ନୂଆଦିଲ୍ଲୀ, ୧୩/୦୧ : ଉତ୍ତରପ୍ରଦେଶ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମ ତଟରେ ଆରମ୍ଭ ହୋଇଛି ସନାତନ ଆସ୍ଥାର ମହାପର୍ବ କୁମ୍ଭ ମେଳା। ଭୋର୍ ୫ଟା ୦୩ ମିନିଟରେ ପ୍ରଥମ ସ୍ନାନ ଯୋଗ ରହିଥିଲା । ପ୍ରଥମେ ସାଧୁ ସନ୍ଥ ଓ ତାପରେ କୋଟି କୋଟି ସଂଖ୍ୟାରେ ଶ୍ରଦ୍ଧାଳୁ ଗଙ୍ଗା, ଯମୁନା ଓ ସରସ୍ବତୀ ନଦୀର ସଂଗମ ସ୍ଥଳରେ ବୁଡ଼ ପକାଇଛନ୍ତି। ଏବେ ସୁଦ୍ଧା ୬୦ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇଲେଣି। ଫେବ୍ରୁଆରୀ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ  ଥିବା ଏହି ମେଳାରେ ପ୍ରାୟ ୪୦ କୋଟି ସାଧୁ, ସନ୍ଥ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି।

ଏହା ଆସ୍ଥା ଏବଂ ସଦ୍ଭାବର ଉତ୍ସବ-ମୋଦି

ମହାକୁମ୍ଭର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ଵିଟ୍ କରିଛନ୍ତି। ସେ ଲେଖିଛନ୍ତି ଯେ, ଭାରତୀୟ ମୂଲ୍ୟବୋଧ ଏବଂ ସଂସ୍କୃତିକୁ ଯୋଡ଼ି ରଖିଥିବା କୋଟି କୋଟି ଲୋକଙ୍କ ପାଇଁ ଏହା ଏକ ଗୁରୁତ୍ଵପୂର୍ଣ୍ଣ ଦିନ। ପ୍ରୟାଗରାଜରେ ମହାକୁମ୍ଭ ୨୦୨୫ର ଶୁଭାରମ୍ଭ ହୋଇଛି। ଯାହାକି ଆସ୍ଥା, ଭକ୍ତି, ଏବଂ ସଂସ୍କୃତିର ପବିତ୍ର ସଙ୍ଗମରେ ଅଗଣିତ ଲୋକଙ୍କୁ ଏକାଠି କରିବ। ମହାକୁମ୍ଭ ଭାରତର ଶାଶ୍ଵତ ଆଧ୍ୟାତ୍ମିକ ଧରୋହରର ପ୍ରତୀକ। ଏହା ଆସ୍ଥା ଏବଂ ସଦ୍ଭାବର ଉତ୍ସବ।


ହେଲିକପ୍ଟର ରାଇଡ୍‌ର ବ୍ୟବସ୍ଥା

ମହାକୁମ୍ଭରେ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ହେଲିକପ୍ଟର ରାଇଡ୍‌ର ବ୍ୟବସ୍ଥା କରାଯାଇଛି। ମାତ୍ର ୧୨୯୬ ଟଙ୍କା ଦେଇ ୭ ରୁ ୮ ମିନିଟ୍ ପର୍ଯ୍ୟନ୍ତ କୁମ୍ଭମେଳାର ଏରିଅଲ ଭ୍ୟୁ ଦେଖିପାରିବେ। ଏହି ସୁବିଧା ଆଜି ଠାରୁ ଉପଲବ୍ଧ ହେବ। ଏନେଇ ଉତ୍ତର ପ୍ରଦେଶର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜୟବୀର ସିଂହ ସୂଚନା ଦେଇଛନ୍ତି।

ଏହା ଆସ୍ଥା ଏବଂ ଆଧୁନିକତାର ସଙ୍ଗମ-ଡିଜିପି

ଉତ୍ତର ପ୍ରଦେଶ ଡିଜିପି ପ୍ରଶାନ୍ତ କୁମାର କହିଛନ୍ତି ଯେ, ଚଳିତ ବର୍ଷ ଏହା ଆସ୍ଥା ଏବଂ ଆଧୁନିକତାର ସଙ୍ଗମ। ପାରମ୍ପରିକ ପୋଲିସ ବ୍ୟବସ୍ଥା ସହ ଟେକନୋଲୋଜିର ବ୍ୟବସ୍ଥା କରାଯାଇଛି। ଆଜି ଆକାଶ ମାର୍ଗରୁ ପୁଷ୍ପବର୍ଷା ମଧ୍ୟ କରାଯିବ। ଏପର୍ଯ୍ୟନ୍ତ ସବୁକିଛି ସୁଚାରୁ ରୂପେ ଏବଂ ନିର୍ବାଧରେ ଚାଲିଛି। କୁମ୍ଭମେଳା ବିଶାଳ, ଐଶ୍ଵରିକ ସହ ଡିଜିଟାଲ ଓ ସୁରକ୍ଷିତ ହେବ ବୋଲି ସେ କହିଛନ୍ତି।

ଅଧିକ ପଢନ୍ତୁ- ଆସ୍ଥାର ମହାପର୍ବ ମହାକୁମ୍ଭ ମେଳାର ଶୁଭାରମ୍ଭ, ସଂଗମ ତଟରେ ବୁଡ଼ ପକାଇଲେ ଲକ୍ଷାଧିକ ସାଧୁସନ୍ଥ ଓ ଶ୍ରଦ୍ଧାଳୁ

https://prameya.com/mahakumbh-mela-2025-devotees-take-holy-dip-as-45-day-spiritual-event-begins-with-shahi-snan

କୁମ୍ଭ ମେଳା ପ୍ରତି ୧୨ ବର୍ଷରେ ଥରେ ଭାରତର ୪ ପ୍ରାଚୀନ ସହର ହରିଦ୍ୱାର, ନାସିକ, ପ୍ରୟାଗରାଜ ଓ ଉଜ୍ଜୈନୀରେ ଅନୁଷ୍ଠିତ ହୁଏ । ଏହି ସମୟରେ ପବିତ୍ର ଜଳରେ ସ୍ନାନ କରିବାର ସବୁଠାରୁ ବଡ଼ ସୁଯୋଗ ଆସିଥାଏ । କୁମ୍ଭମେଳା ସମୟରେ ବୁଡ଼ ପକାଇଲେ ସମସ୍ତ ପାପରୁ ମୁକ୍ତି ମିଳେ । ପୌଷ  ପୂର୍ଣ୍ଣିମାରୁ ଫେବ୍ରୁଆରୀ ୧୨ ତାରିଖ ମାଘ  ପୂର୍ଣ୍ଣିମା ପର୍ଯ୍ୟନ୍ତ ସାଧୁସନ୍ଥ ଓ ଶ୍ରଦ୍ଧାଳୁମାନେ କଳ୍ପବାସରେ ରହିବେ । ଏହି ସମୟରେ ସେମାନେ ନିୟମ ଓ ସଙ୍କଳ୍ପ ପୂର୍ବକ ୧  ମାସ ଧରି ଗଙ୍ଗା ସ୍ନାନ କରିବା ସହ ଜପ,   ତପ, ଧ୍ୟାନ, ପୂଜନ ଓ ସତ୍‌ସଙ୍ଗ କରିବେ ।  ସେମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ପ୍ରୟାଗରାଜ ପ୍ରଶାସନ ଓ ରାଜ୍ୟ ସରକାରଙ୍କ   ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।   ଝୁନ୍‌ସୀ ଠାରୁ ଫାଫାମଉ ପର୍ଯ୍ୟନ୍ତ ଦୀର୍ଘ ୧୭   କି.ମି. ବ୍ୟାପୀ ୧.୬ ଲକ୍ଷ ଟେଣ୍ଟ ନିର୍ମାଣ   କରାଯାଇଛି । ଶ୍ରଦ୍ଧାଳୁମାନଙ୍କ ଲାଗି ୬୫୦ କି.ମି.ର ଅସ୍ଥାୟୀ ସଡ଼କ ଓ  ୩୦ଟି ଫୁଣ୍ଟନ ବ୍ରିଜ ମଧ୍ୟ ନିର୍ମାଣ କରାଯାଇଛି । କଳ୍ପବାସୀଙ୍କୁ ମହାକୁମ୍ଭ ଅବସରରେ ଶସ୍ତାରେ ରାସନ ସାମଗ୍ରୀ ଯୋଗାଇ  ଦିଆଯିବ । ଏଥିସହ ସୁବିଧାରେ ରନ୍ଧନ ଗ୍ୟାସ ମଧ୍ୟ  ଉପଲବ୍ଧ କରାଯିବ । କଳ୍ପବାସୀଙ୍କ ଲାଗି ସ୍ୱତନ୍ତ୍ର ଘାଟ ପ୍ରସ୍ତୁତ କରାଯାଇଛି ।   ସେମାନଙ୍କ ସୁରକ୍ଷା ଲାଗି ସେଠାରେ ବାରିକେଡ ଓ ଜଳ  ପୁଲିସର ବନ୍ଦୋବସ୍ତ ହୋଇଛି । ଥଣ୍ଡାରୁ ସୁରକ୍ଷା ଦେବାକୁ  ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ସ୍ୱାସ୍ଥ୍ୟଗତ  ସମସ୍ୟାର ମୁକାବିଲା ଲାଗି ଅସ୍ଥାୟୀ ହସ୍ପିଟାଲ ପ୍ରତିଷ୍ଠା ହୋଇଛି ।