ବାରିପଦା, ୨୩।୩: ବାଘଛାଲ କାରବାର ଉପରେ ପୋଲିସର ଚଢ଼ାଉ । ୯ ଶିକାରୀ ଗିରଫ ହେବା ସହ ଫେରାର ଥିବା ମୁଖ୍ୟ ଶିକାରୀକୁ ଧରିବାକୁ ଜାଲ ବିଛାଇଲା ବନ ବିଭାଗ । ବାରିପଦା ବନଖଣ୍ଡ ଅଞ୍ଚଳରେ କଳବାଘ ବା ମିଲେନିଷ୍ଟିକ ଟାଇଗର ଚମଡ଼ା ଧରାପଡ଼ିବା ଘଟଣାରେ ଗିରଫ ସଂଖ୍ୟା ୨ରୁ ବଢ଼ି ୯ରେ ପହଞ୍ଚିଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୁଳିଅଣା ଅଞ୍ଚଳରେ ଚଢ଼ାଉ କରି ବନବିଭାଗର ସ୍ଵତନ୍ତ୍ର ଦଳ ବାଘଚମଡା ଡିଲ୍ ବେଳେ ୨ଜଣଙ୍କୁ ମାଡ଼ି ବସିଥିଲା । ଚମଡ଼ା ଜବତ ହେବା ପରେ ଶିକାର ବାଘର ବୟସ ପ୍ରାୟ ୩ ବର୍ଷ ବୋଲି ଅନୁମାନ କରାଯାଇଥିଲା l ପଚରାଉଚୁରା ବେଳେ ଗତ ମାସେ ଆଗରୁ ଉଦଳା ରେଞ୍ଜ ଅଞ୍ଚଳରେ ସେହି କଳା ବାଘର ଶିକାର ହୋଇଥିବା ସୂଚନା ପାଇଥିଲା ବନବିଭାଗ ।
ଏହା ବି ପଢ଼ନ୍ତୁ... ସେକ୍ସ ରାକେଟ୍ ରୋକିବାକୁ ପୁଲିସ ସ୍କାନରରେ OYO ରୁମ୍, ନିୟମିତ ଚାଲିଛି ରେଡ୍
ତେବେ ଗତକାଲି ରବିବାର ରାତି ତମାମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆଉ ୭ ଜଣଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ମୁଖ୍ୟ ଆସାମୀ ବା ଶିକାରୀ ଏପର୍ଯ୍ୟନ୍ତ ଧରାପଡ଼ିନାହିଁ । ଧରା ପଡ଼ିଥିବା ୯ ଜଣଙ୍କ ମଧ୍ୟରେ ୩ ଜଣ ସହଯୋଗୀ ଶିକାରୀ ଥିବାବେଳେ ୬ ଜଣ ଚମଡ଼ା ବେପାରୀ ଅଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ । ତେବେ ଏଯାଏଁ ମୁଖ୍ୟ ଶିକାରୀ ଧରା ପଡ଼ିଥିବାରୁ ବନବିଭାଗର ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ସହିତ ଛାନଭିନ ଜାରି ରହିଛି । ଆଗକୁ ଗିରଫ ସଂଖ୍ୟା ଆହୁରି ଅଧିକ ହେବ ବୋଲି ବାରିପଦା ବନଖଣ୍ଡ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି l