​​​​​​​ରାୟଗଡା,୨।୯(ଆପ୍ର) -ଜଣେ ବ୍ୟବସାୟୀଙ୍କ ଠାରୁ ଜୋର ଜୋବରଦସ୍ତି ପୁଲିସର ଭୟ ଦେଖାଇ ୯ ଲକ୍ଷ ଟଙ୍କା ଲୁଟ। ସୋମବାର ରାତିରେ ଏହି ଘଟଣା ଘଟିଥିଲା ।ଘଟଣାରେ ୩ ଜଣ ହୋମଗାର୍ଡଙ୍କ ସମତେ ୭ ଜଣଙ୍କୁ ଗିରଫ କରିଛି ରାୟଗଡା ପୁଲିସ। ଲୁଟ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ବିଷମକଟକ ଥାନାର ହୋମଗାର୍ଡ ଇନ୍ଦ୍ରମଣି କରକରିଆ, କଲ୍ୟାଣସିଂହପର ଥାନାର ତାମନା ପ୍ରାସ୍କା ଓ ଦିଲୀପ ଗରଡିଆ। ଅନ୍ୟ ଅଭିଯୁକ୍ତ ମାନେ ହେଲେ ହୀରା ନାୟକ ଗରଡିଆ, ସିମାଞ୍ଚଳ ମାଝି, ରାଧୀକା ହାଲୱା ଓରଫ ସୁନୀତା ଓ ମୁକେଶ ନାଗ । ରାୟଗଡା ପୁଲିସ ସେମାନଙ୍କ ପାଖରୁ ନଗଦ ୨ ଲକ୍ଷ ୮୩ ହଜାର ଟଙ୍କା, ଗୋଟିଏ ବୋଲେରୋ ଗାଡି, ବାଇକ୍,୬ଟି ମ‌ୋବାଇଲ ଜବତ କରିଛି। ଏହି ଲୁଟ ଘଟଣାରେ ୯ ଜଣ ସଂପୃକ୍ତ ଥିବା  ରାୟଗଡା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ଅମୂଲ୍ୟ କୁମାର ଧର ସୂଚନା ଦେଇଛନ୍ତି

ସୋମବାର ରାତିରେ ଗଜପତି ଜିଲ୍ଲା ଗାରାବନ୍ଧର ଟି. ଉମା ରେଡି ଓ ତାଙ୍କର ଦୁଇ ବନ୍ଧୁ ଡ୍ରାଇଭର ସହ ଜୟପୁର ରୁ ରାୟଗଡା ଆସୁଥିଲେ। ରାସ୍ତାରେ ରାୟଗଡା ଜିଲ୍ଲା ରୁପକଣା ଛକରେ ରାଧିକା ହାଲୱା ଓରଫ ସୁନୀତା ତାଙ୍କୁ ଶ୍ରମିକ ଯୋଗାଇବା ନାମରେ ତାଙ୍କ ସହ କଥାବର୍ତ୍ତା ହୋଇଥିଲା। ସେହି ସମୟରେ ୭ ଜଣ ଗୋଟିଏ ବୋଲେରୋ ଗାଡିରେ ଆସିଥିଲେ । ପୁଲିସ ପୋଷାକରେ ଥିବା କିଛି ବ୍ୟକ୍ତି ଓ ଅନ୍ୟମାନେ ବ୍ୟବସାୟୀଙ୍କୁ କାହିଁକି ଏଠାକୁ ଆସିଛ, ତୁମ ଆସିବା ଉଦ୍ଦେଶ୍ୟ କଣ ବୋଲି କହି ଚାଲ ଏସପି ଙ୍କୁ ଭେଟିବ ବୋଲି କହିଥିଲେ । ସୁନୀତା ବ୍ୟବସାୟୀ ଉମା ରେଡିଙ୍କୁ ଅଭିଯୁକ୍ତ ଆଣିଥିବା ବୋଲେରୋ ଭିତରେ ବସାଇଥିଲେ। କିଛି ବାଟ ପରେ ସୁନୀତାଙ୍କୁ ଗାଡିରୁ ଓହ୍ଲାଇ ଦେଇଥିଲେ । ଅନ୍ୟମାନେ ବ୍ୟବସାୟି ଉମା ରେଡିଙ୍କ ପାଖରେ ଥିବା ୯ ଲକ୍ଷ ଟଙ୍କା ନେଇ ପୁଲିସର ଭୟ ଦେଖାଇଥିଲେ। ପରେ ବ୍ୟବସାୟୀ ଉମାଙ୍କୁ ମାରପିଟ କରିବା ସହ କିଛି ବାଟ ଆଗକୁ ଯାଇ ରାସ୍ତାରେ ଓହ୍ଲାଇ ଦେଇଥିଲେ । ଏହି ଘଟଣା ପରେ ବ୍ୟବସାୟୀ ଉମା ରେଡି ୯ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ରାୟଗଡା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ରାୟଗଡା ପୁଲିସ ଘଟଣାର ତଦନ୍ତ କରି ୭ ଜଣଙ୍କୁ ଗିରଫ କରିଥିଲା । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଗୌରହରି ସାହୁ ଓ ଆଇଆଇସି ପ୍ରସନ୍ନ ବେହେରା ଉପସ୍ଥିତ ଥିଲେ।