ଉମରକୋଟ, ୨୩।୨ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ କୋଚନିଆମ୍ବା ଗ୍ରାମରେ ଘଟିଛି ଏକ ସଶସ୍ତ୍ର ଡକାୟତି। ବେକରେ ଭୁଜାଲି ଲଗାଇ ଲୁଟି ନେଲେ ୭୦ ଲକ୍ଷ ଟଙ୍କା ସହ ବିପୁଳ ସୁନା ଅଳଙ୍କାର। ଘର ମାଲିକଙ୍କୁ ବାନ୍ଧି ପକାଇ ୬ ଜଣ ସଶସ୍ତ୍ର ଦୁର୍ବୁର୍ତ୍ତ ଏହି କାଣ୍ଡ ଭିଆଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, କୋଚନିଆମ୍ବା ଗ୍ରାମର ଅମୁଲ୍ୟ ଜେନା କିଛି ମାସ ତଳେ ଜମି ବିକ୍ରି କରି ଘରେ ୭୦ ଲକ୍ଷ ଟଙ୍କା ରଖିଥିଲେ। ଗତକାଲି ବିଳମ୍ବିତ ରାତିରେ ସେ ଘରେ ଏକୁଟିଆ ଶୋଇଥିବା ବେଳେ ୬ ଜଣ ଦୁର୍ବୁର୍ତ୍ତ କବାଟ ତାଡି ଘର ଭିତରକୁ ପଶିଥିଲେ। ଏବଂ ଅମୁଲ୍ୟଙ୍କ ବେକରେ ଭୁଜାଲି ଲଗାଇ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେବା ସହ ହାତଗୋଡ ବାନ୍ଧି ପକାଇଥିଲେ। ଏହାପରେ ଗଡ଼ରେଜ୍ରୁ ୭୦ ଲକ୍ଷ ନଗଦ ଟଙ୍କା, ୧୪ଟି ସୁନା ମୁଦି, ୩ଟି ସୁନା ଲକେଟ ଓ କାନଫୁଲ ଲୁଟି ଚମ୍ପଟ ମାରିଥିଲେ। ଲୁଟେରାମାନେ ଚାଲିଯିବା ପରେ ଅମୁଲ୍ୟ ବହୁ କଷ୍ଟରେ ବନ୍ଧନରୁ ମୁକୁଳି ପରିବାର ଲୋକ ଓ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଉମରକୋଟ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି। ତେବେ ଲୁଟେରାଙ୍କ ସୁରାକ୍ ପାଇବା ପାଇଁ ନବରଙ୍ଗପୁରରୁ ସାଇଣ୍ଟିଫିକ ଟିମ୍ ଆସି ଅଧିକ ତଦନ୍ତ କରିବେ ବୋଲି ସୂଚନା ମିଳିଛି।