ଯାଜପୁର,୨୨\୭ : ଚମ ଧୁଡୁଧୁଡୁ ହେଲାଣି । ଆଖି ଭିତରକୁ ପଶିଗଲାଣି । ବୟସ ବି ୯୫ ଛୁଇଁଲାଣି । ହେଲେ ଏ ବୟସରେ ନା ଥକିଛି ମନ ନା ଥକିଛି ପାଦ । ପେଟର ଭୋକ ଓ ଆତ୍ମସମ୍ମାନର ଲଢ଼େଇରେ ସେ ଆଜି ବି ବିଜେତା । କାନ୍ଧରେ ଭାର ବୋହି ପ୍ରତିଦିନ ପ୍ରାୟ ୧୦ କିଲୋମିଟର ରାସ୍ତା ଚାଲି ବଜାରକୁ ଯିବା ଆସିବା କରିଥାନ୍ତି । ବଜାରରେ ପରିବା ବିକ୍ରି କରି ଯାହା ଦୁଇ ପଇସା ରୋଜଗାର କରନ୍ତି ତାକୁ ନେଇ ସେ ଘରକୁ ଫେରି ଆସନ୍ତି । ଯାଜପୁର ବ୍ଲକ ଜାଫରପୁର ପଞ୍ଚାୟତ ସାନିତ୍ରିଲୋଚନପୁର ଗ୍ରାମର ବାବାଜି ନାୟକ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣା। 

ବାବାଜି ପ୍ରତିଦିନ ସାନତ୍ରିଲୋଚନପୁର ଗ୍ରାମରୁ ମାନସାପୋଲ ପର୍ଯ୍ୟନ୍ତ ଚାଲି ଚାଲି କାନ୍ଧରେ ପରିବା ଭାର ବୋହି ଆସିଥାନ୍ତି । ଭାରର ଦୁଇ ପାଶ୍ୱର୍ରେ ଦୁଇଟି ପାଛିଆରେ ଭରପୂର ଥାଏ ପରିବା । କାନ୍ଧରେ ଭାର ବୋହି ସେ ଧୀରେ ଧୀରେ ରାସ୍ତା ଅତିକ୍ରମ କରନ୍ତି । ପ୍ରତି ପାଦରେ ଥାଏ କଷ୍ଟ, ତଥାପି ମୁହଁରେ ନଥାଏ ଅଭିଯୋଗ । ପରିଶ୍ରମ କରି ଖାଇବାର ଜିଦ୍ ଆଗରେ ତାଙ୍କ ବୟସ ସତେ ଯେମିତି ହାର୍ ମାନିଛି । ବାବାଜି ନିଜ ବାଡ଼ିରେ ବିଭିନ୍ନ ପ୍ରକାର ପନିପରିବା, ଶାଗ ଆଦି ଚାଷ କରିଛନ୍ତି । ସେଥିରୁ ଅମଳ ହେଉଥିବା ପରିବାରକୁ ସେ ଦୈନିକ ବଜାରକୁ ବିକ୍ରି କରିବାକୁ ଆସିଥାନ୍ତି । 

ବଜାରକୁ ଆସୁଥିବା ଅନେକ ଲୋକ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି । କେହି କେହି ସହାନୁଭୂତିରେ ତାଙ୍କଠାରୁ ପରିବା କିଣିଥାନ୍ତି, ଆଉ କେହି ତାଙ୍କ ଦୃଢ଼ ଇଚ୍ଛାଶକ୍ତିକୁ ସମ୍ମାନ ଜଣାନ୍ତି । ବାବାଜିଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି । ସମସ୍ତେ ବାହା ହୋଇ ସଂସାର କରୁଛନ୍ତି । ପୁଅମାନେ ବି ବାପାଙ୍କୁ ବଜାରକୁ ପରିବା ନେଇ ଯିବାକୁ ମନା କରିଥାନ୍ତି । କିନ୍ତୁ ତାଙ୍କୁ ଏହି କାମ ଆନନ୍ଦ ଦେଇଥାଏ । ସେ କେବେ ଘରେ ବସି ରହିବାକୁ ପସନ୍ଦ କରନ୍ତି ନାହିଁ । ଜୀବନର ଅନେକ ଝଡ଼ଝଞ୍ଜା ଦେଖିଥିବା ବାବାଜି ସଂଘର୍ଷ ହିଁ ଜୀବନର ଅନ୍ୟ ନାମ ବୋଲି କହନ୍ତି । ବୟସ ବଢ଼ିପାରେ, ଶରୀର ଦୁର୍ବଳ ହୋଇପାରେ କିନ୍ତୁ ମନୋବଳ ଦୃଢ଼ ଥିଲେ ଜୀବନର ଯୁଦ୍ଧ ଜାରି ରହେ । ଏହି ନିରବ ସଂଘର୍ଷର କାହାଣୀ କେବଳ ଜଣେ ବୃଦ୍ଧଙ୍କ କଥା ନୁହେଁ ବରଂ ହଜାର ହଜାର ଅବହେଳିତ ପରିଶ୍ରମୀ ମଣିଷଙ୍କ ପ୍ରତିଛବି । ସେମାନଙ୍କ ଆଖିରେ ସ୍ୱପ୍ନ କମ୍ କିନ୍ତୁ ବଞ୍ଚିବାର ଇଚ୍ଛା ଅସୀମ । ସେହି ଇଚ୍ଛାଶକ୍ତି ହିଁ ପ୍ରତିଦିନ ସେମାନଙ୍କୁ ନୂଆ ସକାଳର ସ୍ୱାଗତ କରିବାକୁ ପ୍ରେରଣା ଦିଏ ।

ବୟସ ସିନା ବଢ଼ି ଯାଇଛି ହେଲେ ଏ ମନ ଆଜି ବି ଯୁବକ ହୋଇ ରହିଯାଇଛି । ତେଣୁ ମୋତେ ଘରେ ଜମାରୁ ରହିବାକୁ ଭଲ ଲାଗେ ନାହିଁ । ପ୍ରତିଦିନ ୧୦ କିମ ଯିବା ଆସିବା କରିବାକୁ ମୋର ଅଭ୍ୟାସ ଅଛି । ଏହି କାମ କରି ମତେ ବହୁତ ଖୁସି ଲାଗେ । ହାତଗୋଡ଼ ଚାଲୁଥିବା ପର୍ଯ୍ୟନ୍ତ ଏମିତି ବୁଲି ବୁଲି ପରିବା ବିକ୍ରି କରିବି ବୋଲି ବୃଦ୍ଧ ବାବାଜି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।