ହରଭଙ୍ଗା, ୧୭।୧ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତୁକୁଲୁଣ୍ଡା ମୌଜା କୋଲ୍ହ ସାହିର ୭ ପରିବାର ମୌଳିକ ସେବାରୁ ବଞ୍ଚିତ। ଶିକ୍ଷା,ସ୍ବାସ୍ଥ୍ୟ, ସହ ବିଭିନ୍ନ ଜନକଲ୍ୟାଣ ଯୋଜନା ଠାରୁ ଅନେକ ଦୁରରେ ରହିଛନ୍ତି ଏହି ପରିବାର । ଛୋଟ ଛୋଟ କୁଡ଼ିଆ କରି ଅତି ଦୟନୀୟ ଭାବେ ବସବାସ କରୁଛନ୍ତି ସାତଗୋଟି ଜନଜାତି ସମ୍ପ୍ରଦାୟର ଆଦିମ ଅଧିବାସୀ।
ଏମାନଙ୍କ ପାଖରେ ନା ଅଛି ଭୋଟର କାର୍ଡ, ନା ଅଛି ଆଧାର କାର୍ଡ, ନା ଅଛି ଖାଉଟି କାର୍ଡ, ପ୍ରଧାନ ମନ୍ତ୍ରୀ ଆବାସ , ବିଜୁଳି ବତୀ ସାତ ସପନ। ସେହିପରି ରାସ୍ତା କଥା ନ କହିଲେ ଭଲ। ଛୋଟ ଛୋଟ ପିଲାମାନେ ନା ପାଆନ୍ତି ପୁଷ୍ଟିକର ଛତୁଆ କି ଅଣ୍ଡା। ଏମାନଙ୍କ ଖବର ପଂଚାୟତ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ କାହା ପାଖରେ ନାହିଁ। ଏମାନଙ୍କ ପାଖରେ ଭୋଟର କାର୍ଡ ନ ଥିବାରୁ କୌଣସି ରାଜନିତିଆ ନେତାଙ୍କ ଦର୍ଶନ ମିଳେ ନାହିଁ। ସବୁଠାରୁ ବଡ କଥା ହେଲା ଏମାନଙ୍କ ପାଇଁ ସରକାରଙ୍କ ଶିକ୍ଷା ଯୋଜନା, ଜନନୀ ସୁରକ୍ଷା ଭଳି ଯୋଜନା ସବୁ ଫେଲ ମାରିଛି।
ବର୍ତ୍ତମାନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଚାଲୁରହିଛି । ଆଗାମୀ ଦିନରେ ଜନଗଣନା ହେବ । ତେବେ ଏମାନେ କଣ ଭୋଟର ତାଲିକାରେ ସ୍ଥାନ ପାଇବେ, ଆଧାର କାର୍ଡ ପାଇବେ ଏକଥା ସାଧାରଣ ଜନତା ପ୍ରଶ୍ନ କରୁଛନ୍ତି ବୌଦ୍ଧ ଜିଲ୍ଲା ପ୍ରଶାସନକୁ। ଏ ନେଇ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ମୋବାଇଲ ଫୋନ୍ ସ୍ଵିଚ୍ ଓଫ୍ ଥିବାରୁ ଯୋଗାଯୋଗ ସମ୍ଭବ ହୋଇ ପାରି ନାହିଁ।