ନୂଆଦିଲ୍ଲୀ,୧୧/୯ :  ଭାରତୀୟ କ୍ରିକେଟ ଟିମ୍ ଏସିଆ କପ୍ ୨୦୨୫ରେ ନିଜ ଯାତ୍ରାର ଆରମ୍ଭ ଧମାକାଦାର ଅନ୍ଦାଜରେ ୟୁଏଇ ବିପକ୍ଷ ଜୋରଦାର ବିଜୟ ସହ କରିଛି । ଏହି ବିଜୟ ସହ ଭାରତ ଟି-୨୦ ଫର୍ମାଟରେ ଖେଳାଯାଉଥିବା ଏସିଆ କପର ସବୁଠାରୁ ବଡ଼ ବିଜୟ ନିଜ ନାଁ​‌ରେ କରିନେଇଛି । ୟୁଏଇ ଭାରତୀୟ ଟିମକୁ ବିଜୟ ଲାଗି ୫୮ରନର ଲକ୍ଷ୍ୟ ଦେଇଥିଲା । ଅଭିଷେକ ଶର୍ମା, ଶୁଭମନ ଗିଲ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ତୁଫାନୀ ବ୍ୟାଟିଂ ଫଳରେ ଭାରତୀୟ ଟିମ୍ ୪.୩ଓଭରରେ ୧ଓ୍ବିକେଟ ହରାଇ ୬୦ରନ୍ କରି ମ୍ୟାଚ ୯ଓ୍ବିକେଟରେ ଜିତି ନେଇଛି ।

ଏହି ମ୍ୟାଚରେ ଭାରତର ଓପନର ଅଭିଷେକ ଶର୍ମା ଇତିହାସ ରଚି ଦେଇଛନ୍ତି । ଅଭିଷେକ ଭାରତର ପାଳିରେ ପ୍ରଥମ ବଲରେ ଛକ୍କା ଲଗାଇବାର କମାଲ କରିଛନ୍ତି । ଅଭିଷେକ ଟି-୨୦ ଅନ୍ତର୍ଜାତୀୟରେ ଲକ୍ଷ୍ୟର ପିଛା କରି ପ୍ରଥମ ବଲରେ ଛକ୍କା ମାରିଥିବା ପ୍ରଥମ ଭାରତୀୟ ବ୍ୟାଟର ହୋଇଯାଇଛନ୍ତି । ତାଙ୍କ ପୂର୍ବରୁ କୌଣସି ବି ଭାରତୀୟ ଏହି କମାଲ୍ କରିପାରିନାହାନ୍ତି ।

ଏହାସହ ଅଭିଷେକ ଶର୍ମାଙ୍କ ଷ୍ଟ୍ରାଇକ ରେଟ ୫୦୦ + ଟି-୨୦ ରନ କରିଥିବା ବ୍ୟାଟରଙ୍କ ମଧ୍ୟରେ ସବୁଠାରୁ ଅଧିକ ଅଟେ । ଏବେ ପର୍ଯ୍ୟନ୍ତ ଅଭିଷେକ ୧୬ପାଳିରେ ପ୍ରାୟ ୫୩୫ରନ କରିଛନ୍ତି ଯେଉଁଥିରେ ତାଙ୍କର ଷ୍ଟ୍ରାଇକ ରେଟ୍ ୧୯୩.୮୪ ରହିଛି । ଅଭିଷେକ ଏବେ ପର୍ଯ୍ୟନ୍ତ ଦୁଇ ଶତକ ଏବଂ ଦୁଇ ଅର୍ଦ୍ଧଶତକ କରିବାରେ ସଫଳତା ହାସ କରି ନେଇଛନ୍ତି ।

ସେହିଭଳି ଅଭିଷେକ ଶର୍ମା ଟି-୨୦ରେ ପାଳିର ପ୍ରଥମ ବଲରେ ଛକ୍କା ଲଗାଇଥିବା ଚତୁର୍ଥ ଭାରତୀୟ ଅଟନ୍ତି । ତାଙ୍କ ପୂର୍ବରୁ ରୋହିତ ଶର୍ମା , ୟଶସ୍ବୀ ଜୟସଓ୍ବାଲ ଏବଂ ସଞ୍ଜୁ ସାମସନ ଏହି କୀର୍ତ୍ତି କରିସାରିଛନ୍ତି । କିନ୍ତୁ କୌଣସି ବି ବ୍ୟାଟର ଲକ୍ଷ୍ୟର ପିଛା କରିଥିବା କ୍ରମରେ ପାଳିର ପ୍ରଥମ ବଲରେ ଛକ୍କା ଲଗାଇନାହାନ୍ତି । ଅଭିଷେକ ଶର୍ମା ଏଭଳି ମହାରେକର୍ଡ଼ କରିବାରେ ଭାରତର ପ୍ରଥମ ବ୍ୟାଟର ହୋଇଯାଇଛନ୍ତି ।

ଜୁଲାଇ ୨୦୨୪ରେ ଟି-୨୦ରେ ଡେବ୍ୟୁ କରିଥିବା ଏହି ବାମ ହାତୀ ବ୍ୟାଟରଙ୍କ ନାଁରେ ଏହି ଫର୍ମାଟରେ କୌଣସି ବି  ଭାରତୀୟଙ୍କ ତରଫରୁ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋରର ରେକର୍ଡ଼ ବି ହୋଇଛି । ସେ ଏହି ବର୍ଷର ଆରମ୍ଭରେ ଓ୍ବାଙ୍ଖେଡ଼େ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ୧୩୫ରନ କରି ନିଜ ସହ ଶୁଭମନ ଗିଲଙ୍କ ପଛ ରେକର୍ଡ଼ ଭାଙ୍ଗିଥିଲେ ।