ବେଙ୍ଗାଲୁରୁ,୧୩/୦୯: ଶୋଭାଯାତ୍ରା ହେଲା ଶେଷଯାତ୍ରା । ଭଗବାନଙ୍କୁ ବିଦାୟ ଦେଉଥିଲେ ଦୁନିଆରୁ ବିଦାୟ ନେଇଗଲେ । କର୍ଣ୍ଣାଟକ ହସନ ଜିଲ୍ଲା ଏନ୍ଏଚ୍-୩୭୩ରେ ବଡ଼ ଅଘଟଣ ଘଟିଛି । ଗଣେଷ ଭସାଣି ବେଳେ ଲୋକଙ୍କ ଉପରେ ମାଡ଼ିଗଲା ଟ୍ରକ୍ । ଏଥିରେ ପ୍ରାୟ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଗୁରୁତର ଆହତ ହୋଇଛନ୍ତି । ସଙ୍କଟାପନ୍ନ ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ ୬ ଜଣ ଗାଁ ଲୋକ ହୋଇଥିବା ବେଳେ ୩ ଜଣ ଇଞ୍ଜିନିୟରିଂ ଛାତ୍ର ଥିବା ଜଣାପଡିଛି ।
ଗତକାଲି (ଶୁକ୍ରବାର) ରାତି ପ୍ରାୟ ୮ଟାରୁ ୮ଟା ୪୫ ମିନିଟ୍ ମଧ୍ୟରେ ଦୁର୍ଘଟଣା ଘଟିଛି । କର୍ଣ୍ଣାଟକ ହସନ ଜିଲ୍ଲା ଏନ୍ଏଚ୍-୩୭୩ରେ ଗଣେଷ ଭସାଣି ଚାଲିଥିଲା । ସମସ୍ତେ ନାଚ-ଗୀତରେ ହଜିଯାଇଥିଲେ । ଭଗବାନଙ୍କୁ ବିଦାୟ ଦେଉଥିଲେ । କେହି କଳ୍ପନା ବି କରିନଥିଲେ ଏତେ ବଡ଼ ଦୁର୍ଘଟଣା ଘଟିଯିବ ବୋଲି । ନିୟନ୍ତ୍ରଣ ହରାଇ ଏକ ଟ୍ରକ ଭସାଣି ଭିଡ ଭିତରେ ମାଡିଗଲା । ଆଖି ପିଛୁଳାକେ ଲୋକଙ୍କ ଉପର ଚଢିଗଲା । ଏଥିରେ ୯ଜଣଙ୍କର ମୃତ୍ୟୁ ହୋଇଛି । ୨୨ରୁ ଅଧିକ ଶ୍ରଦ୍ଧାଳୁଙ୍କ ଅବସ୍ଥା ସଂକଟାପନ୍ନ ରହିଛି ।
ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା । ସେ କହିଛନ୍ତି,''ଏହା ଅତ୍ୟନ୍ତ ଦୁଃଖଦ । ପୀଡ଼ିତଙ୍କ ପରିବର ସହିତ ଆମେ ଅଛୁ । ଦୁର୍ଘଟଣା ଆଖି ବୁଜିଥିବା ସମସ୍ତ ଆତ୍ମାଙ୍କ ସଦଗତି କାମନା କୁରଛି ।'' ପୀଡିତଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ହସ୍ପିଟାଲରେ ସେମାନଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । ଏହା ସହିତ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ମଧ୍ୟ ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ଅଘଟଣକୁ ଦୁର୍ଭାଗ୍ୟଜନକ ଦୁର୍ଘଟଣା ବୋଲି କହିଛନ୍ତି । ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ପୁଲିସ ତାର ତଦନ୍ତ କରୁଥିବା କହିଛି ।
ହସନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।