ନମୌଜା,/୧୧ : ଆଳି ପ୍ରଶାସନ ପକ୍ଷରୁ ଆଳି ଥାନା ଜୁଆଣିଆ ପଞ୍ଚାୟତରେ ପାଣି ନାଳ ଉପରେ ଥିବା ଏକ ବିବାଦୀୟ ଘରକୁ ଆଜି ପୂର୍ବାହ୍ନରେ ଭାଙ୍ଗିବା ସହ ଉକ୍ତ ସ୍ଥାନରୁ ଜବରଦଖଲ ଉଛେଦ କରାଯାଇଛି l ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ଘରଟିକୁ ପଞ୍ଚାୟତର ସରପଞ୍ଚ ସୁବ୍ରତ ନାୟକ ପଞ୍ଚାୟତ ପାଣ୍ଠିରୁ ସରକାରୀ ଅନୁଦାନରେ ୨୦୨୨ରେ ନିର୍ମିତ ହେବା ସହ ପଞ୍ଚାୟତବାସୀଙ୍କ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା l

ତତସହିତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଭଡ଼ା ସୂତ୍ରରେ ଦିଆଯାଇଥିବା ନେଇ ପ୍ରତିକ୍ରିୟା ଦେଇଥିଲେ l କିନ୍ତୁ ଅପରପକ୍ଷେ ଗୃହ ନିର୍ମାଣ ଦିନଠାରୁ ଆରୋପ ପ୍ରତ୍ୟାରୋପ ଲାଗିବା ସହ ଅଭିଯୋଗକାରୀ ଉକ୍ତ ଘର ଖାତା ସଂଖ୍ୟା ୯୬୫ପ୍ଲଟ ସଂଖ୍ୟା ୨୩୯୮କୁ ସରପଞ୍ଚ ନିଜସ୍ୱ ବ୍ୟବହାର ପାଇଁ ଗାଡ଼ି ଗ୍ୟାରେଜ କରିଥିବା ନେଇ ଅଭିଯୋଗ ଆଣିଥିଲେ l ପୂର୍ବରୁ କେନ୍ଦ୍ରାପଡ଼ାର ପ୍ରାକ୍ତନ ଜିଲ୍ଲାପାଳଙ୍କ ଦ୍ୱାରା ୪ଥର ଏହାକୁ ଭାଙ୍ଗିବାକୁ ନିର୍ଦେଶ ଦିଆଯିବା ସହ ପ୍ରଶାସନ ଉକ୍ତ ସ୍ଥାନକୁ ଯାଇ ବିଭିନ୍ନ କାରଣ ଦର୍ଶାଇ ସେଠାରୁ ଫେରି ଆସିଥିଲେ l କିନ୍ତୁ ଆଜି ପୂର୍ବାହ୍ନରେ ଆରୋପ ପ୍ରତ୍ୟାରୋପର ଅନ୍ତ ଘଟାଇ ମିସ କେଶ ନମ୍ବର ୩୯/୨୦୨୩ ଆଧାରରେ ଆଳି ବିଡିଓ ତଥା ତହସିଲଦାରଙ୍କ ଅତିରିକ୍ତ ଦାୟିତ୍ୱରେ ଥିବା ଅବିନାଶ ବିଶ୍ୱଜିତ ସେଠି, ଏସଡିପିଓ କ୍ଷମାସାଗର ପଣ୍ଡା, ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ମାନସ ସ୍ୱାଇଁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ଆଳି ଥାନା ଭାରପ୍ରାପ୍ତ ଅଧିକାରୀ ଧୀରାଜ ଲେଙ୍କା, ରାଜକନିକା ଥାନା ଭାରପ୍ରାପ୍ତ ଅଧିକାରୀ ସଞ୍ଜୟ ମଲିକ ପ୍ରମୁଖଙ୍କ ଉପସ୍ଥିତିରେ ଉକ୍ତ ଅବୈଧ ଘରଟିକୁ ମେସିନ ସାହାଯ୍ୟରେ ଭଙ୍ଗାଯିବା ସହ ଜବରଦଖଲ ଉଚ୍ଛେଦ କରାଯାଇଛି l

ଏ ନେଇ ମାଜିଷ୍ଟ୍ରେଟ ଦାୟିତ୍ୱରେ ଆଳି ଅତିରିକ୍ତ ତହସିଲଦାର ମାନସ ସ୍ୱାଇଁଙ୍କୁ ପଚାରିବାରୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ପଞ୍ଚାୟତ ତରଫରୁ ଏକ ପାଣି ନାଳ ଉପରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହୋଇଥିଲା । ଯାହାକୁ ଭାଙ୍ଗିବା ପାଇଁ ଉଚ୍ଚ ନ୍ୟାୟଳୟଙ୍କ ନିର୍ଦେଶକ୍ରମେ ଆଜି ଉକ୍ତ ଗୃହକୁ ଭାଙ୍ଗି ଦିଆଯିବା ସହ ଜବରଦଖଲ ଉଚ୍ଛେଦ କରାଯାଇଛି l ତତସହିତ ଉଚ୍ଛେଦ ସମୟରେ ଉତ୍ତେଜନାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ୪ ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ଜବରଦଖଲ ଉଚ୍ଛେଦ ପରେ ଉତ୍ତେଜନାକୁ ଆଖି ଆଗରେ ରଖି ଉକ୍ତ ଅଞ୍ଚଳକୁ ତୀକ୍ଷ୍ଣ ନଜରରେ ରଖାଯାଇଛି l