ନୂଆଦିଲ୍ଲୀ ୧୧/୦୮: ଆଜିକାଲି ଇଣ୍ଟରନେଟ୍ ମନୁଷ୍ୟ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି । ଇଣ୍ଟରନେଟ୍ ବିନା ଆଧୁନିକ ଜୀବନର କଳ୍ପନା ଏବେ କଷ୍ଟକର । ଅଜଣା ସ୍ଥାନରେ ରାସ୍ତା ଖୋଜିବା ହେଉ କିମ୍ବା କୌଣସି ନୂଆ ଜିନିଷ ସଂପର୍କରେ ଜାଣିବା କଥା ଉଠିଲେ ପ୍ରଥମେ ଇଣ୍ଟରନେଟ୍ର ସାହାଯ୍ୟ ନେବା କଥା ମନକୁ ଆସିଥାଏ । ତେବେ ବିଶ୍ୱରେ ଏଭଳି ଏକ ଦେଶ ରହିଛି ଯେଉଁଠାରେ ୯୯ ପ୍ରତିଶତ ଲୋକେ ଇଣ୍ଟରନେଟ୍ ବ୍ୟବହାର କରନ୍ତି ନାହିଁ । ସେହି ଦେଶ ହେଲା ଇରିଟ୍ରିଆ । ଏହା ଆଫ୍ରିକାର ପୂର୍ବ ଭାଗରେ ଲୋହିତ ସାଗର ନିକଟରେ ଅବସ୍ଥିତ ।
ଇରିଟ୍ରିଆକୁ ‘ଆଫ୍ରିକାର ନର୍ଥ କୋରିଆ’ ବି କୁହାଯାଏ । ଏକଚ୍ଛତ୍ରବାଦୀ ଶାସନ ଚାଲିଥିବା ଏହି ଦେଶର କ୍ଷେତ୍ରଫଳ ହେଉଛି ୧.୧୭ ଲକ୍ଷ ବର୍ଗ କିମି । ଏଠାକାର ମୋଟ ଜନସଂଖ୍ୟା ୩୫ ଲକ୍ଷ ପାଖାପାଖି ହେବ । ସେମାନଙ୍କ ମଧ୍ୟରୁ ମାତ୍ର ୧ ପ୍ରତିଶତ ଅର୍ଥାତ୍ ୩୫ ହଜାର ଲୋକ ବର୍ତ୍ତମାନ ସୁଦ୍ଧା ଇଣ୍ଟରନେଟ୍ ବ୍ୟବହାର କରିଛନ୍ତି । ତେବେ ସେମାନେ ଘରେ ବସି ଇଣ୍ଟରନେଟ୍ ଚଳାଇ ପାରନ୍ତି ନାହିଁ । ଇଣ୍ଟରନେଟ୍ ବ୍ୟବହାର କରିବାକୁ ଇରିଟ୍ରିଆର ସହରାଞ୍ଚଳରେ ହାତଗଣତି କିଛି କାଫେ ରହିଛି । ସେଠାରେ ୱାଇଫାଇ ଜରିଆରେ ହିଁ ଇଣ୍ଟରନେଟ୍ ବ୍ୟବହାର କରିହେବ । ଯାହାର ସ୍ପିଡ୍ ୨ଜିବିରୁ ବି କମ୍ ହୋଇଥାଏ । ଦେଶର ଆର୍ଥିକ ସ୍ଥିତି ଅତି ଦୁର୍ବଳ । କାଫେରେ ୧ ଘଣ୍ଟା ଇଣ୍ଟରନେଟ୍ ବ୍ୟବହାର କରିବା ଲାଗି ସେଠାରେ ଭାରତୀୟ ମୁଦ୍ରାରେ ପ୍ରାୟ ୧୦୦ ଟଙ୍କା ଦେବାକୁ ହୋଇଥାଏ । ଖାସ୍ ସେଥିଲାଗି ସେଠାରେ ଅଧିକାଂଶ ଲୋକେ ଇଣ୍ଟରନେଟ୍ ବ୍ୟବହାର କରିପାରନ୍ତି ନାହିଁ ।