ଭୁବନେଶ୍ୱର, ୧୦/୧୦: ଖୁବ୍‌ଶୀଘ୍ର ଭୁବନେଶ୍ୱର  ବିମାନବନ୍ଦରରେ ବିମାନଗୁଡ଼ିକର ମରାମତି କରାଯିବ । ଅହରହ  ଉଡୁଥିବା ବିମାନଗଡିକର ରକ୍ଷଣାବେକ୍ଷଣ ମଧ୍ୟ କରାଯିବ । ପୂର୍ବ  ଭାରତରେ ପ୍ରଥମ ବିମାନବନ୍ଦର ଭାବେ ବିଶ୍ୱସ୍ତରୀୟ ବୈମାନିକ ଯାନ  ମରାମତି, ରକ୍ଷଣାବେକ୍ଷଣ ଏବଂ ଓଭରହୁଲ୍‌ (ଏମ୍‌ଆର୍‌ଓ) କେନ୍ଦ୍ର  ଖୋଲିବ । ଏନେଇ ରାଜ୍ୟ ପରିବହନ ବିଭାଗ ସହ ପୂର୍ବରୁ ଏୟାର  ୱାର୍କସ୍‌ ଇଣ୍ଡିଆ ଇଞ୍ଜିନିୟରିଂ ପ୍ରାଇଭେଟ୍‌ ଲିମିଟେଡ୍‌ ଚୁକ୍ତି କରିଥିଲା ।  ବିମାନବନ୍ଦରରେ ଥିବା ହ୍ୟାଙ୍ଗରକୁ ଗୁରୁବାର ଏହି ସଂସ୍ଥାକୁ ହସ୍ତାନ୍ତର କରାଯାଇଛି । ପରିବହନ ବିଭାଗ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ଓ  ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।  

ସୂଚନାଯୋଗ୍ୟ, ଏହି ପ୍ରକଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ  ସରକାର ହାତ ବଢ଼ାଇଛନ୍ତି । ଉକ୍ତ ସଂସ୍ଥାକୁ ନିବେଶ କ୍ଷେତ୍ରରେ ୫୦  ପ୍ରତିଶତ ସବ୍‌ସିଡି ମିଳିଛି । ଆଗାମୀ ୨ ବର୍ଷ ଯାଏ ଭଡ଼ା ବାବାଦକୁ  ସମସ୍ତ ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବୁଝିବେ । ଏମ୍‌ଆର୍‌ଓର ସମସ୍ତ  କର୍ମଚାରୀଙ୍କୁ ଇପିଏଫ୍‌ ଓ ଇଏସ୍‌ଆଇ ଯୋଗାଇ ଦିଆଯିବ ।  ଆସନ୍ତା ୨୦୨୬ ଜାନୁଆରୀ ସୁଦ୍ଧା ବିମାନବନ୍ଦରରେ ଏମ୍‌ଆର୍‌ଓ  କାର୍ଯ୍ୟକ୍ଷମ କରିବ ବୋଲି ଆଶା ରଖାଯାଇଛି ।