ନୂଆଦିଲ୍ଲୀ ୦୮/୧୦: ଏକ ଛୋଟ ଗ୍ରହାଣୁ ପୃଥିବୀର ଅତି ନିକଟରୁ ଗତି କରିଛି । କିନ୍ତୁ ବୈଜ୍ଞାନିକମାନେ ବିଳମ୍ବରେ ଏ ବିଷୟରେ ଜାଣିପାରିଛନ୍ତି । ସ୍ପେସ୍ ଷ୍ଟେସନ୍ ତଳୁ ଗ୍ରହାଣୁଟି ଗତି କରିଛି । ଏହାର ନାଁ ୨୦୨୫ ଟିଏଫ୍ । ଏହା ଜିରାଫ୍ ଆକୃତିର (୩.୩ରୁ ୯.୮ ଫୁଟ ଚଉଡ଼ା) ଛୋଟ ପିଣ୍ଡ ଥିଲା । ମାତ୍ର ୪୨୮ କିମି ଉଚ୍ଚତାରେ ଗତି କଲା । କିନ୍ତୁ ଏହି ସମୟରେ କୌଣସି ମହାକାଶଯାନ ତା’ର ମାର୍ଗରେ ନ ଥିଲେ । ୟୁରୋପୀୟ ମହାକାଶ ଏଜେନ୍ସି ଏହି ତଥ୍ୟ ଜାରି କରିଛି ।
ୟୁରୋପୀୟ ମହାକାଶ ଏଜେନ୍ସି ଅନୁସାରେ, ଗ୍ରହାଣୁଟି ପୃଥିବୀ ପୃଷ୍ଠରୁ ଉପଗ୍ରହମାନଙ୍କର କକ୍ଷଠୁ ମଧ୍ୟ ନିକଟତର ଥିଲା । ବୈଜ୍ଞାନିକମାନେ କାଟାଲିନା ସ୍କାଇ ସର୍ଭେ ଟେଲିସ୍କୋପ୍ (ନାସା ପାଣ୍ଠି ପ୍ରଦତ୍ତ) ସାହାଯ୍ୟରେ ଏହାକୁ ଦେଖିଲେ । ଏହି ସର୍ଭେ ପୃଥିବୀ ନକଟକୁ ଆସୁଥିବା ପିଣ୍ଡଗୁଡ଼ିକୁ ଟ୍ରାକ୍ କରେ । ଗ୍ରହାଣୁଟି ବାୟୁମଣ୍ଡଳରେ ପ୍ରବେଶ କରିଥିଲେ, ଉଜ୍ଜ୍ୱଳ ଅଗ୍ନିପିଣ୍ଡୁଳା ହୋଇ ଜଳିଯାଇଥାନ୍ତା । ଛୋଟ ପିଣ୍ଡ ହୋଇଥିବାରୁ ପୃଥିବୀ ପ୍ରତି ଏହା ବିପଦପୂର୍ଣ୍ଣ ନ ଥିଲା । କିନ୍ତୁ ମହାକାଶ ଯାନ ପାଇଁ ସମସ୍ୟା ସୃଷ୍ଟି କରିଥାନ୍ତା ।
ନାସା ଓ ୟୁରୋପୀୟ ମହାକାଶ ଏଜେନ୍ସି ପୃଥିବୀ ନିକଟକୁ ଆସୁଥିବା ହଜାର ହଜାର ପିଣ୍ଡକୁ ଟ୍ରାକ୍ କରୁଛନ୍ତି । ବୈଜ୍ଞାନିକଙ୍କ ଅନୁସାରେ, ବିପଦପୂର୍ଣ୍ଣ ପିଣ୍ଡ ଅତିକମ୍ରେ ୧୪୦ ମିଟର ଚଉଡ଼ା ହେବା ଆବଶ୍ୟକ । ପୃଥିବୀଠୁ ୭୪.୮ ଲକ୍ଷ କିମି ଭିତରକୁ ଆସିବା ଉଚିତ୍ । ୨୦୨୫ ଟିଏଫ୍ ଏହାଠୁ ଖୁବ୍ ଛୋଟ ଥିବାରୁ ବୈଜ୍ଞାନିକଙ୍କ ନଜରକୁ ଆସିନଥିଲା । ୨୦୮୭ ମସିହାରେ ଏହା ପୁନଃ ପୃଥିବୀ ନିକଟରୁ ଅତିକ୍ରମ କରିବ । ବୈଜ୍ଞାନିକଙ୍କ ଅନୁସାରେ, ଛୋଟ ମହାକାଶ ପିଣ୍ଡ ମଧ୍ୟ ବିପଦପୂର୍ଣ୍ଣ ହୋଇପାରନ୍ତି ।