ପାଟଣାଗଡ଼, ୧୧/୭ : ପାଟଣାଗଡ ଉପ ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ୮ କେଜି ଗଞ୍ଜେଇ ସହ ସେମାନେ ବ୍ୟବହୃତ କରୁଥିବା ବାଇକକୁ ଜବତ କରିଛି । ଏଥିସହ ୨ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଦ୍ଵୟ ହେଲେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲର ପପୁଲାଲ ବେହେରା ଓ ଉକ୍ତ ଜିଲ୍ଲା ଭଦ୍ରାର ଶରତ ମହାନନ୍ଦ ।
ପ୍ରକାଶ ଯେ, ପାଟଣାଗଡ଼ ଉପ ଅବକାରୀ ନିରୀକ୍ଷକ ରାଜ କୁମାର ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ପାଟଣାଗଡ ଧୁମାଭଟା ରାସ୍ତାରେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ବିଶ୍ଵସ୍ତ ସୁତ୍ରରୁ ଖବରପାଇ ଏକ ଲାଲ ରଙ୍ଗର ବାଇକକୁ ଘୁମପାଲି ଛକ ନିକଟରେ ଅଟକାଇଥିଲେ । ବାଇକ ପଛପଟେ ବସିଥିବା ଯୁବକ ଜଣଙ୍କ ମଝିରେ ଏକ ଜରି ବସ୍ତା ଧରିଥିଲେ । ଯାଞ୍ଚ ସମୟରେ ଜରି ବସ୍ତା ଭିତରେ ଗଞ୍ଜେଇ ଥିବା କର୍ମଚାରୀମାନେ ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରୁ ଗଞ୍ଜେଇ ଭର୍ତ୍ତି ଜରି ବସ୍ତା ଓ ବାଇକକୁ ଜବତ କରି ଅଭିଯୁକ୍ତ ଦ୍ଵୟକୁ ଗିରଫ କରି ପାଟଣାଗଡ଼ ଉପ ଅବକାରୀ କାର୍ଯ୍ୟାଳୟକୁ ନେଇକି ଆସିଥିଲେ । ସେମାନଙ୍କୁ ପଚରାଉଚରା ପରେ ତାଙ୍କ ନାମରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦ୍ଵୟକୁ କୋର୍ଟ ଚାଲାଣ କରିଥିଲେ । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ପପୁଲାଲ ଓ ଶରକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଅବକାରୀ ଉପ ନୀରିକ୍ଷକ ଶ୍ରୀ ବେହେରାଙ୍କଠାରୁ ଜଣାପଡ଼ିଛି ।