆଶ୍ୱସ୍ତ କରାଗଲା । କେନିଆ ମହାକାଶ ଏଜେନ୍ସିର ସଦସ୍ୟ ମାଜ୍. ୱେୟାର ସ୍ପଷ୍ଟ କରିଛନ୍ତି, ଏଜେନ୍ସି ଏହି ବର୍ଜ୍ୟର ଉତ୍ପତ୍ତି ସମ୍ପର୍କରେ ଜାଣିବା ପାଇଁ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ ଆରମ୍ଭ କରିଛି । ଅଧିକ ବିଶ୍ଳେଷଣ ପାଇଁ ଅଧିକାରୀମାନେ ଉକ୍ତ ସ୍ଥାନରୁ ବର୍ଜ୍ୟ ଖଣ୍ଡଗୁଡ଼ିକର ସଂଗ୍ରହ ଆରମ୍ଭ କରିଛନ୍ତି ।

ମାଜ୍ କହିଛନ୍ତି, ଏହି ବର୍ଜ୍ୟ ଯେଉଁ ସଂସ୍ଥାର, ମହାକାଶ ବର୍ଜ୍ୟ ପ୍ରବନ୍ଧନକୁ ନେଇ ରହିଥିବା ଅନ୍ତର୍ଜାତୀୟ ନିୟମ ଅନ୍ତର୍ଗତ ତାହା ଉତ୍ତରଦାୟିତ୍ୱ ନେଉ ବୋଲି କେନିଆ ମହାକାଶ ଏଜେନ୍ସି ଚାହିଁବ । ୨୦୨୪ର ତଥ୍ୟ ଅନୁସାରେ, ପ୍ରତି ବର୍ଷ ୨୫୦ରୁ ଅଧିକ ରକେଟ୍ ଲଞ୍ଚ୍ ହେଉଛି । ସେଥିପାଇଁ ଏଭଳି ଘଟଣା ବୃଦ୍ଧି ପାଉଛି । ଗତ ବର୍ଷ ମେ’ରେ ସ୍ପେସ୍ଏକ୍ସର ଏକ ବର୍ଜ୍ୟ ନର୍ଥ କାରୋଲିନାରେ ହାଇକର୍ଙ୍କ ନିକଟରେ ପଡ଼ିଥିଲା । ମହାକାଶ ବର୍ଜ୍ୟ ପରିମାଣ ବୃଦ୍ଧି ଉଭୟ ପୃଥିବୀ ଓ କକ୍ଷୀୟ ପରିବେଶ ପାଇଁ ବିପଦପୂର୍ଣ୍ଣ ବୋଲି ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି । ସଦ୍ୟ ଘଟଣା ମହାକାଶ ବର୍ଜ୍ୟ ପରିଚାଳନା ଉପରେ ଅନ୍ତର୍ଜାତୀୟ ସହଯୋଗ ଓ କଡ଼ା ନିୟନ୍ତ୍ରଣ ପାଇଁ ଆହ୍ୱାନ ଦେଇଛି ।