ଫିରିଙ୍ଗିଆ, ୩୦।୧୦ :  କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ ପଂଚାୟତ ମଣିପଦର ଗ୍ରାମର ଅଙ୍ଗନୱାଡି କର୍ମୀ ଚୟନକୁ ନେଇ ଚାଲିଥିବା ବିବାଦ ଥମୁନି । ଚୟନ ହୋଇଥିବା କର୍ମୀ ଗ୍ରାମର ନୁହନ୍ତି ବୋଲି ଗ୍ରାମବାସୀ କହୁଥିବା ବେଳେ ପ୍ରଶାସନ ପାଖରେ ସେ ଗ୍ରାମର ବୋହୁ ହୋଇଥିବା ପ୍ରମାଣ ରହିଛି । ଏହାକୁ ନେଇ ଗ୍ରାମବାସୀ ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ସେପଟେ ପ୍ରଶାସନ ପାଖରେ ସମସ୍ତ ପ୍ରମାଣପତ୍ର ଥିବାରୁ ଶୁକ୍ରବାର କେନ୍ଦ୍ର ଖୋଲିବା ପାଇଁ ଗ୍ରାମବାସୀଙ୍କୁ କୁହାଯାଇଛି

ଗୁରୁବାର ଅଙ୍ଗନୱାଡି କେନ୍ଦ୍ରକୁ ଫିରିଙ୍ଗିଆ ବିଡିଓ ଅନୁପ ଅଭିଷେକ ବେହେରା, ସିଡିପିଓ ନିବେଦିତା ପ୍ରଧାନ ଏବଂ ୨ ଜଣ ସୁପରଭାଇଜର ଯାଇ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ହେଲେ ଘଟଣାର ସମାଧାନ ହୋଇ ପାରି ନ ଥିଲା । ନିଯୁକ୍ତି ପାଇଥିବା ଅଙ୍ଗନୱାଡି କର୍ମୀଙ୍କ ଚୟନ ପ୍ରକ୍ରିୟା ଠିକ୍ ଅଛି । ସେ ଅଧିକ ମାର୍କ ରଖି ଚୟନ ହୋଇଛନ୍ତି । ସେ ବି ଏହି ଗ୍ରାମର ବୋହୁ ୨୦୨୨ ମସିହାରୁ ହୋଇଛନ୍ତି । ଯାହାର ପ୍ରମାଣପତ୍ର ସେ ଦାଖଲ କରିଛନ୍ତି । ପ୍ରଶାସନିକ ଅଧିକାରୀ ଏହା କହିବାରୁ ଗ୍ରାମବାସୀ ଏହାକୁ ମାନି ନାହାନ୍ତି । ଅନୁସୁଚିତ ଜନଜାତି ପରମ୍ପରା ଅନୁସାରେ ବାହାଘର ହୋଇନି । ତେଣୁ ଏହାକୁ ଆମେ କିପରି ମାନିବୁ । ଯଦି କହୁଛନ୍ତି ବାହାଘର ପ୍ରମାଣପତ୍ର ଅଛି, ତାହାଲେ ଏଇଠି ଦେଖାନ୍ତୁ ବୋଲି ଗ୍ରାମବାସୀ ଅଡି ବସିଥିଲେ । କିନ୍ତୁ ଅଧିକାରୀମାନେ ଏହା ଦେଖେଇ ନ ଥିଲେ ।

  ସୁଚନାଯୋଗ୍ୟ, ଏହି ଚୟନ ପ୍ରକ୍ରିୟାକୁ ବିରୋଧ କରି ଗ୍ରାମବାସୀ ଗତ ୨୮ ତାରିଖରେ ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇଥିଲେ । କର୍ମୀ ଚୟନରେ ବ୍ୟାପକ ଅନିୟମିତତା ଏବଂ ଅର୍ଥ କାରବାର ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ ।