ନୂଆଦିଲ୍ଲୀ, ୭/୧୧ : ସାଉଦି ଆରବର ଜେଦାହ ଠାରେ ଏସିଆ କପ୍ ତୀରନ୍ଦାଜୀର ତୃତୀୟ ପର୍ଯ୍ୟାୟ ଆୟୋଜିତ ହେବ । ଏଥିପାଇଁ ଭାରତୀୟ ଦଳ ଘୋଷଣା ସରିଛି । ଏହି ଦଳରେ ପାରା ତୀରନ୍ଦାଜ ଶୀତଲ ଦେବୀ ସ୍ଥାନ ପାଇଛନ୍ତି । ସକ୍ଷମଙ୍କ ପାଇଁ ହେଉଥିବା ଏହି ପ୍ରତିଯୋଗିତାରେ ସେ ଦଳରେ ସ୍ଥାନ ପାଇ ଇତିହାସ ରଚିଛନ୍ତି । ସେ ପ୍ରଥମ ପାରା ତୀରନ୍ଦାଜ ଭାବେ ସକ୍ଷମ ପାଇଁ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ଯାଉଛନ୍ତି ।
ଜାମ୍ମୁ-କାଶ୍ମୀରର ୧୮ବର୍ଷୀୟା ଶୀତଲଙ୍କର ପିଲାଦିନୁ ଦୁଇଟି ଯାକ ହାତ ନାହିଁ । ମାତ୍ର ବିନା ହାତରେ ସେ ଲକ୍ଷ୍ୟ ଭେଦ କରିବାରେ ସିଦ୍ଧହସ୍ତ । ପାଦ ଓ ଚିବୁକ ଦ୍ୱାରା ସେ ତୀର ଚଳାଇ ଅନେକ ରେକର୍ଡ଼ ସ୍ଥାପନ କରିସାରିଛନ୍ତି । ୨୦୨୪ ପାରାଲିମ୍ପିକ୍ସରେ ଶୀତଲ ମିକ୍ସଡ୍ ଟିମ୍ରେ ଭାଗ ନେଇ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ନିକଟରେ ଏସିଆ କପ୍ ତୀରନ୍ଦାଜୀ ପାଇଁ ସୋନିପତ ଠାରେ ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲେ । ୬୦ଜଣ ସକ୍ଷମ ତୀରନ୍ଦାଜଙ୍କ ସହ ଶୀତଲ ଭାଗ ନେଇଥିଲେ ଏବଂ ମୋଟ ୭୦୩ ପଏଣ୍ଟ ସହ ମିଳିତ ଶୀର୍ଷରେ ରହିଥିଲେ ।