ଫିରିଙ୍ଗିଆ,୦୮/୧୧: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୁ ଇସିଂ ପଞ୍ଚାୟତ ଅଧୀନରେ ଥିବା କୁମେଲସିଂ ଗାଁରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପାଞ୍ଚଦିନ ଧରି ଚାଲୁ ରହିଥିବା ପ୍ରସିଦ୍ଧ ରାହାସ ଯାତ୍ରା ଉଦଯାପିତ ହୋଇଯାଇଛି I ଦୀର୍ଘ ଦଶ ବର୍ଷ ଧରି ଏହି ଗାଁରେ ରାହାସ ଯାତ୍ରା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଯାତ୍ରାଟି ମହା ସମାରୋହରେ ଅନୁଷ୍ଠିତ ହୋଇଥିଲା । ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ପାଞ୍ଚଦିନ ଧରି ହଜାର ହଜାର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା I ପାରମ୍ପରିକ ରୀତିନୀତି ଅନୁସାରେ ପୂଜା ପାଠ ସହ ପାଞ୍ଚଦିନ ଧରି ମୀନାବଜାର ଓ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ତେବେ ଏହି ଯାତ୍ରାର ଉଦଯାପନୀ ଉତ୍ସବରେ ଓଡିଶା ଚଳଚିତ୍ର ଜଗତର ପ୍ରତିଷ୍ଠିତ ଅଭିନେତା ସବ୍ୟସାଚୀ ମିଶ୍ର ଓ ପଶ୍ଚିମ ଓଡ଼ିଶାର ଜଣାଶୁଣା ହାସ୍ୟ ଅଭିନେତା ଯୋଗେଶ ଜୋଜୋଙ୍କ ଷ୍ଟେଜ ସୋ ମୁଖ୍ୟ ଆକର୍ଷଣ ସାଜିଥିଲେ I ଏହାସହ ପଶ୍ଚିମ ଓଡ଼ିଶାର ଜଣାଶୁଣା କଣ୍ଠ ଶିଳ୍ପୀ କୃଷ୍ଣ ମୁଖିଙ୍କ ସମ୍ବଲପୁରୀ ମେଲୋଡି କାର୍ଯ୍ୟକ୍ରମରେ ଝୁମି ଉଠିଥିଲେ ହଜାର ହଜାର ଦର୍ଶକ I

​​​​​​​

ତେବେ ଯାତ୍ରା କମିଟି ସଭାପତି ପ୍ରବେଶ କୁମାର ଦିଗାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ଯାତ୍ରାର ଉଦଯାପନୀ ଉତ୍ସବରେ ଫିରିଙ୍ଗିଆ ବ୍ଲକ ଅଧ୍ୟକ୍ଷା ନମିତା କହଁର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଜିଲ୍ଲା ଯୁବ ବିଜେଡି ସଭାପତି ବିଷ୍ଣୁ ଚରଣ ମଲିକ, କଂଗ୍ରେସ ନେତା ଘନ କୁମାର ଶବର, କନ୍ଧମାଳ ଜିଲ୍ଲା ତଥା ଓଡ଼ିଶାର ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଜଳନ୍ଧର ବେହେରା, କୁଏରମାଣ୍ଡୁ ସମିତି ସଭ୍ୟ ପଞ୍ଚାନନ ଦିଗାଳ, ପକାରୀ ସମିତି ସଭ୍ୟ ଅରୁଣ ଦିଗାଳ, ଗୋଛାପଡା ସରପଞ୍ଚ ଯୁଗାନ୍ତ କହଁର, ଗାଁ ମୁଖିଆ ଭୁବନେଶ୍ୱର ସାହୁ, ଲୁ ଇସିଂ ସରପଞ୍ଚ ପ୍ରତିନିଧି ଆଲୋକ କହଁର, କମିଟି ମୁଖ୍ୟ ତଥା ଯାତ୍ରା ପ୍ରତିଷ୍ଠାତା ବନ ଦିଗାଳ, କୁଇ ସମାଜ ସଭାପତି ରାମଚନ୍ଦ୍ର ମଲିକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ରଖିଥିଲେ I କାର୍ଯ୍ୟକ୍ରମକୁ  ଲୁ ଇସିଂ ନାମଯଜ୍ଞ କମିଟି ସଭାପତି ପଞ୍ଚୁଦେବ ପ୍ରଧାନ ପରିଚାଳନା କରିଥିବା ବେଳେ ସମ୍ପାଦକ ବିବଛ ବଗର୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ I ଏହାସହ ପାଞ୍ଚ ଦିନ ଧରି ହୋଇଥିବା ଏହି କାର୍ଯ୍ୟକ୍ରମରେ ଯାତ୍ରା କମିଟିର ସମ୍ପାଦକ ଗୋବିନ୍ଦ ଦିଗାଳଙ୍କ ସହ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ I