ନୂଆଦିଲ୍ଲୀ,୨୯।୧:  ଆମେରିକାର ସୀମା ଶୁଳ୍କ ଏବଂ ସୀମା ସୁରକ୍ଷା ବିଭାଗ(ସିବିପି)ଜବତ କଲା ୭୦ ହଜାର ବେଆଇନ ଔଷଧ। କୁହାଯାଉଛି ଯେ, ଏହି ସବୁ ଔଷଧ ନିଦ ନଆସୁଥିବା ଲୋକ ବ୍ୟବହାର କରୁଥିଲେ।  ଏହି ଔଷଧର ବଜାର ମୂଲ୍ୟ ୩୩ ହଜାର ଆମେରିକୀୟ ଡଲାର। ସିବିପିର ଅଧିକାରୀମାନେ କହିଛନ୍ତି ଏହା କାର୍ଲିଫର୍ଣ୍ଣିଆର ବ୍ୟୁନା ପାର୍କ ସ୍ଥିତ ଏକ ଠିକଣାକୁ ପଠାଯିବାର ଥିଲା। ଅଧିକାରୀଙ୍କ କହିବା ଅନୁସାରେ, ସୁତା ଭିତରୁ ଜବତ କରାଯାଇଥିବା ନିଦ ବଟିକା ଭାରତ ଆସୁଥିଲା। ଯାହାକୁ ଯାଞ୍ଚ ବେଳେ ଜବତ କରାଯାଇଛି। 

ଜୋଲାପିଡେମ୍ ଟାଟ୍ରେଟ୍‌ ନାମକ ଏହି ଔଷଧ ଏକ ନିଶା ବଟିକା। ଡାକ୍ତରଙ୍କ ଦ୍ବାରା ଅନିଦ୍ରାର ଚିକିତ୍ସା ପାଇଁ ରୋଗୀଙ୍କୁ ଏହି ଔଷଧ ଦିଆଯାଇଥାଏ। ସିବିପିର ଅଧିକାରୀ ୧୭ ଡିସେମ୍ବରରେ ଓ୍ବାଶିଂଟନ୍‌ ଡଲେସ ବିମାନ ବନ୍ଦର ନିକଟରୁ ଏକ ଏୟାରକାର୍ଗେ ଗୋଦାମରେ କଳା ସୁତାର ୯୬ ଟି ରୋଲ୍‌କୁ ଯାଞ୍ଚ କରିଥିଲେ।

କଳା ସୁତାର ୯୬ ରୋଲର ପ୍ରତ୍ୟେକଟିର ଭିତରୁ ମୋଟ ୬୯,୮୧୩ ଟାବଲେଟ୍ ଲୁଚାଇ ରଖାଯାଇଥିଲା। ଏହି ଟାବଲେଟର ମୂଲ୍ୟ ୩୩ ହଜାର ଆମେରିକୀୟ ଡଲାର। ଓ୍ବାଶିଂଟନ ଡିସିର ଆଞ୍ଚଳିକ ବନ୍ଦର ପାଇଁ ସିବିପିର ଆଞ୍ଚଳିକ ବନ୍ଦର ନିର୍ଦେଶକ କ୍ରିଷ୍ଟିନ୍‌ ଓ୍ବା କହିଛନ୍ତି, ଏହା ଆମେରିକାରେ ବହୁ ମାତ୍ରରେ ଔଷଧର ତସ୍କରି କରିବାର ଚେଷ୍ଟା ଥିଲା। ଉଲ୍ଲେଖନୀୟ ଯେ, ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ନିକଟରେ ଡ୍ରଗ୍ସ ତସ୍କରୀକୁ ନେଇ ଚିନ୍ତା ପ୍ରକାଶ କରିଥିଲେ। ସେ ଏହି ମାମଲାରେ ଚୀନ୍‌, ମେକ୍ସିକୋ ଓ କାନାଡାକୁ ଟାର୍ଗେଟ କରିଥିଲେ।