ମନମୁଣ୍ଡା, ୧୧।୧୨ : ମନମୁଣ୍ଡା ଥାନା ଖଲିଆପାଲି (ପୂରୁମୁଣ୍ଡା ) ପଞ୍ଚାୟତ ଗୁଦୁଗୁଦା ସାପ୍ତାହିକ ଗୋରୁ ବଜାର ରେ  ବୁଧବାର ଗୋରୁ ବ୍ୟବସାୟକୁ ନେଇ  ହତ୍ୟାକାଣ୍ଡ ଘଟିଥିଲା। ଏହି ଘଟଣାରେ ସଂପୃକ୍ତ ଥିବା ସନ୍ଦେହ ରେ ୬ ଜଣଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଛି।  ହତ୍ୟାକାଣ୍ଡର ଖୁବ୍ ଶୀଘ ପର୍ଦ୍ଦାଫାଶ କରାଯିବ ଓ ସେଥିରେ ସଂପୃକ୍ତ ଥିବା ସମସ୍ତ ଅଭିଯୁକ୍ତ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବ ବୋଲି ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟେଲ କହିଛନ୍ତି।

 ଉକ୍ତ ସାପ୍ତାହିକ ଗୋରୁ ବଜାରରେ ବୁଧବାର ଗୋରୁ ବେପାର କୁ ନେଇ  ଦୁଇ ଗୋଷ୍ଠୀ ମଧ୍ୟରେ କୌଣସି କଥା କୁ ନେଇ ବଚସା ହୋଇଥିଲା। ବଚସା ରେ ଗୋଟିଏ ଗୋଷ୍ଠୀର  ଶାବଳ ଓ ଅନ୍ୟ ମାରଣାସ୍ତ୍ର ରେ ଅପର ଗୋଷ୍ଠୀର ବାଉଁଶୁଣି ଥାନା ତାଲୁପାଲି ଗ୍ରାମ ର ଦୁଇ ଭାଇ  ଦୁର୍ଯ୍ୟୋଧନ ମହାକୁଡ ଓରୋଫ ରମଣୀ (୪୦) ଏବଂ ରତନ ମହାକୁଡ ଓରୋଫ  ରତ୍ନାକର  ( ୫୦ ) ଙ୍କୁ  ଆକ୍ରମଣ କରିଥିଲେ। ସେଥିରେ  ଦୁର୍ଯ୍ୟୋଧନ ଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କ ବଡ଼ ଭାଇ ରତନ ଗୁରୁତର ଆହତ ହୋଇ ଡାକ୍ତରଖାନା ରେ ଚିକିତ୍ସିତ ହେଉଛନ୍ତି। ତେବେ ଘଟଣା ରେ ସଂପୃକ୍ତ  ସମସ୍ତ ଅଭିଯୁକ୍ତକୁ ଅଳ୍ପ ଦିନ ମଧ୍ୟରେ ଗିରଫ କରାଯିବ ବୋଲି ଆଇ ଆଇ ସି ସସ୍ମିତା ମଗର କହିଛନ୍ତି। ଅନ୍ୟ ପକ୍ଷରେ ମୃତକର ଶବକୁ ମନମୁଣ୍ଡା ଡାକ୍ତରଖାନା ରେ ବ୍ୟବଚ୍ଛେଦ କରାଯାଇ ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି।