ନୂଆଦିଲ୍ଲୀ : ଯୋଗକୁ ଦୈନିକ ଜୀବନର ରୁଟିନରେ ସାମିଲ କରିବା ଦ୍ୱାରା ଅନେକ ଉପକାର ମିଳିଥାଏ। ଏହା କେବଳ ଶରୀରକୁ ସୁସ୍ଥ ରଖେ ତା ନୁହେଁ , ଏହାସହ ସ୍ଲିମ୍ ରଖିବାରେ ମଧ୍ୟ ସାହାଯ୍ୟ କରେ। ଯୋଗାସନରେ ସାମିଲ ଗୋମୁଖାସନ ଅର୍ଥାତ୍ କାଓ ଫେଜ୍ , ଏହି ଆସନକୁ କରିବା ଦ୍ୱାରା ଶରୀର ସଂପୂର୍ଣ୍ଣ ଭାବେ ଷ୍ଟ୍ରେଚ୍ ହୋଇଥାଏ , ଏବଂ ଅନେକ ପ୍ରକାରର ରୋଗରୁ ଆରାମ ମିଳିଥାଏ। ମହିଳାଙ୍କ ଠାରେ ପିସିଓଡି ଭଳି ସମସ୍ୟା ସହ ହିଁ ବୃଦ୍ଧି ପାଇଥିବା ପ୍ରୋଷ୍ଟେଟ ଗ୍ରନ୍ଥିରେ ଗୋମୁଖାସନ ଫଳପ୍ରଦ ହୋଇଥାଏ। ଆସନ୍ତୁ ଜାଣିବା ଗୋମୁଖାସନ କରିବାର ଉପାୟ ଓ କେଉଁ କେଉଁ ରୋଗ ପାଇଁ ଏହା ହୋଇଥାଏ ଫଳପ୍ରଦ।
ଗୋମୁଖାସନ କରିବାର ଉପାୟ –
୧- ଗୋମୁଖାସନକୁ ଖାଲି ପେଟରେ କରିବା ଉଚିତ।
୨- ପ୍ରଥମେ ଯୋଗ ମ୍ୟାଟ୍ ଉପରେ ବସି ଯାଆନ୍ତୁ ଏବଂ ବାମ ଗୋଡ଼କୁ ଜଙ୍ଘ ତଳକୁ ନେଇ ଯାଆନ୍ତୁ ଏବଂ ପୁଣି ଡାହାଣ ଗୋଡ଼କୁ ଅନ୍ୟ ଗୋଡ଼ ଉପରେ କ୍ରସ୍ କରି ଜଙ୍ଘ ପାଖ ଯାଏ ନେଇ ଯା’ନ୍ତୁ। ଡାହାଣ ହାତକୁ ଷ୍ଟ୍ରେଟ୍ ଉପର ଆଡ଼କୁ କରନ୍ତୁ। ପୁଣି ବାମ ହାତକୁ ଅଣ୍ଟା ପାଖରୁ ବୁଲାଇ ପଛ ଆଡ଼କୁ ନେଇ ଯାନ୍ତୁ ଏବଂ ଉପର ଆଡୁ ହାତକୁ ଆଣି ଧରନ୍ତୁ । ଗଭୀର ଲମ୍ୱା ଶ୍ୱାସ ନିଅନ୍ତୁ।
୩- ଯଦି ଆପଣ ନୂଆ ଯୋଗ କରିବା ଆରମ୍ଭ କରୁଛନ୍ତି ତ ହାତକୁ କେବଳ ପରସ୍ପରକୁ ଛୁଇଁବାକୁ ପ୍ରୟାସ କରନ୍ତୁ ଏବଂ ଗୋଡ଼କୁ କ୍ରସ କରିବା ପାଇଁ ତକିଆ ବା କମ୍ୱଳର ସପୋର୍ଟ ନିଅନ୍ତୁ। ଯେଉଁଥିରେ ସହଜରେ ଗୋଡ଼ ସଠିକ୍ ପୋଜିସନରେ ରହିବ।
ଗୋମୁଖାସନକୁ କରିବାରେ ଫାଇଦା –
ଏହାକୁ କରିବା ଦ୍ୱାରା ଅନେକ ଫାଇଦା ମିଳିଥାଏ –
୧- ସେହି ଲୋକ ଯିଏ ଦୀର୍ଘ ସମୟ ଧରି ବସି କାମ କରିବା ଦ୍ୱାରା କାନ୍ଧରେ ଯନ୍ତ୍ରଣା ଅନୁଭବ କରନ୍ତି , ତାଙ୍କ ପାଇଁ ଏହି ଗୋମୁଖାସନ ଫଳପ୍ରଦ।
୨- ନଇଁକି ବସିବା ଦ୍ୱାରା ପୋଶ୍ଚର ଖରାପ ହୋଇଯାଏ। ଏଥିରେ ଏହି ଆସନ ସାହାଯ୍ୟ କରିଥାଏ।
୩- ଗୋମୁଖାସନ କରିବା ଦ୍ୱାରା ମୁଖ୍ୟତଃ ସାଇଟିକାର ଯନ୍ତ୍ରଣାରୁ ଆରାମ ମିଳିଥାଏ। ହିପ୍ ପାଖରେ ଦବି ଯାଇଥିବା ନର୍ଭକୁ ଖୋଲିବାରେ ଗୋମୁଖାସନ କରିବା ଉଚିତ।
୪- ଅଣ୍ଟା ଯନ୍ତ୍ରଣାରେ ଏହି ଆସନ ଆରାମ ଦେଇଥାଏ।
୫- ଲିଭର , କିଡନୀର ଫଙ୍କସନକୁ ମଜବୁତ କରିବା ପାଇଁ ଏହି ଆସନ ଫଳପ୍ରଦ।
୬- ପ୍ରତିଦିନ ଗୋମୁଖାସନ କରିବା ଦ୍ୱାରା ଶ୍ୱାସଜନିତ ରୋଗରୁ ଆଶ୍ୱସ୍ତି ମିଳିଥାଏ। କାରଣ ଏହି ଆସନକୁ କରିବା ଦ୍ୱାରା ଛାତି ପ୍ରସାରିତ ହୋଇଥାଏ ଏବଂ ସଙ୍କୁଚିତ ଫୁସଫୁସ ଖୋଲି ଥାଏ। ଯେଉଁଥିରେ ଶ୍ୱାସକ୍ରିୟା ସମ୍ୱନ୍ଧୀୟ ସମସ୍ୟା ଦୂର ହୋଇଥାଏ।