ଭୁବନେଶ୍ୱର,୨୩/୦୯: କୋରଡକଣ୍ଟା ଦୁର୍ଗାପୂଜା ସମିତି ଚଳିତବର୍ଷ ୧୪ତମ ଶାରଦୀୟ  ଦୁର୍ଗାପୂଜା ଉତ୍ସବ ଆୟୋଜନ କରୁଛି । ଏଠାକାର  ବିଶେଷତ୍ତ୍ୱ ହେଉଛି ରାବଣ ପୋଡ଼ି । ଚଳିତଥର  ଏଠାରେ ୮୫ ଫୁଟ ଉଚ୍ଚ ରାବଣ ପ୍ରତିକୃତି ନିର୍ମାଣ  ହେଉଛି । ମାନ୍ୟଗଣ୍ୟ ଅତିଥି ଓ ଗ୍ରାମର ସବୁଠୁ  ବୟସ୍କ ବ୍ୟକ୍ତିଙ୍କ ଦ୍ୱାରା ରାବଣକୁ ଅଗ୍ନି ସଂଯୋଗ  କରାଯିବ ବୋଲି କମିଟିର ବୃନ୍ଦାବନ ମହାରଣା,  ବିଚିତ୍ର ନାୟକ ଓ ଦୁର୍ଗା ପ୍ରସାଦ  ଜେନା ସୂଚନା ଦେଇଛନ୍ତି ।  

ଚଳିତ ବର୍ଷ ପୂଜା  ପାଇଁ ପ୍ରାୟ ୨୫ ଲକ୍ଷ ଟଙ୍କା  ବ୍ୟୟବରାଦ କରାଯାଇଛି ।  ଏଥର ରାଜସ୍ଥାନର ଅମରେଶ୍ୱର  ମହାଦେବ ମନ୍ଦିର ଆକୃତିର  ତୋରଣ ନିର୍ମାଣ କରାଯିବ ।  ଏହି ତୋରଣର ଉଚ୍ଚତା ପ୍ରାୟ  ୬୫ ଫୁଟ ଓ ପ୍ରସ୍ଥ ୪୦ ଫୁଟ  ରହିଛି । ଏଥିରେ ୧୨ ଫୁଟ  ଉଚ୍ଚ ମା’ଙ୍କ ମୃଣୟ ମୂର୍ତ୍ତିକୁ ବିଭିନ୍ନ ପ୍ରକାର ସୁନା  ଆଉ ରୂପା ଅଳଙ୍କାରରେ ସୁସଜ୍ଜିତ କରାଯିବ । ଗାଁ ନଦୀବନ୍ଧଠାରୁ କୋରଡକଣ୍ଟା ଛକ ପର୍ଯ୍ୟନ୍ତ  ଆଲୋକମାଳାରେ ସାଜସଜ୍ଜା କରାଯିବ । ଛୋଟବଡ଼  ମିଶାଇ ସମୂଦାୟ ୪୨ଟି ଲାଇଟ୍‌ ଗେଟ୍‌ କରାଯିବ ।  ବିଭିନ୍ନ ସ୍ଥାନରେ ପ୍ରାୟ ୨୦ଟି ସିସିଟିଭି କ୍ୟାମେରା  ସହ ୨୦୦ ସ୍ୱେଚ୍ଛାସେବୀ ସୁରକ୍ଷା ଦାୟିତ୍ୱ ତୁଲାଇବେ ।  ଷଷ୍ଠୀରେ ଭଜନ ସନ୍ଧ୍ୟା, ସପ୍ତମୀରେ ଡ୍ୟାନ୍ସ ଡ୍ୟାନ୍ସ,  ଅଷ୍ଟମୀରେ ଶିଶୁ କଳାକାରଙ୍କ କାର୍ଯ୍ୟକ୍ରମ, ନବମୀରେ  ମେଲୋଡି ଏବଂ ଦଶମୀରେ ପୁଣି ଡ୍ୟାନ୍ସ କାର୍ଯ୍ୟକ୍ରମ  ରହିଛି ବୋଲି ମିଥୁନ ନାୟକ, କାଳନ୍ଦୀ ମହାରଣା,  ଦିଲ୍ଲୀପ ଜେନା ଓ ଦିବ୍ୟରଞ୍ଜନ ଜେନା କହିଛନ୍ତି ।