ବୌଦ୍ଧ,୧୮/୧୦(ଆପ୍ର); ପୁଲିସ ଅଧିକାରୀଙ୍କୁ ମାଡ ମାରିବା ଅଭିଯୋଗରେ ବୌଦ୍ଧ ପୁଲିସ ୮ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତମାନେ ହେଲେ କାଲେଶ୍ୱରର ଚନ୍ଦନ ନାଏକ ( ୨୫), ପଲାସର ତ୍ରିଜିତ କୁମାର ନାଏକ ( ୨୪) , ବୌଦ୍ଧ ମୁସଲିମ ସାହିର ସାହିଲ ବେଜ ( ୨୦) , ବୌଦ୍ଧ ଖଦାଳ ସାହିର ଦିପକ ମିଶ୍ର ( ୨୦) ,ବୌଦ୍ଧ ବ୍ରିଜ ଛକର ରଂଜନ ମେହେର (୨୧), ବୌଦ୍ଧ ଖଲିଆବଗିଚାର ଶବ୍ୟ ସଚି ସେଠି ( ୧୯) ବୌଦ୍ଧ ଖଦାଳସାହିର ରାଜିବର ନାଏକ ( ୨୧) ଓ ବୌଦ୍ଧ ବାବୁସାହିର ଶ୍ରବଣ ସାମନ୍ତ(୨୧) ।
ବୌଦ୍ଧ ଏସପି କାର୍ଯ୍ୟାଳୟରେ ଡିଭିଏଫ ଇନଚାର୍ଜ ଭାବରେ କାର୍ଯ୍ୟରତ ସବଇନସପେକ୍ଟର ସିଦ୍ଧେଶ୍ୱର ଖାଡିଆ ଗତ ୧୭ ତାରିଖ ଡ୍ୟୁଟି ସାରି ରାତିରେ ଘରକୁ ଫେରୁଥିଲେ। ଏହି ସମୟରେ ବୌଦ୍ଧ ସହରର ମର୍ଜାକୁଦ ବିଜ୍ର ଛକଠାରେ ୭ ରୁ ୮ ଜଣ ଯୁବକ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ଅତର୍କିତ ଭାବରେ ତାଙ୍କୁ ଆକ୍ରମଣ କରିଥିଲେ । ଶ୍ରୀଖାଡିଆଙ୍କୁ ଯୁବକମାନେ ମାଡ ମାରି କ୍ଷତ ବିକ୍ଷତ କରିବା ସହିତ ତାଙ୍କଠାରୁ ମୋବାଇଲ ଓ ୨ ହଜାର ଟଙ୍କା ଛଡାଇ ନେଇଥିଲେ । ଏଥିସହିତ ଯୁବକଙ୍କ ମାଡରେ ଗୁରୁତର ଆହତ ହୋଇଥିବା ସବଇନସପେକ୍ଟର ଖାଡିଆଙ୍କୁ ମହାନଦୀ ବ୍ରିଜ ଉପରୁ ତଳକୁ ପକାଇ ମାରିବାକୁ ଉଦ୍ୟମ କରୁଥିବାବେଳେ ସେ ବୌଦ୍ଧ ଏସପି ଅଫିସରେ କାମ କରୁଥିବା କହିବା ପରେ ଯୁବକମାନେ ତାଙ୍କୁ ସେଠାରେ ଛାଡି ଫେରାର ହୋଇଯାଇଥିଲେ । ଏନେଇ ଶ୍ରୀ ଖାଡିଆ ବୌଦ୍ଧ ଥାନାରେ ଅଭିଯୋଗ କରିବା ପରେ ବୌଦ୍ଧ ପୁଲିସ ଏକ ମାମଲା ରୁଜୁ କରି ଘଟଣାକୁ ଗମ୍ଭିରତାର ନେଇଥିଲା । ଏହି ଘଟଣାରେ ପୁଲିସ କାଲେଶ୍ୱରର ଚନ୍ଦନ ନାଏକ , ପଲାସର ତ୍ରିଜିତ କୁମାର ନାଏକ , ବୌଦ୍ଧ ମୁସଲିମ ସାହିର ସାହିଲ ବେଜ , ବୌଦ୍ଧ ଖଦାଳ ସାହିର ଦିପକ ମିଶ୍ର ,ବୌଦ୍ଧ ବ୍ରିଜ ଛକର ରଂଜନ ମେହେର , ବୌଦ୍ଧ ଖଲିଆବଗିଚାର ଶବ୍ୟ ସଚି ସେଠି, ବୌଦ୍ଧ ଖଦାଳସାହିର ରାଜିବର ନାଏକ ଓ ବୌଦ୍ଧ ବାବୁସାହିର ଶ୍ରବଣ ସାମନ୍ତ ଗିରଫ କରିଛି । ଏନେଇ ବୌଦ୍ଧ ଥାନା ଅଧିକାରୀ ନଳିନୀ କାନ୍ତ ଦାସଙ୍କୁ ପଚାରିବାରୁ ୮ ଜଣ ଯୁବକକୁ ଗିରଫ କରାଯାଇ ଶନିବାର କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଥିଲେ ।