ମୁମ୍ବାଇ,୦୪/୧୦:ପ୍ରସିଦ୍ଧ ପ୍ରଚ୍ଛଦପଟ ଗାୟିକା ଆଶା ଭୋସଲେଙ୍କୁ ଗୁରୁବାର ବମ୍ବେ ହାଇକୋର୍ଟରୁ ଅନ୍ତରୀଣ ଆଶ୍ୱସ୍ତି ମିଳିଛି । କୋର୍ଟ ତାଙ୍କ ନାମ, ସ୍ୱର ଓ ପରିଚୟକୁ ବିନା ଅନୁମତିରେ ବ୍ୟବହାର କରିବା ଉପରେ ରୋକ ଲଗାଇଛନ୍ତି । ଏବେ ଏଆଇ ପ୍ଲାଟଫର୍ମ, ଇ-କମର୍ସ ୱେବସାଇଟ୍‌ ଓ ଅନ୍ୟମାନେ ବିନା ଅନୁମତିରେ ଏହାର ବ୍ୟବହାର କରିପାରିବେ ନାହିଁ । ରାୟ ପ୍ରଦାନ ସମୟରେ କୋର୍ଟ କହିଛନ୍ତି, ଏଆଇ ଟୁଲ୍‌ସ ବ୍ୟବହାର କରି ସେଲିବ୍ରିଟିମାନଙ୍କର ସ୍ୱରର ନକଲ କରିବା ସେମାନଙ୍କ ବ୍ୟକ୍ତିତ୍ୱ ଅଧିକାରର ଉଲ୍ଲଂଘନ । ଏହି ଟୁଲ୍‌ଗୁଡି଼କ ବିନା ଅନୁମତିରେ ସେମାନଙ୍କର ସ୍ୱରକୁ ବଦଳାଇ ଦେଇପାରେ । ଯାହାକି ସେମାନଙ୍କର ସାର୍ବଜନୀନ ଏବଂ ବ୍ୟକ୍ତିଗତ ପରିଚୟର ଗୁରୁତ୍ୱପୂର୍ଣ୍ଣ ଅଂଶ । କୋର୍ଟଙ୍କ ଏହି ରାୟକୁ ଡିଜିଟାଲ୍‌ ଯୁଗରେ ସେଲିବ୍ରିଟିଙ୍କ ଅଧିକାରର ସୁରକ୍ଷା ଦିଗରେ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।

 ଅନେକ ସ୍ଥାନରେ ତାଙ୍କର ନାମ ଓ ପରିଚୟରର ଅପବ୍ୟବହାର ହେଉଥିବା ଦେଖିବା ପରେ ଆଶା ଭୋସଲେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗରେ ୯୨ ବର୍ଷୀୟା ଗାୟିକାଜଣକ ଏଆଇ କମ୍ପାନି ମେକ୍‌ ଇଙ୍କ, ଇ-କମର୍ସ ୱେବସାଇଟ୍‌ ଆମାଜନ୍‌ ଓ ଫ୍ଲିପ୍‌କାର୍ଟ, ଟେକ୍‌ ପ୍ଲାଟଫର୍ମ ଗୁଗଲ ଓ ଜଣେ କଳାକାରଙ୍କୁ ପକ୍ଷଭୁକ୍ତ କରିଥିଲେ । ସେଥିରେ ସେ ଦର୍ଶାଇଥିଲେ ଯେ, ମେକ୍‌ ତାଙ୍କର ସ୍ୱରକୁ ଏଆଇ ସହାୟତାରେ ନକଲ କରି ବିତରିତ କରୁଥିଲା । ଆମାଜନ୍‌ ଓ ଫ୍ଲିପକାର୍ଟ ତାଙ୍କର ବିନା ଅନୁମତିରେ ତାଙ୍କର ଫଟୋଯୁକ୍ତ ପୋଷ୍ଟର ବିକ୍ରି କରୁଥିଲେ । ସେହିପରି ୟୁଟ୍ୟୁବ୍‌ରେ ଏଆଇ କଣ୍ଟେଣ୍ଟରେ ତାଙ୍କର ସ୍ୱରକୁ ନକଲ କରାଯାଉଥିବାରୁ ସେ ଗୁଗଲକୁ ଏଥିପାଇଁ ଦାୟୀ କରିଥିଲେ । କଳାକାର ଜଣକ ତାଙ୍କର ଫଟୋଯୁକ୍ତ ପୋଷାକ ବିକ୍ରି କରୁଥିଲେ । ଭୋସଲେଙ୍କ ଟିମ୍‌ ଆହୁରି ଦର୍ଶାଇଥିଲେ ଯେ, ବିନା ଅନୁମତିରେ ତାଙ୍କର ନାମ ଓ ପରିଚୟକୁ ଏଭଳି ବ୍ୟବହାର କରାଯିବା ଦ୍ୱାରା ତାଙ୍କର ୮୨ ବର୍ଷର କ୍ୟାରିୟରରେ ଅର୍ଜିତ ପ୍ରତିଷ୍ଠାକୁ କ୍ଷତି ପହଞ୍ଚୁଛି । ଏହି ସମୟ ମଧ୍ୟରେ ସେ ଅନେକ ପ୍ରସିଦ୍ଧ ଗୀତ ଗାଇ ଲୋକପ୍ରିୟତା ହାସଲ କରିଛନ୍ତି । ପଦ୍ମ ବିଭୁଷଣ, ଦାଦାସାହେବ ଫାଲ୍‌କେ ପୁରସ୍କାର ପାଇବା ସହ ୨ଟି ଗ୍ରାମି ପୁରସ୍କାର ଲାଗି ନାମାଙ୍କନ ମଧ୍ୟ ହାସଲ କରିଛନ୍ତି । ଜଷ୍ଟିସ୍‌ ଆରିଫ୍‌ ଏସ୍‌ ଡକ୍ଟର ମାମଲାର ସମୀକ୍ଷା ପରେ ଭୋସଲେଙ୍କ ସପକ୍ଷରେ ରାୟ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୩ରେ ହେବ । ଆଶା ଭୋସଲେଙ୍କ ପୂର୍ବରୁ ୨୦୨୨ରେ ବିଗ୍‌ ବି ଅମିତାଭ ବଚ୍ଚନ ଦିଲ୍ଲୀ ହାଇକୋର୍ଟରେ ନିଜର ବ୍ୟକ୍ତିତ୍ୱ ଅଧିକାରକୁ ସୁରକ୍ଷିତ କରିବାକୁ ଆବେଦନ ଦାଖଲ କରିଥିଲେ । ସେପ୍ଟେମ୍ବର ୨୦୨୩ରେ ଅନୀଲ କପୁର, ମେ ୨୦୨୪ରେ ଜ୍ୟାକି ଶ୍ରଫ୍‌ ମଧ୍ୟ ସମାନ ଅଭିଯୋଗରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତମାସରେ ଅମିତାଭଙ୍କ ବୋହୂ ତଥା ପ୍ରସିଦ୍ଧ ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କର ନାମ, ଫଟୋ, ଡିପ୍‌ଫେକ୍‌/ଏଆଇ ଫଟୋ ଉପରେ ରୋକ ଲଗାଇବାକୁ ଦାବି କରିଥିଲେ ।