ନୂଆଦିଲ୍ଲୀ ୨୩/୦୯: ଚଳିତ ବର୍ଷ ଅଗଷ୍ଟ ୧ ତାରିଖରେ ୨୦୨୩ ମସିହା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। ଆଜି ବିଜେତାମାନଙ୍କୁ ସମ୍ମାନିତ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କାର ପ୍ରଦାନ କରିବେ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହେଉଛି। ଚଳିତ ବର୍ଷ ବିଜେତାଙ୍କ ତାଲିକାରେ ଅଭିନେତା ଶାହରୁଖ ଖାନ, ରାଣୀ ମୁଖାର୍ଜୀ ଏବଂ ବିକ୍ରାନ୍ତ ମାସେ ଅଛନ୍ତି। ଏଥିସହିତ ଏହି ଉତ୍ସବରେ ମୋହନଲାଲଙ୍କୁ ଦାଦା ସାହେବ ଫାଲକେ ପୁରସ୍କାରରେ ମଧ୍ୟ ସମ୍ମାନିତ କରାଯିବ।
ଏହି ପୁରସ୍କାରରେ ସମାରୋହରେ ‘ଯବାନ’ ପାଇଁ ଶାହାରୁଖ ଏବଂ ‘୧୨ ଫେଲ୍’ ପାଇଁ ବିକ୍ରମ ମାସେଙ୍କୁ ଶ୍ରେଷ୍ଠ ଅଭିନେତା ଭାବରେ ପୁରସ୍କାର ପ୍ରଦାନ କରାଯିବ। ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ରାଣୀ ମୁଖାର୍ଜୀଙ୍କୁ ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ ପାଇଁ ପ୍ରଦାନ କରାଯିବ। ସେହିପରି ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ‘୧୨ ଫେଲ୍’ କୁ ଦିଆଯିବା ସହିତ ‘ଦି କେରଳ ଷ୍ଟୋରୀ’ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶନା ପୁରସ୍କାର ସୁଦୀପ୍ତୋ ସେନଙ୍କୁ ଦିଆଯିବ।
ଏହା ବ୍ୟତୀତ ଅନ୍ୟାନ୍ୟ ବର୍ଗରେ ମଧ୍ୟ ପୁରସ୍କାର ପ୍ରଦାନ କରାଯିବ। ସବୁଥର ପରି, ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜ୍ଞାନ ଭବନରେ ଅନୁଷ୍ଠିତ ହେବ, କିନ୍ତୁ ଏଥର ପୁରସ୍କାର ଅପରାହ୍ନ ୪ଟାରେ ପ୍ରଦାନ କରାଯିବ। ଦାଦାସାହେବ ଫାଲକେ ପୁରସ୍କାର ମାଲାୟଲମ ଫିଲ୍ମ ସୁପରଷ୍ଟାର ମୋହନଲାଲଙ୍କୁ ପ୍ରଦାନ କରାଯିବ। ତେବେ କୋଭିଡ-୧୯ ମହାମାରୀ ଯୋଗୁଁ, ଜାତୀୟ ଫିଲ୍ମ ପୁରସ୍କାର ଦୁଇ ବର୍ଷ ବିଳମ୍ବରେ ପ୍ରଦାନ କରାଯାଉଛି।