ହାଇଦ୍ରାବାଦ,୧୮/୯ : ସାଇବର୍ ଠକେଇର ଲୋମଟାଙ୍କୁରା କାହାଣୀ। ଅବସରପ୍ରାପ୍ତ ମହିଳା ଡାକ୍ତରାଣୀଙ୍କୁ ୭୦ ଘଣ୍ଟା ଧରି ‘ଡିଜିଟାଲ ଆରେଷ୍ଟ’। ପେନ୍ସନ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ନେଇଗଲେ ସାଇବର୍ ଠକ। ସର୍ବସ୍ଵ ଲୁଟିବା ପରେ ବି ହଇରାଣ କରୁଥିଲେ ଲୁଟେରା। ୩ ଦିନ ଧରି ସାଙ୍ଘାତିକ ମାନସିକ ଚାପରେ ରହିବାରୁ ହୃଦ୍ଘାତରେ ଚାଲିଗଲା ବୃଦ୍ଧାଙ୍କ ଜୀବନ। ହାଇଦ୍ରାବାଦରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ରିପୋର୍ଟ ଅନୁସାରେ, ସାଇବର ଠକମାନେ ନିଜକୁ ପୁଲିସ ଅଧିକାରୀ ପରିଚୟ ଦେଇ ତାଙ୍କୁ ମିଥ୍ୟା ଅଭିଯୋଗ ଦ୍ୱାରା ଧମକ ଦେଇଥିଲେ । ବାରମ୍ବାର ଭିଡିଓ ସର୍ଭେଲାନ୍ସ କରାଇଥିଲେ । ଏଥିରେ ୭୦ ଘଣ୍ଟା ଧରି ପୀଡ଼ିତା ଫସି ରହିଥିଲେ। ସେପ୍ଟେମ୍ବର ୫ରେ ସାଇବର ଠକମାନେ ନିଜକୁ ବେଙ୍ଗାଲୁରୁ ପୁଲିସ ପରିଚୟ ଦେଇ ପ୍ରଥମେ ହ୍ୱାଟ୍ସଆପ୍ରେ ଭିଡିଓ କଲ୍ କରିଥିଲେ । ବିଭିନ୍ନ ଅଭିଯୋଗ ଲଗାଇ ତାଙ୍କୁ ଡରାଇଥିଲେ । ସେ ଅପରାଧରେ ଜଡ଼ିତ ଥିବା ମଧ୍ୟ କହିଥିଲେ । କଠୋର ଜାତୀୟ ସୁରକ୍ଷା ଆଇନରେ ତାଙ୍କୁ ଗିରଫ କରାଯିବା ନେଇ ଧମକଚମକ ଦେଇଥିଲେ । ଏହାକୁ ସତ୍ୟ ଦର୍ଶାଇବା ପାଇଁ ସେମାନେ ସୁପ୍ରିମକୋର୍ଟ, ଇଡି ଏବଂ ରିଜର୍ଭ ବ୍ୟାଙ୍କ୍ର ସିଲ୍ ଲାଗିଥିବା କିଛି ଜାଲ୍ ଡକ୍ୟୁମେଣ୍ଟ ଦେଖାଇଥିଲେ । ଏଥିରୁ ବର୍ତ୍ତିବା ପାଇଁ ସେମାନେ ଶେଷରେ ବୃଦ୍ଧାଙ୍କଠାରୁ ଟଙ୍କା ଦାବି କରିଥିଲେ । ଶେଷରେ ଭୟଭୀତ ହୋଇ ପୀଡ଼ିତା ଚଳିତମାସ ୬ ତାରିଖରେ ତାଙ୍କ ପେନ୍ସନ ଆକାଉଣ୍ଟରୁ ମହାରାଷ୍ଟ୍ରଭିତ୍ତିକ ଏକ ସେଲ୍ କମ୍ପାନିର ଆକାଉଣ୍ଟକୁ ୬.୬ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ । ଏତେ ଟଙ୍କା ଦେବା ପରେ ବି ତାଙ୍କ ସମସ୍ୟା କମି ନ ଥିଲା । ପୁଣି ସେମାନେ ହଇରାଣ କରିବା ଜାରି ରଖିଥିଲେ । ଭିଡିଓ ସେସନ୍ ଏବଂ ନକଲି ନୋଟିସ୍ ଦ୍ୱାରା ତାଙ୍କୁ ବ୍ୟତିବ୍ୟସ୍ତ କରି ପକାଇଥିଲେ ।
ଏହିଭଳି ଭାବେ ସେ ୩ ଦିନ ଧରି ସାଙ୍ଘାତିକ ମାନସିକ ଚାପରେ ପଡ଼ିବାରୁ ତାଙ୍କ ଛାତିରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଗତ ୮ ତାରିଖରେ ତାଙ୍କୁ ତାଙ୍କ କ୍ଲିନିକ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ହୃଦ୍ଘାତରେ ମୃତ୍ୟୁ ଘଟିଥିଲା । ଆଶ୍ଚର୍ଯ୍ୟର ବିଷୟ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ପରେ ହିଁ ତାଙ୍କ ପରିବାର ଲୋକେ ଏହି ଘଟଣା ବାବଦରେ ଜାଣିବାକୁ ପାଇଥିଲେ । ଏମିତି କି ମୃତ୍ୟୁ ପରେ ବି ସାଇବର ଠକମାନେ ପୀଡ଼ିତାଙ୍କୁ ମେସେଜ୍ ପଠାଇବା ସହ ଫୋନ୍ କରିଥିଲେ । ଅଭିଯୋଗ ପରେ ହାଇଦ୍ରାବାଦର ସାଇବର ଅପରାଧ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।