୨୦୫୦ ମସିହା ବେଳକୁ ପୃଥିବୀ ପୃଷ୍ଠରୁ ଲୋପ ପାଇଯିବେ ୭ଟି ପ୍ରଜାତିର ପକ୍ଷୀ । ୨୦୧୪ରେ ଅରୁଣାଚଳ ପ୍ରଦେଶର ନାମଦଫା ଅଭୟାରଣ୍ୟରେ ହ୍ୱାଇଟ୍ ବେଲ୍‌ଡ୍‌ ହର୍ଣ୍ଣ ବହୁଳ ଭାବେ ଦେଖାଯାନ୍ତି । କିନ୍ତୁ, ଏବେ ଆଉ ଦେଖିବାକୁ ମିଳୁନାହାନ୍ତି । ସଙ୍କଟରେ ଥିବା ଧଳାପେଚା ପ୍ରଜାତି ବର୍ତ୍ତମାନ ଭାରତରେ ବିରଳ ହୋଇଗଲାଣି । କେନ୍ଦ୍ରୀୟ ଭାରତର ମୂଳ ବାସିନ୍ଦା ଏହି ପକ୍ଷୀ ବର୍ତ୍ତମାନ ବିଲୁପ୍ତି ପ୍ରଜାତିରେ ସାମିଲ ହୋଇଗଲାଣି ବୋଲି କୁହାଯାଉଛି । ୧୯୬୦ ଦଶକରୁ ପ୍ରାୟତଃ ଅଦୃଶ୍ୟ ହୋଇଯାଇଥିବା ଗୁଆମ୍ ରିଡ୍-ବାର୍ବଲର୍ ପକ୍ଷୀ ହୁଏତ ଆଗାମୀ ଦଶନ୍ଧି ମଧ୍ୟରେ ଲୋପ ପାଇଯିବେ ଏବଂ ୨୦୫୦ ମସିହା ବେଳକୁ ତାର ପରିଚୟ ହଜିଯାଇଥିବ । ପୃଥିବୀର ସବୁଠାରୁ ବଡ଼ ନୀଳ ଶୁଆ ହାୟାସିନ୍ଥ ମାକାଓ ଆମାଜନ୍ ଜଙ୍ଗଲରେ ବିରଳ ହୋଇଗଲାଣି । ଜଙ୍ଗଲ ନିଆଁ, ବାସସ୍ଥଳୀ ସଙ୍କୋଚନ ଓ ବ୍ୟାପକ ଶିକାର ଏମାନଙ୍କ ସଂଖ୍ୟା ହ୍ରାସର ପ୍ରମୁଖ କାରଣ ।

ସେହିଭଳି ଗୁଆମ୍‌ର ମାରିଆନା ଫଳ ଖାଉଥିବା ଏକ କପୋତ ପକ୍ଷୀ ପ୍ରଜାତି ବର୍ତ୍ତମାନ ସଙ୍କଟରେ । ଅଣ-ସ୍ଥାନୀୟ ପ୍ରାଣୀଙ୍କ ଦ୍ୱାରା ଶିକାର ଓ ବାସସ୍ଥଳୀ ସଙ୍କୋଚନ ଯୋଗୁଁ ଏମାନଙ୍କ ସଂଖ୍ୟା ଆଶାତୀତ ଭାବରେ ହ୍ରାସ ପାଉଛି ଏବଂ କେତେକ ଅଞ୍ଚଳରେ ଆଉ ଦେଖିବାକୁ ମିଳୁନାହାନ୍ତି । କାନାଡ଼ା ପ୍ରେଇରୀ ତୃଣଭୂମିରେ କ୍ଷୁଦ୍ର ବାର୍‌ୱିଂ ପ୍ରଜାତିର ପେଚା ବସବାସ କରୁଥିଲେ । ତୃଣଭୂମିରେ ପଶୁପାଳନ ଓ ବାସଗୃହ ନିର୍ମାଣ ଦ୍ୱାରା ଏହି ପ୍ରଜାତି ପେଚା ସଂଖ୍ୟା ହଜାର ଯୋଡ଼ାରୁ ବି କମିଯାଇଛି । ୨ ହଜାର ମସିହା ପ୍ରାରମ୍ଭରୁ ଛାତି ଓ ପେଟରେ ହଳଦିଆ ରଙ୍ଗ ଥିବା ବଣ୍ଟିଂ ପକ୍ଷୀଙ୍କ ସଂଖ୍ୟା ଦ୍ରୁତ ହ୍ରାସ ପାଉଛି । ଏହି ପକ୍ଷୀ ବିପନ୍ନ ତାଲିକାଭୁକ୍ତ ହେଲାଣି । ଯଦି ଏହି ଧାରା ଜାରି ରହେ ତେବେ ୨୦୫୦ ମସିହା ପୂର୍ବରୁ ବି ଏହି ପକ୍ଷୀଟି ଆମମାନଙ୍କ ଗହଣରୁ ଅନ୍ତର୍ଦ୍ଧାନ ହୋଇଯିବ ।