ନୂଆଦିଲ୍ଲୀ,୧୭/୦୧:ପାରମ୍ପରିକ କୃଷି ପର୍ବ ପୋଙ୍ଗଲ ଅବସରରେ ଚାଲିଥିବା ତାମିଲନାଡ଼ୁର ଜଲିକାଟ୍ଟୁ ପ୍ରତିଯୋଗିତାରେ ଅଘଟଣ । ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ମୃତକମାନେ ଶିବଗଙ୍ଗା, ମଦୁରାଇ,କ୍ରିଶନଗିରି ଅଞ୍ଚଳର ବୋଲି ଜଣାପଡ଼ିଛି ।

ସୂଚନା ଅନୁସାରେ, କୃଷନଗିରିର ଇରୁଥୁ ବିଦମ ବିଜହାର ଜଲ୍ଲିକାଟୁ ପ୍ରତିଯୋଗିତା ଆୟୋଜନ ହୋଇଥିବା ବେଳେ ଜଣେ ୩୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।  ସେହିପରି ଶିରଭରାଲ ଆରେନା ଅଞ୍ଚଳରେ ଷଣ୍ଢ ମାଲିକ ଯାଉଥିବା ବେଳେ ଏକ ଟ୍ୟାଙ୍କ ପଡି ତାଙ୍କର ମୃତ୍ୟୁ ହୋଇଛି । ଏଭଳି ଭାବେ ଜିଲ୍ଲାରେ ସମୁଦାୟ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଛି। ଜାଲିକାଟ୍ଟୁ ତାମିଲନାଡୁର ଏକ ପାରମ୍ପରିକ ପ୍ରତିଯୋଗିତା। ପୋଙ୍ଗଲ ମହୋତ୍ସବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ପ୍ରତିଯୋଗିତା ହୋଇଥାଏ। ଏହି ପ୍ରତିଯୋଗିତାରେ ବାରମ୍ବାର ଅଘଟଣ ଘଟୁଥିବାରୁ ଏହା ଉପରେ ପ୍ରତିବନ୍ଧକ ଲଗାଇବା ନେଇ ତର୍କ ବିତର୍କ ହେଉଛି। ତଥାପି ଆଜି ଯାଏଁ ଏ ଉପରେ ରୋକ୍ ଲଗାଯାଇ ପାରୁନାହିଁ।  ୨୦୦୬ରେ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଥମ କରି ଜାଲିକାଟ୍ଟୁ ନିଷିଦ୍ଧ ହୋଇଥିଲା। କିନ୍ତୁ ଏହାକୁ କଡ଼ା ବିରୋଧ କରାଯିବା ପରେ ତାମିଲନାଡୁ ସରକାର ୨୦୧୭ରେ ଏହି ପ୍ରତିବନ୍ଧକକୁ ସାମୟିକ ଭାବେ ହଟାଇଥିଲେ। ସରକାରଙ୍କ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସୁପ୍ରିମକୋର୍ଟ ଏ ଉପରେ ଶୁଣାଣି କରି ତାମିଲନାଡୁ ସରକାରଙ୍କ ନିଷ୍ପତ୍ତିକୁ ସବୁଜ ସଙ୍କେତ ଦେଇଥିଲେ।