କଟକ, ୩୧/୦୩ : ଅନ୍‌ଲାଇନ୍‌ରେ ଟଙ୍କା ବିନିଯୋଗ କରି ପ୍ରଚୁର ଅର୍ଥ ରୋଜଗାର କରିବା ପାଇଁ ମନ ବଳିଥିଲା । ଲୋଭରେ ପଡ଼ି ପ୍ରାୟ ଦେଢ଼ କୋଟି ଟଙ୍କା ଅନ୍‌ଲାଇନ୍‌ରେ ବିନିଯୋଗ କରିସାରିବା ପରେ ଠକେଇରେ ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ସାଇବର୍‌ ଠକେଇର ଶିକାର ହୋଇଥିବା ଜାଣିଲା ବେଳକୁ ହାତରେ ଆଉ କିଛି ନଥିଲା । ଗତ ଜାନୁଆରୀରେ ଭୁବନେଶ୍ୱରରେ ଘଟିଥିବା ଏହି ଦେଢ଼ କୋଟି ଟଙ୍କା ସାଇବର୍‌ ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍‌ ସାଇବର ଥାନା ବିଳମ୍ବରେ ହେଉ ପଛେ ଅଭିଯୁକ୍ତ ସାଇବର ଠକଙ୍କୁ ଠାବ କରିବାରେ ସକ୍ଷମ ହୋଇଛି । ଦକ୍ଷିଣ ଭାରତର କର୍ଣ୍ଣାଟକ ଓ ତାମିଲନାଡ଼ୁ ଅଞ୍ଚଳରୁ ୭ ଜଣ ଅଭିଯୁକ୍ତଙ୍କୁ ସାଇବର୍‌ ଥାନା ଟିମ୍‌ ଗିରଫ କରିବାରେ ସକ୍ଷମ ହୋଇଛି । 

ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଏକ ଦମ୍ପତି ରହିଛନ୍ତି । ସେମାନେ ହେଲେ କର୍ଣ୍ଣାଟକର ଜ୍ୟୋତି ରାଜୁ(୩୪) ଓ ସ୍ୱାମୀ- ସି. ରାଜୁ (୩୯), ଇସମାଇଲ୍‌ ରାହାଇଦ୍‌ (୨୭), ବାସିମ୍‌ (୨୮) । ସେହିପରି ତାମିଲନାଡ଼ୁ ଟେଙ୍କାଶି ଜିଲ୍ଲା ଅଞ୍ଚଳର ପଟ୍ଟରାଜା (୩୪), କୋୟୋମ୍ବାଟୁର ଅଞ୍ଚଳର ଜଗଦୀଶ ରାଧାକୃଷ୍ଣନ୍‌ (୪୦) ଓ ଇ. ସଖିକୁମାରାରଭଲ୍‌ (୫୦) ମଧ୍ୟ ଗିରଫ ହୋଇଛନ୍ତି । ଅଭିଯୁକ୍ତମାନଙ୍କ ପାଖରୁ ମିଳିଥିବା ଆକାଉଣ୍ଟ୍‌ରୁ ୧୯ ଲକ୍ଷ ଟଙ୍କା ସାଇବର୍‌ ଅଧିକାରୀ ଜବତ କରିବାରେ ସକ୍ଷମ ହୋଇଛନ୍ତି । ଅଭିଯୁକ୍ତଙ୍କ ପାଖରୁ ଆଧାର କାର୍ଡ, ମୋବାଇଲ୍‌ ଫୋନ୍‌, ଟଙ୍କା ଠକେଇ ସମ୍ପର୍କିତ କାଗଜପତ୍ର ମିଳିଛି । ତେବେ ବେଙ୍ଗାଲୁରୁରୁ ଗିରଫ ହୋଇଥିବା ଦମ୍ପତିଙ୍କ ସମେତ ୩ ଜଣ ଯାକ ଅଭିଯୁକ୍ତଙ୍କୁ ସାଇବର୍‌ ଥାନା ଅଧିକାରୀ ସ୍ଥାନୀୟ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇବାରେ ସେମାନଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡ୍‌ରେ ଆଣି କଟକରେ ପହଞ୍ଚିଛି । ସେହିପରି ସାଇବର୍‌ ଥାନାର ଅନ୍ୟ ଏକ ଟିମ୍‌ ତାମିଲନାଡ଼ୁର ଗିରଫ ହୋଇଥିବା ୩ ଜଣ ଯାକ ଅଭିଯୁକ୍ତଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଇବା ପରେ ସେମାନଙ୍କୁ ଟ୍ରାଞ୍ଜିଟ୍‌ ରିମାଣ୍ଡରେ କଟକ ଆଣିଛି । ଗିରଫ ହୋଇଥିବା ସାଇବର୍‌ ଠକ ଦମ୍ପତିଙ୍କର ବେଙ୍ଗାଲୁରୁରେ ଏକ କ୍ଷୀର ଉତ୍ପାଦନ ସଂସ୍ଥା ରହିଛି । ସେହିପରି ସେମାନଙ୍କ ପାଣି ବଟଲିଙ୍ଗ୍‌ ୟୁନିଟ୍‌ ମଧ୍ୟ ରହିଛି । ଅନ୍ୟତମ ଅଭିଯୁକ୍ତ ଇସମାଇଲ୍‌ର ବେଙ୍ଗାଲୁରୁରେ ଏକ ବଡ଼ କାଫେ ସେଣ୍ଟର୍‌ ରହିଛି । ଏହାବାଦ୍‌ ତାମିଲନାଡ଼ୁରୁ ଗିରଫ ହୋଇଥିବା ଅଭିଯୁକ୍ତ ସାଇବର୍‌ ଠକଙ୍କର ନିଜ ଅଞ୍ଚଳରେ ବ୍ୟବସାୟ କେନ୍ଦ୍ର ରହିଛି । ସାଇବର୍‌ ଠକେଇରୁ ପ୍ରଚୁର ଅର୍ଥ ରୋଜଗାର କରି ତାକୁ ବ୍ୟବସାୟରେ ନିବେଶ କରି ମାଲାମାଲ୍‌ ହୋଇଥିବାର ତଦନ୍ତରୁ ଜଣାପଡ଼ିଛି । 

ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଜଣେ ବ୍ୟକ୍ତି ସାଇବର୍‌ ଠକେଇର ଶିକାର ହୋଇଥିବା ନେଇ ଗତ ଜାନୁଆରୀରେ ସାଇବର ଥାନାରେ ଏତଲା ଦେଇଥିଲେ । ଅନ୍‌ଲାଇନ୍‌ରେ ଟ୍ରେଡିଂ ଆପ୍‌ରେ ପ୍ରଭାବିତ ହୋଇ ଗତ ନଭେମ୍ବରରୁ ଜାନୁଆରୀ ପହିଲା ଯାଏ ପାଖାପାଖି ଦେଢ଼ କୋଟି ଟଙ୍କା ବିନିଯୋଗ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ କ୍ଷତି ହେବାରୁ ସେ ଆଉ ଟଙ୍କା ବିନିଯୋଗ କରି ନଥିଲେ । ଟଙ୍କା ଫେରି ପାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନଥିଲେ । ଶେଷରେ ନିରାଶ ହୋଇ ସାଇବର୍‌ ଥାନାରେ ଅଭିଯୋଗ କରିଥିଲେ । ଏହି ବଡ଼ ଧରଣର ଠକେଇକୁ ସାଇବର୍‌ ଥାନା ଅଧିକାରୀ ତଦନ୍ତ କରିବା ମଧ୍ୟରେ ଅଭିଯୁକ୍ତ ସାଇବର୍‌ ଠକମାନେ ଦକ୍ଷିଣ ଭାରତରେ ରହି ଦେଶବ୍ୟାପୀ ଠକୁଥିବା ଜଣାପଡ଼ିଥିଲା।

ଏହି ଖବରଟିକୁ ପଢନ୍ତୁ-ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତ, ଅପରାହ୍ନ ୫ ଟାରୁ ରାତି ୧୦ଟା ସର୍ବସାଧାରଣ ଦର୍ଶନ ମନା