ଦୁବାଇ, ୧୫/୦୯: ଚଳିତ ଏସିଆ କପ୍ରେ ସୋମବାର ୨ଟି ମ୍ୟାଚ୍ ରହିଛି । ଗ୍ରୁପ୍-ଏ’ରେ ୟୁଏଇ ଓ ଓମାନ ଏବଂ ଗ୍ରୁପ୍-ବି’ରେ ଶ୍ରୀଲଙ୍କା ଓ ହଂକଂ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ୟୁଏଇ-ଓମାନ ମ୍ୟାଚ୍ ସନ୍ଧ୍ୟା ୫.୩୦ରୁ ଆବୁଧାବିରେ ଆରମ୍ଭ ହେଉଥିବାବେଳେ ଶ୍ରୀଲଙ୍କା-ହଂକଂ ମୁକାବିଲା ଦୁବାଇରେ ରାତି ୮.୦୦ରୁ ଆରମ୍ଭ ହେବ ।
ୟୁଏଇ ଓ ଓମାନ ନିଜ ନିଜର ପ୍ରଥମ ମ୍ୟାଚ୍ରେ ପରାଜିତ ହୋଇଥିଲେ । ୟୁଏଇ ୯ ୱିକେଟରେ ଭାରତଠୁ ଏବଂ ଓମାନ ୯୩ରନ୍ରେ ପାକିସ୍ତାନ ଠାରୁ ପରାଜିତ ହୋଇଥିଲା । ସୋମବାର ଉଭୟ ଦଳ ପଏଣ୍ଟ ଖାତା ଖୋଲିବାକୁ ବ୍ୟାକୁଳ ରହିଛନ୍ତି । ଗତ ୩ବର୍ଷ ମଧ୍ୟରେ ଉଭୟ ଦଳ ମଧ୍ୟରେ ୫ଟି ଦିନିକିଆ ଖେଳାଯାଇଛି । ୟୁଏଇର ବିଜୟ ରେକର୍ଡ଼ ୩-୨ ରହିଛି । ସୋମବାର ଓମାନ ଅଧିନାୟକ ଯତିନ୍ଦର ସିଂହ, ୟୁଏଇ ଅଧିନାୟକ ମହମ୍ମଦ ୱାସିମ ଓ ସ୍ପିନର ହାଇଦର ଅଲିଙ୍କ ଉପରେ ସମସ୍ତଙ୍କ ନଜର ରହିବ ।
ସେହିପରି ଶ୍ରୀଲଙ୍କା ପ୍ରଥମ ମ୍ୟାଚ୍ରେ ବାଂଲାଦେଶକୁ ୬ ୱିକେଟ୍ ହରାଇ ଏସିଆ କପ୍ ଅଭିଯାନ ଆରମ୍ଭ କରିଥିବାବେଳେ ହଂକଂ ୭ ୱିକେଟ୍ରେ ବାଂଲାଦେଶଠୁ ପରାଜିତ ହୋଇଥିଲା । ସୋମବାରର ମ୍ୟାଚ୍ରେ ଶ୍ରୀଲଙ୍କାର ପଲା ଭାରି ରହିବ । ଦଳ ପୂର୍ବ ମ୍ୟାଚ୍ରେ ସବୁ ବିଭାଗରେ ଦୃଢ଼ ପ୍ରଦର୍ଶନ କରିଥିଲା । ଓପନର ପଥୁମ ନିଶଙ୍କା ଅର୍ଦ୍ଧଶତକ ଅର୍ଜନ କରି ଫର୍ମରେ ଥିବା ପ୍ରମାଣିତ କରିଥିଲେ । ସୋମବାର ହଂକଂ ସ୍ପିନର ଏହସାନ ଖାନ୍ ଓ ଶ୍ରୀଲଙ୍କା ସ୍ପିନର ୱାନିଣ୍ଡୁ ହସରଙ୍ଗାଙ୍କ ଉପରେ ନଜର ରହିବ ।