ଭୁବନେଶ୍ୱର ୦୪/୧୨: ରାଜ୍ୟରେ ୫୩୨ ଅଙ୍ଗନବାଡ଼ି କେନ୍ଦ୍ର ଅଧପନ୍ତରିଆ ଭାବେ ପଡ଼ିଛି । ୧୯୯୩ ଅଙ୍ଗନବାଡ଼ି ସେଣ୍ଟର ଗୁଡ଼ିକୁ ଅକ୍ଟୋବର ୧୫ ସୁଦ୍ଧା ସାରିବାକୁ ଥିଲା ନିର୍ଦ୍ଦେଶ । ହେଲେ ଏଯାଏ ୧୫୬୧ ଅଙ୍ଗନବାଡି ନିର୍ମାଣ କାମ ଶେଷ ହୋଇଛି । ବାକି ୫୩୨ ଅଙ୍ଗନବାଡି କେନ୍ଦ୍ରକୁ ୧୦ ଡିସେମ୍ବର ସୁଦ୍ଧା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ପ୍ରତି କେନ୍ଦ୍ର ପାଇଁ ୧୫ ଲକ୍ଷ ଟଙ୍କା ବର୍ଦ୍ଧିତ ୟୁନିଟ୍ ମୂଲ୍ୟରେ ନିର୍ମାଣ ହେବ ବୋଲି ରାଜ୍ୟର ସମସ୍ତ ଜିଲ୍ଲପାଳଙ୍କୁ ପଞ୍ଚାୟତିରାଜ ବିଭାଗ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ଚିଠି କରିଛନ୍ତି ।

ସୂଚନା ଅନୁଯାୟୀ, ଯେଉଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପାଇଁ ପାଣ୍ଠି ମଞ୍ଜୁର ହୋଇଛି ଏବଂ ଜମି ଚିହ୍ନଟ ହୋଇଛି। କିନ୍ତୁ ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ସେଗୁଡ଼ିକୁ ନୂତନ ଯୋଜନାରେ ଗ୍ରହଣ କରାଯିବ। ପ୍ରତି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ୧୫ ଲକ୍ଷ ଟଙ୍କା ବର୍ଦ୍ଧିତ ୟୁନିଟ୍ ମୂଲ୍ୟରେ ନିର୍ମାଣ କରାଯିବ। ଟେଣ୍ଡରଧାରୀଙ୍କ ଅଂଶଗ୍ରହଣ ନ ହେବା ଯୋଗୁଁ ଅନେକ କ୍ଷେତ୍ରରେ ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ଯେଉଁ କ୍ଷେତ୍ରରେ ଟେଣ୍ଡର ଆରମ୍ଭ ହୋଇନାହିଁ । ସେଗୁଡ଼ିକୁ ଗୋଷ୍ଠୀଭୁକ୍ତ କରି ଜିଲ୍ଲାୱାରୀ ଆଧାରରେ ଗୋଟିଏ ଠିକାଦାରଙ୍କୁ ବଣ୍ଟନ କରାଯିବ। ଯେଉଁ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ପାଇଁ ଉପଯୁକ୍ତ ଜମି ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ସେଠାରେ ଉପଜିଲ୍ଲାପାଳଙ୍କ ଦ୍ୱାରା ବିଡିଓ, ତହସିଲଦାର, ଡିଏସଡବ୍ଲୁଓ ଏବଂ ଡିପିଓଙ୍କ ଉପସ୍ଥିତିରେ ଏକ ମାସିକ ସମୀକ୍ଷା ବୈଠକ କରାଯିବ। ପ୍ରତି ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ୩ ହଜାର ଟଙ୍କାର ରକ୍ଷଣାବେକ୍ଷଣ ପାଣ୍ଠି କରାଯାଇଛି । ଏହାକୁ ଶୌଚାଳୟ ଏବଂ ପାନୀୟ ଜଳ ସୁବିଧାର ସାମାନ୍ୟ ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ବ୍ୟବହାର କରାଯାଇପାରିବ। ଏନେଇ ରାଜ୍ୟର ସମସ୍ତ ଜିଲ୍ଲପାଳଙ୍କୁ ପଞ୍ଚାୟତି ରାଜ ବିଭାଗ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦେଶକଙ୍କ ଚିଠି।