ଭୁବନେଶ୍ୱର,୨୫/୧୦:  ୫୫ତମ ଇଣ୍ଟରନ୍ୟାସନାଲ୍‌  ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍‌ ଇଣ୍ଡିଆ  (ଆଇଏଫ୍‌ଏଫ୍‌ଆଇ) ଇଣ୍ଡିଆନ୍‌ ପାନୋରମା ୨୦୨୪ ଆନୁଷ୍ଠାନିକ ଭାବେ  ଘୋଷଣା ହୋଇଛି । ଓଡ଼ିଆ ଏବଂ ଓଡ଼ିଆ  ସିନେମା ଲାଗି ଖୁସି ଓ ଗର୍ବର ବିଷୟ,  ଏଥିରେ ଏକ ଓଡ଼ିଆ ଚଳଚ୍ଚିତ୍ର ସାମିଲ  ହୋଇଛି । ଅଣଫିଚର ବର୍ଗରେ ପ୍ରଦର୍ଶନ  ଲାଗି ମନୋନୀତ ୨୦ଟି ଚଳଚ୍ଚିତ୍ର ମଧ୍ୟରେ  ୧୩ ନମ୍ବରରେ ସ୍ଥାନ ପାଇଛି ଓଡ଼ିଆ  ଚଳଚ୍ଚିତ୍ର ‘ମୋ ବୋଉ, ମୋ ଗାଁ’ ।  ଏହାର ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଆ  ପୁଅ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ  ବିଶିଷ୍ଟ ସାଉଣ୍ଡ୍‌ ଇଞ୍ଜିନିୟର, ନିର୍ଦ୍ଦେଶକ  ସୁବାସ ସାହୁ । ଫିଲ୍ମର ସମ୍ପାଦନା ସହ  ପ୍ରଯୋଜନା କରିଛନ୍ତି ‘ଓ ମାଇଁ ଗଡ୍‌-୨’ର ସମ୍ପାଦକ ସୁଭୀର ନାଥ । ପ୍ରଯୋଜନା  କରିଛନ୍ତି ନିର୍ଦ୍ଦେଶକ ଶ୍ରୀ ସାହୁଙ୍କ ପତ୍ନୀ  ସୁପ୍ରଭା ସାହୁ । କିକ୍‌ସେ ୱିକ୍‌ସେ ଫିଲ୍ମସ୍‌  ଆଣ୍ଡ୍‌ ଆର୍‌ଏନ୍‌ଭି ୧୮୨୦ ଫିଲ୍ମସ୍‌ ବ୍ୟାନରରେ ପ୍ରସ୍ତୁତ ଏହି ସିନେମାଟି  ଗତ ସେପ୍ଟେମ୍ବର ମାସରେ ଅନୁଷ୍ଠିତ  ୧୫ତମ ଚିକାଗୋ ସାଉଥ୍‌ ଏସିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌-୨୦୨୪ ଲାଗି ଅଫିସିଆଲ୍‌  ମନୋନୀତ ହୋଇ ପ୍ରଦର୍ଶିତ ସହ  ପ୍ରଶଂସା ସାଉଁଟିଥିଲା ।  

ସେହିପରି ମୁମ୍ବାଇ ଇଣ୍ଟରନ୍ୟାସନାଲ୍‌  ଫିଲ୍ମ ଫେଷ୍ଟିଭାଲ୍‌ରେ ବି ପ୍ରଦର୍ଶିତ  ହୋଇ ପ୍ରଶଂସିତ ହୋଇଥିଲା । ଆସନ୍ତା  ନଭେମ୍ବର ୨୦ରୁ ୨୮ ତାରିଖ ପର୍ଯ୍ୟନ୍ତ  ଗୋଆଠାରେ ଅନୁଷ୍ଠିତ ଫେଷ୍ଟିଭାଲ୍‌ରେ  ଆଇଏଫ୍‌ଏଫ୍‌ଆଇ ଇଣ୍ଡିଆନ୍‌ ପାନୋରମା  ୨୦୨୪ରେ ବିଚାରକଙ୍କ ଦ୍ୱାରା ମନୋନୀତ  ୨୫ଟି ଫିଚର ଓ ୨୦ଟି ଅଣ ଫିଚର  ଚଳଚ୍ଚିତ୍ର ପ୍ରଦର୍ଶିତ ହେବ । ଇଣ୍ଡିଆନ୍‌  ପାନୋରମା ଫିଚର ଫିଲ୍ମସ୍‌ ଜୁରି ସଦସ୍ୟ  ଭାବେ ବିଶିଷ୍ଟ ନିର୍ଦ୍ଦେଶକ ହିମାଂଶୁ  ଶେଖର ଖଟୁଆ ଏବଂ ସୁଶାନ୍ତ ମିଶ୍ର  ରହିଛନ୍ତି ।

ସୁବାସ ସାହୁ, ନିର୍ଦ୍ଦେଶକସୁବାସ ସାହୁ, ନିର୍ଦ୍ଦେଶକ

୬୩ ମିନିଟ୍‌ର ଫିଲ୍ମ, ୧୮ ବର୍ଷର ସୁଟିଂ

 ଆଜିର ଦୁନିଆ  ସଂସ୍କୃତି, ପରମ୍ପରା, ଗାଁ  ଓ ବୋଉଠୁ ଦୂରେଇ  ଯାଉଥିଲାବେଳେ ତାକୁ  ଜାବୁଡ଼ି ଧରି ରଖିବାର  ଏକ କ୍ଷୁଦ୍ର ପ୍ରୟାସ  କରାଯାଇଛି ଫିଲ୍ମରେ ।  ଯେଉଁଥିରେ ଆମ ଅତୀତ ଆଉ ଆମ ଗାଁ  ଦିଶିବ । ବୋଉ... ବୋଉ... ଡାକ ଶୁଭିବ ।  ସଂସ୍କୃତି ଓ ପରମ୍ପରାକୁ ନିକଟରୁ ଜାଣିବାର  ସୁଯୋଗ ମିଳିବ । ଏଥିପାଇଁ ଦିନେ କି ମାସେ  ନୁହେଁ, ଦୀର୍ଘ ୧୮ ବର୍ଷ ସମୟ ଲାଗିଛି ।  ୨୦୦୬ ମସିହାରେ ଫିଲ୍ମର ସୁଟିଂ ଆରମ୍ଭ  ହୋଇଥିଲା, ଯାହା ଚଳିତ ବର୍ଷ ଆରମ୍ଭରେ  ଶେଷ ହୋଇଥିଲା । ୬୩ ମିନିଟ୍‌ ଅବଧିର ଏହି  ଫିଲ୍ମର ସୁଟିଂ ମୋ ଗାଁ କେନ୍ଦ୍ରାପଡ଼ା ବଲୁରିଆ  ଏବଂ ଭୁବନେଶ୍ୱରରେ ହୋଇଛି ।