ରାୟପୁର/ ମାଲକାନଗିରି ୩୦/୧୦: ଛତିଶଗଡ଼ରେ  ସୁରକ୍ଷା ବଳଙ୍କୁ ବଡ଼ ସଫଳତା ମିଳିଛି ।  ରାଜ୍ୟରେ ବୁଧବାର ୭୨ ଜଣ ମାଓବାଦୀ  ଆତ୍ମସମର୍ପଣ କରିଛନ୍ତି । ବିଜାପୁର ଜିଲ୍ଲାରେ  ୫୧ ଜଣ ପୁଲିସ ନିକଟରେ ଆତ୍ମସମର୍ପଣ  କରିଛନ୍ତି । ଏମାନଙ୍କ ମଧ୍ୟରେ ୯ ମହିଳା ଓ  ୪୨ ପୁରୁଷ ଅନ୍ତର୍ଭୁକ୍ତ । ୨୦ ଜଣଙ୍କ ଉପରେ  ମୋଟ ୬୬ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା  ହୋଇଥିଲା । ସେହିଭଳି ବସ୍ତର ଡିଭିଜନର  କାଙ୍କେର ଜିଲ୍ଲାରେ ୨୧ ଜଣ ଅସ୍ତ୍ର ଛାଡ଼ିବା ସହ  ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ବିଜାପୁରରେ ଅଧିକାରୀମାନେ କହିଛନ୍ତିରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବ୍ୟାପକ  ମାଓଦମନ ନୀତି ଏବଂ ଶାନ୍ତି, ଆଲୋଚନା ଓ  ବିକାଶ କେନ୍ଦ୍ରିତ ଉଦ୍ୟମ ଯୋଗୁ ଜିଲ୍ଲାରେ ୫୧  ମାଓବାଦୀ ହିଂସା ରାସ୍ତା ଛାଡ଼ି ସମାଜର ମୁଖ୍ୟ  ଧାରାକୁ ଫେରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା  ଏମାନଙ୍କୁ ପୁନର୍ବାସ ପ୍ରୋତ୍ସାହନ ଭାବେ ୫୦  ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ  ମଧ୍ୟରେ ପିପୁଲ୍ସ ଲିବରେସନ ଗରିଲା ଆର୍ମି  (ପିଏଲ୍‌ଜିଏ) ବାଟାଲିୟନ୍‌ ନମ୍ବର ୧ ଓ  କମ୍ପାନି ନମ୍ବର ୧, ୨ ଏବଂ ୫ର ୫ ଜଣ  ସଦସ୍ୟ, ଜଣେ ଏରିଆ କମିଟି ସଦସ୍ୟ, ୭  ଜଣ ପ୍ଲାଟୁନ୍‌ ସଦସ୍ୟ, ଏଲ୍‌ଓଏସ୍‌ କମିଟିର  ୩ ଜଣ, ଜଣେ ମିଲିସିଆ ପ୍ଲାଟୁନ୍‌ କମାଣ୍ଡର୧୪ ମିଲିସିଆ ପ୍ଲାଟୁନ୍‌ ସଦସ୍ୟ ଏବଂ ୨୦  ସାଧାରଣ ସଦସ୍ୟ ରହିଛନ୍ତି । ମାଓବାଦୀମାନେ  ହିଂସା ଓ ଜନବିରୋଧୀ ବିଚାରଧାରାକୁ ତ୍ୟାଗ  କରି ଶାନ୍ତି ଓ ପ୍ରଗତିର ରାସ୍ତା ବାଛିଛନ୍ତି ।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ  ମଧ୍ୟରେ ବୁଦ୍ଧରାମ ପୋଟାମ ଓରଫ ରଞ୍ଜିତ  (୨୫), ମନକୀ କୋୱାସୀ (୨୪), ହୁଙ୍ଗୀ ସୋଢ଼ି  (୨୭), ରବୀନ୍ଦ୍ର ପୁନେମ ଓରଫ ଆୟତୁ (୨୫)  ଏବଂ ପିଏଲ୍‌ଜିଏ ସଦସ୍ୟା ଦେବେ କଟରାମ  (୨୫)ଙ୍କ ଭଳି ଦୁର୍ଦ୍ଦାନ୍ତ ସଦସ୍ୟ ରହିଛନ୍ତି ।  ଏମାନଙ୍କ ଉପରେ ୮ ଲକ୍ଷ ଟଙ୍କା ଲେଖାଏଁ  ପୁରସ୍କାର ରହିଥିଲା । ଅସ୍ତ୍ର ଛାଡ଼ିଥିବା ଅନ୍ୟ ଜଣେ  ମାଓବାଦୀ ମଙ୍ଗୁ ଓୟାମ୍‌ ଓରଫ ଲାଲୁ (୨୭)ଙ୍କ  ମୁଣ୍ଡରେ ୫ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା ।  ଏହାବ୍ୟତୀତ ୭ ଜଣଙ୍କ ଉପରେ ୨ ଲକ୍ଷ  ଟଙ୍କା ଲେଖାଏଁ ଓ ଅନ୍ୟମାନଙ୍କ ଉପରେ ଲକ୍ଷେ  ଟଙ୍କା ଲେଖାଏଁ ପୁରସ୍କାର ରହିଥିଲା । ଏ ବର୍ଷ  ବିଜାପୁରରେ ୪୬୧ ମାଓବାଦୀ ମୁଖ୍ୟଧାରାକୁ  ଫେରିସାରିଲେଣି । ଯେବେ କି ସୁରକ୍ଷା ବଳଙ୍କ  କାର୍ଯ୍ୟାନୁଷ୍ଠାନରେ ୧୩୮ ଜଣ ନିପାତ ହୋଇଛନ୍ତି  ଏବଂ ୪୮୫ ଜଣଙ୍କୁ ଗିରଫ କରାଯାଇଛି ।  ୨୦୨୪ରୁ ଏ ପର୍ଯ୍ୟନ୍ତ ଜିଲ୍ଲାରେ ୬୫୦ ଜଣ  ଆତ୍ମସମର୍ପଣ କରିଥିବା ବେଳେ ୧୯୬ ନିପାତ  ହୋଇଛନ୍ତି । ୯୮୬ ଜଣଙ୍କୁ ଗିରଫ କରାଯାଇଛି ।