ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀମାନଙ୍କ ପାଇଁ ଚଳିତ ମାସ ଖୁସିର ମୁହୁର୍ତ୍ତ ଆଣିଦେଇଛି। କାରଣ ଚଳିତ ମାସରେ ପ୍ରକାଶ ପାଇଛି ଏକାଧିକ ନିଯୁକ୍ତି ବିଜ୍ଞପ୍ତି। ଆସନ୍ତା କିଛି ଦିନ ମଧ୍ୟରେ, ଦିଲ୍ଲୀ ପୋଲିସର କନଷ୍ଟେବଲ ଏକଜିକ୍ୟୁଟିଭ୍ ଏବଂ ବିହାର ପୋଲିସ ଇନ୍ସପେକ୍ଟର ଭଳି ପ୍ରମୁଖ ନିଯୁକ୍ତି ପାଇଁ ଫର୍ମ ଆବେଦନ ବନ୍ଦ ହୋଇଯିବ। ଯଦି ଆପଣ ଏପର୍ଯ୍ୟନ୍ତ ଏହି ନିଯୁକ୍ତି ପାଇଁ ଆବେଦନ କରିନାହାଁନ୍ତି, ତେବେ ଉପଯୁକ୍ତ ସମୟ ମଧ୍ୟରେ ତୁରନ୍ତ ଆବେଦନ କରିପାରିବେ। ତେବେ ଚାଲନ୍ତୁ ଚଳିତ ସପ୍ତାହରେ ଶେଷ ହେବାକୁ ଥିବା ଚାରୋଟି ପ୍ରମୁଖ ସରକାରୀ ନିଯୁକ୍ତିର ତାଲିକା  ବିଷୟରେ ଜାଣିବା।

ରେଳ ବିଭାଗର ନିଯୁକ୍ତି

ପୂର୍ବ କେନ୍ଦ୍ରୀୟ ରେଳବାଇ, ECR, ଶିକ୍ଷାର୍ଥୀ ପଦବୀ ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ଘୋଷଣା କରିଛି। ଏହି ନିଯୁକ୍ତି ଅଭିଯାନ ଅଧୀନରେ ମୋଟ ୧,୧୪୯ ଶିକ୍ଷାର୍ଥୀ ପଦବୀ ପୂରଣ କରାଯିବ। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ନିର୍ଦ୍ଧାରିତ ଯୋଗ୍ୟତା ଏବଂ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରି ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଆସନ୍ତା ଅକ୍ଟୋବର ୨୫ ତାରିଖ ରହିଛି।

ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ନିଯୁକ୍ତି

ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ପାଇଁ ୭ ହଜାରରୁ ଅଧିକ ଶିକ୍ଷକ ଏବଂ ଅଣଶିକ୍ଷକ ପଦବୀ ଘୋଷଣା କରାଯାଇଛି। ଏହି ନିଯୁକ୍ତି ଅଭିଯାନ ପାଇଁ ଦଶମ ଶ୍ରେଣୀରୁ ମାଷ୍ଟର ଡିଗ୍ରୀ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ। ପଦବୀ ଉପରେ ନିର୍ଭର କରି ବୟସ ସୀମା ୧୮ ରୁ ୫୫ ବର୍ଷ ମଧ୍ୟରେ ଭିନ୍ନ ଭିନ୍ନ ରହିଛି। ଆବେଦନର ଶେଷ ତାରିଖ ଆସନ୍ତା ଅକ୍ଟୋବର ୨୩ ତାରିଖ ରହିଛି। ତେଣୁ ଆଗ୍ରହୀ ପ୍ରାର୍ଥୀମାନେ ସମୟ ପୂର୍ବରୁ ଆବେଦନ କରିନିଅନ୍ତୁ।

ଏନଆଇଏ ନିଯୁକ୍ତି

ଭାରତୀୟ ଜାତୀୟ ତଦନ୍ତ ସଂସ୍ଥା ନିଜ ଅଧିନରେ ଡାଟା ଏଣ୍ଟ୍ରି ଅପରେଟର ଏବଂ ଲୋୟର ଡିଭିଜନ କ୍ଲର୍କ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଛି। ଏହି ପଦବୀରେ ଆବେଦନ କରିବା ପାଇଁ ଗୃହ ମନ୍ତ୍ରଣାଳୟର ସରକାରୀ ୱେବସାଇଟ୍, www.mha.gov.in/en/national-investigation-agency-nia ମାଧ୍ୟମରେ ଅନଲାଇନ୍ ଆବେଦନ କରାଯାଇପାରିବ। ପ୍ରାର୍ଥୀମାନେ ଅକ୍ଟୋବର ୨୫ ତାରିଖ ସୁଦ୍ଧା NIA ମୁଖ୍ୟାଳୟରେ ଅଫଲାଇନ ମାଧ୍ୟମରେ ସେମାନଙ୍କର ଆବେଦନ ଦାଖଲ କରିପାରିବେ।

ବିହାର ପୋଲିସ ନିଯୁକ୍ତି

ବିହାର ପୋଲିସରେ ୧୭୦୦ରୁ ଅଧିକ ସବ-ଇନସ୍ପେକ୍ଟର ପଦବୀ ପାଇଁ ଆବେଦନ ଜାରି ରହିଛି। ଏହି ପଦବୀରେ ଆବେଦନ ପାଇଁ ଉଭୟ ପୁରୁଷ ଏବଂ ମହିଳା ସ୍ନାତକଧାରୀ ଯୋଗ୍ୟ ବିବେଚିତ। ସାଧାରଣ ବର୍ଗ ପାଇଁ ବୟସ ସୀମା ୨୦-୨୭ ବର୍ଷ ରହିଥିବା ବେଳେ ମହିଳା ପ୍ରାର୍ଥୀଙ୍କ ପାଇଁ ୪୦ ବର୍ଷ ପର୍ଯ୍ୟନ୍ତ ଛାଡ ଦିଆଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତା ୨୬ ଅକ୍ଟୋବର ପର୍ଯ୍ୟନ୍ତ ବିହାର ପୋଲିସ ସବ-ଇନସ୍ପେକ୍ଟର କମିଶନ (BPSSC)ର ସରକାରୀ ୱେବସାଇଟ୍ bpssc.bihar.gov.in ମାଧ୍ୟମରେ ଏହି ପଦବି ପାଇଁ ଆବେଦନ କରିପାରିବେ।