ନୂଆଦିଲ୍ଲୀ,୧୫/୦୯: ଦରଦାମକୁ ନେଇ ଦେଶର ୬୩% ଲୋକ ଚିନ୍ତାରେ ରହିଛନ୍ତି । ପ୍ରାୟ ୭% ଲୋକ ସେମାନଙ୍କ ଦୈନିକ ଖର୍ଚ୍ଚ ଉଠାଇବାକୁ ବହୁ କଷ୍ଟ ସାମ୍ନା କରୁଛନ୍ତି । ପିଡ୍ଲ୍ୟୁସି ପକ୍ଷରୁ ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ବର୍ଦ୍ଧିତ ଖାଦ୍ୟ ସାମଗ୍ରୀ ଦରକୁ ନେଇ ୬୩% ଲୋକ ଚିନ୍ତାରେ । ଦରଦାମ ଚାପରୁ ବାହାରିବା ଲାଗି ଲୋକମାନେ ନିଜ ଅଭ୍ୟାସରେ ପରିବର୍ତ୍ତନ କରୁଛନ୍ତି ।
ସର୍ଭେରେ ସାମିଲ ୪୪% ଲୋକ ଅଧିକ ସାମଗ୍ରୀ କିଣୁଛନ୍ତି । ସେହିଭଳି ସମାନ ପ୍ରତିଶତ ଲୋକମାନେ ନିଜ ଘରେ ପନିପରିବା ଏବଂ ଅନ୍ୟ ଖାଦ୍ୟ ସାମଗ୍ରୀ ଉତ୍ପାଦନ କରିବା ଉପରେ ଫୋକସ କରିଛନ୍ତି । ଖାଦ୍ୟ ସାମଗ୍ରୀ ଦରବୃଦ୍ଧିକୁ ନେଇ ଚିନ୍ତାରେ ଥିବା ଲୋକମାନେ ନିଜ କ୍ରୟ ତରିକା ବଦଳାଉଛନ୍ତି । ସେମାନେ ଭିନ୍ନ ଭିନ୍ନ ଷ୍ଟୋର ବୁଲିବା ସହ ଯେଉଁଠାରେ ଭଲ ଡିସ୍କାଉଣ୍ଟ ମିଳୁଛି ସେଠାରୁ କିଣୁଛନ୍ତି । ଖର୍ଚ୍ଚ ବଞ୍ଚାଇବା ଲାଗି ସେମାନେ ଅଫର୍ ଏବଂ କୁପନ ବ୍ୟବହାର କରୁଛନ୍ତି ।
ସର୍ଭେ ମୁତାବକ, ୩୨% ଲୋକ ନିଜକୁ ଆର୍ଥିକ ଭାବେ ଦୃଢ଼ ବୋଲି ବିଚାର କରୁଛନ୍ତି । ଆର୍ଥିକ ସ୍ଥିତି ଠିକ୍ ନ ଥିବା ୭% କହିଛନ୍ତି । ଏମାନଙ୍କୁ ବିଲ୍ ପଇଠ କରିବାରେ ସମସ୍ୟା ହେଉଛି । ଲୋକଙ୍କୁ ଆଶ୍ୱସ୍ତି ଦେବା ଲାଗି କେନ୍ଦ୍ର ସରକାର ସାମଗ୍ରୀ ଓ ସେବା ଟିକସ (ଜିଏସ୍ଟି)ରେ ହ୍ରାସ କରିଛନ୍ତି । ଚଳିତ ମାସ ୨୨ରୁ ପରିବର୍ତ୍ତିତ ଜିଏସ୍ଟି ଲାଗୁ ହେବ । ଏହା ପରିବାର ଗୁଡ଼ିକର ବଜେଟ ଉପରେ ସକରାତ୍ମକ ପ୍ରଭାବ ପକାଇବ ବୋଲି ରିପୋର୍ଟରେ କୁହାଯାଇଛି । ଜିଏସ୍ଟି ହ୍ରାସ ଯୋଗୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ହ୍ରାସ ହେବ । ଫଳରେ ପରିବାର ଗୁଡ଼ିକର ଆର୍ôଥକ ବୋଝ କମ୍ ହେବ ।
ଜିଏସ୍ଟିରେ ମିଳିବାକୁ ଥିବା ଆଶ୍ୱସ୍ତି ପରିବାର ଗୁଡ଼ିକ ଲାଗି ବେଶ ଗୁରୁତ୍ୱବହନ କରୁଛି । କାରଣ ପନିପରିବା ଏବଂ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ଯୋଗୁ ଏହି ପରିବାର ଗୁଡ଼ିକର ଚିନ୍ତା ରହିଥିଲା । ୨୨ ସେପ୍ଟେମ୍ବରରୁ ଜିଏସ୍ଟିର ୪ଟି ସ୍ଲାବ ପରିବର୍ତ୍ତେ ୨ଟି ସ୍ଲାବ ଲାଗୁ ହେବ । ୧୨% ଏବଂ ୨୮% ସ୍ଲାବ ହଟିଯିବ । ଚୂଡାନ୍ତ ୫% ଏବଂ ୧୮% ସ୍ଲାବ ଲାଗୁ ହେବାକୁ ଯାଉଛି ।
ଲୋକଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ସାବୁନ, ସାମ୍ପୁ ଠାରୁ ଆରମ୍ଭ କରି ଏସି ଭଳି ସାମଗ୍ରୀ ଦର କମିବ । ଛୋଟ ଗାଡ଼ି ଗୁଡ଼ିକ ମଧ୍ୟ ଶସ୍ତା ହେବାକୁ ଯାଉଛି । ବ୍ୟକ୍ତିଗତ, ପରିବାର ଏବଂ ବୟୋଜ୍ୟେଷ୍ଠଙ୍କ ସ୍ୱାସ୍ଥ୍ୟ ବୀମାରେ ଲାଗୁ ଥିବା ୧୮% ଟିକସକୁ ବାଦ ଦିଆଯାଇଛି । ଏହା ଦ୍ୱାରା ବୀମା ସୁବିଧା ଅଧିକ ଲୋକଙ୍କ ନିକଟରେ ପହଞ୍ଚି ପାରିବ ।
ସିମେଣ୍ଟ ଉପରେ ଟିକସ ୨୮%ରୁ ୧୮%କୁ ଖସିଛି । ଫଳରେ ଘର ତିଆରି ଏବଂ ମରାମତି ଖର୍ଚ୍ଚ ଏହା ଦ୍ୱାରା କମିବ । ଟିଭି, ଏସି ଭଳି ଇଲେକଟ୍ରୋନିକ୍ସ ସାମଗ୍ରୀ ଉପରେ ଟିକସ ୨୮% ରୁ ୧୮%କୁ ଖସିଛି । ଫଳରେ ଏ କ୍ଷେତ୍ରରେ ବିଭିନ୍ନ ସାମଗ୍ରୀ ଦର କମିବାକୁ ଯାଉଛି । ୩୩ ଜୀବନ ରକ୍ଷାକାରୀ ଅତି ଜରୁରି ମେଡିସିନ ଦର ଉପରେ ଟିକସ ହଟିଛି ।