ନୂଆଦିଲ୍ଲୀ ୦୫/୦୩: ବ୍ରିଟେନ୍‌ର ରିଆଲିଟି ଶୋ’ ‘ବ୍ରିଟେନ୍‌ ଗଟ୍‌ ଟ୍ୟାଲେଣ୍ଟ’ର ଅଡିସନ୍‌ରେ ନିକଟରେ ଜଣେ ୮ ବର୍ଷୀୟ ଭାରତୀୟ ଝିଅ ନିଜର ଦମ୍‌ଦାର ନୃତ୍ୟ ପ୍ରଦର୍ଶନ ବଳରେ ସମସ୍ତଙ୍କର ହୃଦୟ ଜିଣିନେଇଛନ୍ତି । ସେ ହେଲେ ଆସାମର ବୀନିତା ଛେତ୍ରୀ । ତାଙ୍କର ତ୍ରୁଟିଶୂନ୍ୟ ବ୍ୟାକ୍‌ଫ୍ଲିପ୍‌କୁ ଦେଖିବା ପରେ ଉଭୟ ବିଚାରପତି ଓ ଦର୍ଶକମାନେ ଛିଡ଼ା ହୋଇ ତାଳି ମାରି ତାଙ୍କୁ ଉତ୍ସାହିତ କରିଥିଲେ । ବୀନିତାଙ୍କ ସେହି ନୃତ୍ୟ ପ୍ରଦର୍ଶନର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । 

ଭିଡିଓରେ ଦେଖିବାକୁ ମିଳୁଛି ଯେ, ପ୍ରଥମେ ବୀନିତା ବିଚାରପତିମାନଙ୍କୁ ତାଙ୍କର ପରିଚୟ ଦେଉଛନ୍ତି । ‘ବ୍ରିଟେନ୍‌ ଗଟ୍‌ ଟ୍ୟାଲେଣ୍ଟ’ ତାଙ୍କର ସ୍ୱପ୍ନର ମଞ୍ଚ ହୋଇଥିବାବେଳେ ଏହି ପ୍ରତିଯୋଗିତାରେ ଜିତିଲେ ଏକ ଘର କିଣିବାକୁ ଲକ୍ଷ୍ୟ ଥିବା କହୁଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବୀନିତାଙ୍କର ସେହି ଭିଡିଓକୁ ସୋସିଆଲ୍‌ ମିଡିଆ ଆକାଉଣ୍ଟ ଏକ୍ସରେ ସେୟାର କରି ଆସାମରୁ ୟୁକେ ଯାଏ ତାଙ୍କର ଏହି ଯାତ୍ରାକୁ ପ୍ରଶଂସା କରିଛନ୍ତି । ଘର କିଣିବା ଲାଗି ତାଙ୍କର ସ୍ୱପ୍ନ ପୂରଣ ହେବାକୁ ଶୁଭକାମନା ଜଣାଇଛନ୍ତି । ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ସେହି ଭିଡିଓକୁ ସେୟାର କରିଛନ୍ତି ।