ବାଲେଶ୍ବର,୫।୧ : ବାଲେଶ୍ୱର ଜିଲ୍ଲାରେ ପ୍ରଦୂଷଣଙ୍କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ୭ ଦିନ ଯାଏଁ ଏହି କଟକଣା ଜାରି କରାଯାଇଛି। ବାଲେଶ୍ୱର ପୌରପାଳିକା ଏବଂ ଅନ୍ୟ ଏନ୍ଏସି ଓ ମ୍ୟୁନିସିପାଲଟି (ULB) ଅଞ୍ଚଳରେ ଏହି କଟକଣା ବଳବତ୍ତର ରହିବ। ଆବଶ୍ୟକ ପଡିଲେ ଏହାର ଅବଧି ବୃଦ୍ଧି କରାଯିବ।

ଲାଗୁ ହୋଇଥିବା କଟକଣା ଅନୁଯାୟୀ ପ୍ରତିଦିନ ସନ୍ଧ୍ୟା ୬ ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ବନ୍ଦ ରହିବ। ପୌରପାଳିକା/ULB ସୀମାଭିତରେ ଭଙ୍ଗାରୁଜା ଓ ମାଟି କାମ ସଂପୂର୍ଣ୍ଣ ଭାବେ ନିଷିଦ୍ଧ କରାଯାଇଛି। ପୌରପାଳିକା,ULB ଓ NHAI ପକ୍ଷରୁ ସମସ୍ତ ରାସ୍ତାରେ ଦିନକୁ ଅତି କମରେ ୩ ଥର ପାଣି ପକାଯିବ। ବାଲେଶ୍ୱର ସହର ଓ ଅନ୍ୟ ULB ଅଞ୍ଚଳରେ ଭାରୀ ଟ୍ରକ୍ ପ୍ରବେଶ ସଂପୂର୍ଣ୍ଣ ନିଷିଦ୍ଧ। ଆବର୍ଜନା ଖୋଲା ଜଳାଇବା, ଢାବାରେ କୋଇଲା ଜଳାଇବା ଏବଂ ଖୋଲା ସ୍ଥାନରେ ନିଆଁ ଜାଳିବାକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି।

ଉପଜିଲ୍ଲାପାଳ, ବାଲେଶ୍ୱର/ନୀଳଗିରି ଏବଂ ଆରଟିଓ, ବାଲେଶ୍ୱର ପକ୍ଷରୁ କୋଇଲା, ସାନ ଓ ବଡ଼ ଖଣିଜ ଏବଂ ଫ୍ଲାସ ଆସ୍ ଭରା ଟ୍ରକ୍ ଦିନରେ ଚଳାଚଳ ଉପରେ ପୃଥକ ନିୟନ୍ତ୍ରଣ ଜାରି କରାଯିବ। ବିନା ତର୍ପୋଲିନ ଟ୍ରକ୍ଗୁଡ଼ିକୁ NH-16, ରାଜ୍ୟ ରାଜପଥ, ଜିଲ୍ଲା ମୁଖ୍ୟ ସଡ଼କ ଓ ଅନ୍ୟାନ୍ୟ ରାସ୍ତାରେ ଚଳାଚଳକୁ ଅନୁମତି ମିଳିବ ନାହିଁ। NHAI ଏବଂ ଜାତୀୟ ରାଜପଥ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସମସ୍ତ ନିର୍ମାଣ ସ୍ଥଳରେ ନିୟମିତ ପାଣି ସିଞ୍ଚନକୁ ଅନୁଧ୍ୟାନ କରିବେ। ପୋଲିସ, ପୌରପାଳିକା/ULB, ସମସ୍ତ କାର୍ଯ୍ୟନିର୍ବାହୀ ସଂସ୍ଥା ଏବଂ RTO କୁ କଡାକଡି ପାଳନ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଉପଜିଲ୍ଲାପାଳ, ବାଲେଶ୍ୱର ଓ ନୀଳଗିରି ପକ୍ଷରୁ ପ୍ରତିଦିନ ନିରୀକ୍ଷଣ କରି ଅନୁସରଣ ରିପୋର୍ଟ ଜିଲ୍ଲା ପ୍ରଶାସନକୁ ଦାଖଲ କରିବେ ବୋଲି ନିର୍ଦେଶ ଦିଆଯାଇଛି।