ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ଭାରତ ଗସ୍ତର ପଥ ପରିଷ୍କାର ହୋଇଛି। ତାଲିବାନ କ୍ଷମତାକୁ ଆସିବା ପରେ ଏହା କୌଣସି ଆଫଗାନିସ୍ତାନ ମନ୍ତ୍ରୀଙ୍କ ପ୍ରଥମ ଭାରତ ଗସ୍ତ ହେବ। UNSC ନିୟମ ୧୯୮୮ ଅନୁଯାୟୀ ତାଲିବାନ ପ୍ରତିବନ୍ଧକ ତାଲିକାରେ ରହିଥିବାରୁ ସେମାନଙ୍କ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଛି। ଏହି ତାଲିକାରେ ତାଙ୍କର ନାମ ସାମିଲ ହେବା ଫଳରେ ତାଙ୍କ ଉପରେ ଯାତ୍ରା ଉପରେ ପ୍ରତିବନ୍ଧକ ରହିଥିଲା। ତେବେ ତାଙ୍କୁ ଭାରତ ଯାତ୍ରା ପାଇଁ ଜାତିସଂଘ ସୁରକ୍ଷା ପରିଷଦ (UNSC) ଅନୁମୋଦନ କରିଛି।
ଜାତିସଂଘ ସୁରକ୍ଷା ପରିଷଦ (UNSC)ର ଅନୁମୋଦନ ପରେ, ଆମିର ଖାନ ମୁତାକିଙ୍କୁ ଅକ୍ଟୋବର ୯ ରୁ ୧୬ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଗସ୍ତ କରିବାକୁ ଅନୁମତି ଦିଆଯାଇଛି। ଅକ୍ଟୋବର ୬ ତାରିଖରେ, ଆମିର ଖାନ ମୁତାକି ସପ୍ତମ ମସ୍କୋ ଫର୍ମାଟ୍ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ରୁଷ ଯାତ୍ରା କରିବେ।
ପ୍ରଥମ ଥର ପାଇଁ ତାଲିବାନ ଏହି ବହୁପାକ୍ଷିକ ଫୋରମରେ ଅତିଥି ଭାବରେ ନୁହେଁ, ସଦସ୍ୟ ଭାବରେ ଅଂଶଗ୍ରହଣ କରିବ। ଭାରତ ତାଲିବାନ ପାଇଁ ଅନେକ ବିକାଶ ପ୍ରକଳ୍ପରେ କାମ କରୁଛି। ତାଲିବାନ ଅଧିକାରୀମାନେ ଭାରତ ସହିତ ସମ୍ପର୍କ ମଜବୁତ କରିବା ପାଇଁ ମଧ୍ୟ ନିବେଦନ କରିଛନ୍ତି।
ଉଚ୍ଚସ୍ତରୀୟ ବୈଠକ ପାଇଁ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତ ଭାରତର ପାକିସ୍ତାନ ଏବଂ ଚୀନ୍ ବିରୁଦ୍ଧରେ ଏକ ରଣନୈତିକ ପଦକ୍ଷେପ ଭାବେ ଦେଖାଯାଉଛି। ପାକିସ୍ତାନ ସର୍ବଦା ଭାରତ ଏବଂ ଆଫଗାନିସ୍ତାନକୁ ଏକାଠି ହେବାରୁ ଦୂରେଇ ରଖିବାକୁ ଚାହୁଁଛି। ଏହି କାରଣରୁ ପାକିସ୍ତାନ ମୁତାକିଙ୍କ ପୂର୍ବ ଭାରତ ଗସ୍ତରେ ବାଧା ସୃଷ୍ଟି କରିଥିଲା। ଯାହା ଫଳରେ ଶେଷ ମୁହୁର୍ତ୍ତରେ ତାଙ୍କ ଭାରତ ଗସ୍ତ ବାତିଲ ହୋଇଥିଲା। କିନ୍ତୁ, ଏଥର ଭାରତର ପ୍ରସ୍ତୁତି ପାକିସ୍ତାନର କୌଣସି ଚାଲକୁ ସଫଳ ହେବାକୁ ଦେଇନଥିଲା।
ସୂଚନା ମୁତାବକ, ମୁତାକି ଗତ ଅଗଷ୍ଟ ୨୦୨୧ ମସିହାରୁ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରିଆସୁଛନ୍ତି। ପୂର୍ବରୁ ମେ ମାସରେ, ମୁତାକି ଚୀନ୍ ଏବଂ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଏବଂ ଇସାକ ଦାରଙ୍କ ସହିତ ବେଜିଂରେ ଏକ ଅନୌପଚାରିକ ବୈଠକ କରିଥିଲେ। ବୈଠକରେ ଆଫଗାନିସ୍ତାନ ସହ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର (CPEC) ସମ୍ପ୍ରସାରଣ ବିଷୟରେ ଆଲୋଚନା କରାଯାଇଥିଲା ବୋଲି ସୂଚନା ରହିଛି।
ଭାରତ ଆରମ୍ଭରୁ ୬୦ ବିଲିୟନ ଆମେରିକୀୟ ଡଲାରରେ ନିର୍ମିତ ହେଉଥିବା CPEC ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ଆସିଛି। କାରଣ ଏହି ନିର୍ମାଣ ପାକ୍ ଅଧିକୃତ କାଶ୍ମୀର (PoK) ଦେଇ ପାକିସ୍ତାନକୁ ଯୋଡୁଛି। ତାଲିବାନ ମଧ୍ୟ ଗତ ଏପ୍ରିଲ ୨୨ ତାରିଖରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଥିଲା। ଆମିର ଖାନ ମୁତାକି ଏବଂ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଗତ ସେପ୍ଟେମ୍ୱର ୧ ତାରିଖରେ ଫୋନ ଯୋଗେ କଥା ହୋଇଥିଲେ। ସେହି ସମୟରେ, ଆଫଗାନିସ୍ତାନରେ ଭୂମିକମ୍ପ ହୋଇତିବାରୁ ଭାରତ ମାନବୀୟ ସହାୟତା ପାଇଁ ଆଫଗାନିସ୍ତାନକୁ ରିଲିଫ୍ ସାମଗ୍ରୀ ପଠାଇଥିଲା।