ନୂଆଦିଲ୍ଲୀ: ବର୍ତ୍ତମାନ ତାଲିବାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି ଆଠ ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀଠାରେ ପହଞ୍ଚିଛନ୍ତି। ଏହି ପରିପ୍ରେକ୍ଷିରେ ଆଫଗାନିସ୍ତାନ ମାଟିକୁ କୌଣସି ଦେଶ ବିରୁଦ୍ଧରେ ବ୍ୟବହାର କରିବାକୁ ଦିଆଯିବ ନାହିଁ ବୋଲି ଶୁକ୍ରବାର ସେ ଭାରତକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ନିଜର ପ୍ରଥମ ଗସ୍ତରେ ଭାରତ ଆସିଥିବା ମୁତାକି ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି ଯେ "ଆଫଗାନଙ୍କ ସାହସର ପରୀକ୍ଷା ନେବା ଆଦୌ ଠିକ୍ ନୁହେଁ"।
ଆଫଗାନିସ୍ଥାନ ପାକିସ୍ତାନକୁ ଏହି କଡ଼ା ଚେତାବନୀ ସେତେବେଳେ ଦେଇଛି ଯେତେବେଳେ ଇସଲାମାବାଦ ସୀମାପାର ଆକ୍ରମଣ କରି କାବୁଲରେ ଥିବା ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଶିବିରଗୁଡ଼ିକୁ ଟାର୍ଗେଟ କରିଛି। ଏନେଇ ପାକିସ୍ତାନ କହିଛି ଯେ ଆତଙ୍କୀମାନେ ଆଫଗାନିସ୍ତାନ ଅଞ୍ଚଳ ବ୍ୟବହାର କରି ଦେଶ ଉପରେ ଆକ୍ରମଣ କରିଚାଲିଛନ୍ତି। ଏହା ବିରୁଦ୍ଧରେ ଆମେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ।
ଏନେଇ ମୁତାକି କହିଛନ୍ତି ଯେ "ସୁଦୂରବର୍ତ୍ତୀ ଅଞ୍ଚଳରେ ସୀମା ନିକଟରେ ପାକିସ୍ତାନ ଦ୍ୱାରା ଏହି ଆକ୍ରମଣ ହୋଇଛି। ଆମେ ପାକିସ୍ତାନର ଏହି କାର୍ଯ୍ୟକୁ ଭୁଲ ବୋଲି ଭାବୁଛୁ। ୪୦ ବର୍ଷ ପରେ ଆଫଗାନିସ୍ତାନରେ ଶାନ୍ତି ଏବଂ ପ୍ରଗତି ସ୍ଥାପିତ ହୋଇଛି। ଆଫଗାନବାସୀଙ୍କ ସାହସର ପରୀକ୍ଷା ନିଆଯିବା ଉଚିତ ନୁହେଁ। ଯଦି କେହି ଏହା କରିବାକୁ ଚାହାଁନ୍ତି, ତେବେ ସେମାନେ ସୋଭିଏତ୍ ୟୁନିଅନ୍, ଆମେରିକା ଏବଂ ନାଟୋକୁ ପଚାରିବା ଉଚିତ, ଯାହା ଦ୍ଵାରା ସେମାନେ ବୁଝାଇପାରିବେ ଯେ ଆଫଗାନିସ୍ତାନ ସହିତ ଖେଳ ଖେଳିବା ଆଦୈ ଭଲ ନୁହେଁ,"।
ଆପଣଙ୍କୁ ଜଣାଇରଖୁ ଯେ, ସାମ୍ପ୍ରତିକ ମାସମାନଙ୍କରେ, ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି। ଏହି ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ଭାରତକୁ ତାଲିବାନ ସହିତ ସମ୍ପର୍କ ବିସ୍ତାର କରିବାର ସୁଯୋଗ ଦେଇଛି।
ଶୁକ୍ରବାର ଦିନ, ମୁତାକି ହାଇଦ୍ରାବାଦ ହାଉସରେ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କରଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ, ଜୟଶଙ୍କର କହିଛନ୍ତି ଯେ ଭାରତ କାବୁଲରେ ଏହାର ଦୂତାବାସ ପୁଣି ଖୋଲିବାକୁ ଯାଉଛି।