ନୂଆପଡ଼ା,୨୭/୧୦: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ  (ଏଆଇ)ର ବ୍ୟବହାର ମଣିଷ  ଜୀବନକୁ ବହୁମାତ୍ରାରେ ପ୍ରଭାବିତ କରୁଛି । ବୈଷୟିକ ଜ୍ଞାନ କୌଶଳଠୁ ଆରମ୍ଭ କରି ନିଯୁକ୍ତି, ରୋଜଗାର, କଳା  କାରିଗରୀ ସବୁ କ୍ଷେତ୍ରରେ ଏଆଇ ବ୍ୟବହାର ସାଧାରଣ ମଣିଷ ପାଇଁ  ନୂଆ ଆହ୍ୱାନ ସୃଷ୍ଟି କରିଛି । ଏଆଇ ପ୍ରଭାବରୁ ନୂଆପଡ଼ା ଉପନିର୍ବାଚନ  ବି ବାଦ ପଡ଼ିନି । ଭୋଟ ପୂର୍ବରୁ  ବିଭିନ୍ନ ରାଜନୈତିକ ଦଳର ଏଆଇ ଜେନେରେଟେଡ୍‌ ଫଟୋ ଓ ଭିଡ଼ିଓ  ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି । ପ୍ରାର୍ଥୀମାନେ କଳ ବଳ  କୌଶଳ ଲଗାଇ ନୂଆ ନୂଆ ସମୀକରଣ ତିଆରି କରୁଥିବା ବେଳେ ଏଆଇ  ଜେନେରେଟେଡ ଗୋଟିଏ ଫଟୋ କିମ୍ବା  ଭିଡିଓ ସବୁ ଖେଳ ବିଗାଡ଼ି ଦେଉଛି ।

ଏଆଇର କିଛି ଭିଡ଼ିଓ ନୂଆପଡ଼ା  ଜିଲ୍ଲାର ବିଭିନ୍ନ ସୋସିଆଲ ମିଡ଼ିଆ ଗ୍ରୁପରେ ଭାଇରାଲ ହେଉଛି । ଏକ ଭିଡିଓରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ  ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଓ ପ୍ରଦେଶ କଂଗ୍ରେସ  ସଭାପତି ଭକ୍ତଚରଣ ଦାସ ଦୌଡ଼  ପ୍ରତିଯୋଗିତାରେ ଭାଗ ନେଇଛନ୍ତି ।  ଏଥିରେ ସମସ୍ତେ ଚାମ୍ପିଅନ ହେବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ସମସ୍ତଙ୍କୁ  ପଛରେ ପକାଇ ନବୀନ ପଟ୍ଟନାୟକ  ବିଜୟୀ ହେଉଥିବା ଦେଖାଯାଉଛି । 

ସେହିପରି ଅନ୍ୟ ଏକ ଡିପ୍‌  ଫେକ୍‌ ଭିଡିଓରେ ଜଣେ ସାମ୍ବାଦିକ ହିନ୍ଦୀ ଭାଷାରେ ଜୟ ଢୋଲକିଆଙ୍କ  ସାକ୍ଷାତ୍‌କାର ନେଉଛନ୍ତି । ବିଜେପି  ସହିତ ଡିଲ ହୋଇଥିବା ପ୍ରଶ୍ନ  ପଚାରିବାରୁ ଜୟ ଉତକ୍ଷିପ୍ତ ହୋଇ  କିଛି କହୁଛନ୍ତି । କିନ୍ତୁ କଣ କହୁଛନ୍ତି  ତାହା ଶୁଣାଯାଉନାହିଁ, କାରଣ ସେଥିରେ ଭଏସ ଓଭର ଗୀତ ଦିଆଯାଇଛି । 

ଅନୁରୂପ ଭାବେ ବସନ୍ତ ଅଭିନନ୍ଦନ  ଓ ଜୟଙ୍କୁ ନେଇ ଏକାଧିକ ଏଆଇ ଫଟୋ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି ।  ଏଆଇ ଜେନେରେଟେଡ ଫଟୋ ଓ  ଭିଡିଓ ଦେଖିବା ପାଇଁ କୌତୂହଳପୂର୍ଣ୍ଣ  ଲାଗୁଥିଲେ ହେଁ ବାସ୍ତବ କ୍ଷେତ୍ରରେ ତାହା  ଉପହାସ କଲାଭଳି ହୋଇଥିବାରୁ  ଦଳୀୟ କର୍ମୀମାନେ ତାହାକୁ ଗ୍ରହଣ  କରିପାରୁ ନାହାନ୍ତି । ଏମିତି ବି ଜୟ  ଢୋଲକିଆଙ୍କ ମିଶ୍ରଣ ପରେ ଜିଲ୍ଲା  ବିଜେପିରେ ଅସନ୍ତୋଷ କୁହୁଳୁଥିଲା ।  ତାକୁ ପ୍ରଶମନ କରିବା ପାଇଁ ବିଜେପି  ଯେତେ ଉଦ୍ୟମ କରୁଛି ଏଆଇ ସେହି  ଘିଅରେ ଅଧିକ ନିଆଁ ଢାଳୁଛି ।

କିଛି ଫଟୋ ଏମିତି ଅଛି ଯେଉଠି  ବିଜେପି ପ୍ରାର୍ଥୀ ଜୟ ଛିଡ଼ା ହୋଇ  ହାତଯୋଡ଼ି ଜୁହାର କରୁଛନ୍ତି । ଜୟଙ୍କ  ପାଶ୍ୱର୍ରେ ବିଜେପି ପୂର୍ବତନ ରାଜ୍ୟ  ସଭାପତି ବସନ୍ତ ପଣ୍ଡା ଓ ଯୁବମୋର୍ଚ୍ଚା  ଜିଲ୍ଲା ସଭାପତି ଅଭିନନ୍ଦନ ପଣ୍ଡା ବାପ- ପୁଅ କୋଳାକୋଳି ହୋଇ କାନ୍ଦୁଛନ୍ତି ।  ଏହାରି ଉପରି ଭାଗରେ ପଣ୍ଡା ବାପା- ପୁଅଙ୍କୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ ବୋଲି  ଲେଖା ହୋଇଛି । ଅନ୍ୟ ଏକ ଫଟୋରେ  ଜୟ ପଦ୍ମଫୁଲ ଚିହ୍ନ ପତାକା ଓ  ବିଧାୟକ ପ୍ରାର୍ଥୀ ଟିକେଟ୍‌ ଧରି ହସୁଛନ୍ତି  ଓ ପାଖରେ ବାପା-ପୁଅ ବେଞ୍ଚରେ ବସି  କାନ୍ଦୁଛନ୍ତି । ହିନ୍ଦୀ ଚଳଚ୍ଚିତ୍ର ରାଜାବାବୁ’  ଶୈଳୀରେ ଆଉ ଏକ ଫଟୋ ପ୍ରସ୍ତୁତ  କରାଯାଇଛି । ଯେଉଁଥିରେ ଗୋବିନ୍ଦାଙ୍କ  ଭଳି ଜୟ ଢ଼ୋଲକିଆ ଆଗେ ଆଗେ ଚାଲୁଥିବା ବେଳେ ଶକ୍ତି କପୁର ଭଳି ଅଭିନନ୍ଦନ ତାଙ୍କ ପଛରେ  ଏକ ଛତା ଧରି ଚାଲୁଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ, ଦୀର୍ଘ ତିନି ଦଶନ୍ଧି ଧରି ନୂଆପଡ଼ା ଜିଲ୍ଲାରେ ବିଜେପିକୁ  ବସନ୍ତ ସଂଗଠିତ, ମଜବୁତ ଓ ସୁଦୃଢ କରି ଠିଆ କରାଇଛନ୍ତି । କିନ୍ତୁ ଏବେ  ଏଆଇରେ ତାଙ୍କୁ ଉପହାସ କଲାଭଳି ଫଟୋ ପ୍ରଦର୍ଶିତ ହେଉଛି । ଏହା କଷ୍ଟ  ଦେଉଥିବା ତାଙ୍କ ସମର୍ଥକମାନେ କହିଛନ୍ତି । କଂଗ୍ରେସ ମଧ୍ୟ ଏଥିରୁ ବାଦ  ପଡ଼ିନାହିଁ । ଘାସିରାମ ମାଝିଙ୍କ ନାଁରେ ଏଆଇ ଜରିଆରେ ବିଭିନ୍ନ ପୋଷ୍ଟର  ପ୍ରସ୍ତୁତ କରାଯାଇ ସୋସିଆଲ ମିଡିଆରେ ପ୍ରସାର କରାଯାଉଛି । 

ବିହାର ନିର୍ବାଚନରେ ଏଆଇ ଫଟୋ, ଭିଡିଓକୁ ନେଇ ଗଭୀର ଉଦ୍‌ବେଗ  ବ୍ୟକ୍ତ କରିଛନ୍ତି ନିର୍ବାଚନ କମିଶନ । ଡିପ୍‌ ଫେକ୍‌ ଭିଡିଓ ନିର୍ବାଚନ ସ୍ୱଚ୍ଛତାକୁ  ପ୍ରଭାବିତ କରିବ ବୋଲି ଆଶଙ୍କା ବ୍ୟକ୍ତ କରିବା ସହ କଠୋର ମାର୍ଗଦର୍ଶିକା  ଜାରି କରିଛନ୍ତି । ଏଆଇ ପ୍ରଚାର କିପରି କରାଯିବ ସେ ନେଇ ସ୍ପଷ୍ଟ କରିଛନ୍ତି ।  ନୂଆପଡ଼ା ଉପନିର୍ବାଚନରେ ଏଆଇ ଜେନେରେଟେଡ ଫଟୋ ଓ ଭିଡିଓର ବ୍ୟାପକ  ବ୍ୟବହାର ହେଉଥିବାବେଳେ ଏହା ଉପରେ ଅଙ୍କୁଶ ନାହିଁ । ଏହା ନିର୍ବାଚନକୁ  ପ୍ରଭାବିତ କରିବା ଆଶଙ୍କା ଦେଖା ଦେଇଥିବା ରାଜନୈତିକ ବିଶେଷଜ୍ଞମାନେ  କହିଛନ୍ତି ।

ଏ ସମ୍ପର୍କରେ ବରିଷ୍ଠ ଆଇନଜୀବୀ କୁମୁଦ ହୋତା କହିଛନ୍ତି³ ଏଆଇ  ଜେନେରେଟେଡ ଫେକ୍‌ ଭିଡିଓ ଏବଂ ଫଟୋ ଉପନିର୍ବାଚନକୁ ବହୁ ମାତ୍ରାରେ  କବଳିତ ଓ ପ୍ରଭାବିତ କରୁଛି। ଏହାର ନିରାକରଣ ପାଇଁ ଦଳୀୟ ପ୍ରାର୍ଥୀ, ନେତା  ଓ କାର୍ଯ୍ୟକର୍ତ୍ତାମାନେ ଖୋଲାଖୋଲି ଭାବେ ବିଭିନ୍ନ ସଭାସମିତିରେ ଲୋକଙ୍କୁ  ସେଗୁଡ଼ିକର ବିଶ୍ୱାସ ନ କରିବା ପାଇଁ ଆହ୍ୱାନ ଦେବାର ଆବଶ୍ୟକତା ରହିଛି ।  ଏଥି ସହିତ ନିର୍ବାଚନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ପ୍ରଶାସନିକ ଅଧିକାରୀମାନେ  ମଧ୍ୟ ଏନେଇ ସଚେତନ କରିବା ଉଚିତ । ସୋସିଆଲ ମିଡ଼ିଆର ତଥ୍ୟକୁ  ସଂପୂର୍ଣ୍ଣ ବିଶ୍ୱାସ କରିବା କଥା ନୁହେଁ । ଲୋକଙ୍କୁ ସଚେତନ କରିବା ଆମ  ସମସ୍ତଙ୍କ ଦାୟିତ୍ୱ ବୋଲି ଶ୍ରୀ ହୋତା କହିଛନ୍ତି ।