ଦୁବାଇ,୦୫/୧୧: ଗତ ଏସିଆ କପ୍ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ଉପୁଜିଥିବା ଉତ୍ତେଜନା ଓ ବିବାଦକୁ ନେଇ ଆଜି ଆଇସିସି ଦଣ୍ଡ ବିଧାନ ଲାଗୁ କରିଛି । ପାକିସ୍ତାନ ପେସ୍ ବୋଲର ହ୍ୟାରିସ୍ ରୌଫଙ୍କୁ ୨ଟି ମ୍ୟାଚ୍ରୁ ନିଲମ୍ବିତ କରାଯାଇଛି । ସେହିପରି ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ମ୍ୟାଚ୍ ପାଉଣାର ୩୦% ଅର୍ଥ କାଟ୍ କରାଯାଇଛି । ବାକି ଖେଳାଳିମାନେ କେବଳ ଚେତାବନୀ ପାଇଛନ୍ତି ଓ କିଛି ଶୃଙ୍ଖଳା ପଏଣ୍ଟ ହରାଇଛନ୍ତି । ଏସିଆ କପ୍ରେ ଭାରତ ଓ ପାକିସ୍ତାନ ମଧ୍ୟରେ ୩ଟି ମୁକାବିଲା ହୋଇଥିଲା । ସମସ୍ତ ମ୍ୟାଚ୍ରେ ଉଭୟ ଦଳର ଖେଳାଳିମାନଙ୍କ ମଧ୍ୟରେ ବିବାଦ, ବିଶୃଙ୍ଖଳା ଓ ବାକ୍ୟ ବିନିମୟ ହୋଇଥିଲା । ୧୪ ତାରିଖ ମ୍ୟାଚ୍କୁ ନେଇ ମ୍ୟାଚ୍ ରେଫରୀ ରିଚି ରିଚାର୍ଡସନ ୩ଜଣ ଖେଳାଳିଙ୍କୁ ଦଣ୍ଡିତ କରିଛନ୍ତି ।
ରୌଫଙ୍କ ମ୍ୟାଚ ପାଉଣାର ୩୦% ଅର୍ଥ କାଟ୍ କରାଯିବା ସହ ୨ଟି ଶୃଙ୍ଖଳା ପଏଣ୍ଟ କଟା ଯାଇଛି । ସେ ଆଇସିସି ଅଚାର ସଂହିତାର ଆର୍ଟିକଲ ୨.୨୧ ଉଲ୍ଲଙ୍ଘନ କରିଥିବା ପ୍ରମାଣ ମିଳିଥିଲା । ସମାନ ଉଲ୍ଲଙ୍ଘନ ପାଇଁ ସୂର୍ଯ୍ୟକୁମାରଙ୍କ ମ୍ୟାଚ୍ ପାଉଣାର ୩୦% ଅର୍ଥ କାଟ୍ କରାଯିବା ସହ ୨ଟି ଶୃଙ୍ଖଳା ପଏଣ୍ଟ ମଧ୍ୟ କଟା ଯାଇଛି । ପାକିସ୍ତାନ ଓପନର ସାହିବଜାଦା ଫରହାନଙ୍କୁ କେବଳ ଚେତାବନୀ ଦିଆଯାଇଛି ଓ ଗୋଟିଏ ଶୃଙ୍ଖଳା ପଏଣ୍ଟ କାଟ କରାଯାଇଛି । ୨୧ତାରିଖ ମ୍ୟାଚ୍ର ବିଶୃଙ୍ଖଳାକୁ ନେଇ ହୋଇଥିବା ଅଭିଯୋଗର ଶୁଣାଣିରେ ପେସ୍ ବୋଲର ଅର୍ଶଦୀପ ସିଂହଙ୍କୁ ନିର୍ଦ୍ଦୋଷ ଘୋଷଣା କରାଯାଇଛି । ମ୍ୟାଚ୍ ରେଫରୀ ଆଣ୍ଡି ପାଇକ୍ରଫ୍ଟ ଏହି ଘଟଣାର ବିଚାର କରିଥିଲେ । ଅର୍ଶଦୀପ ଆଇସିସି ଆଚାର ସଂହିତାର ଆର୍ଟିକଲ ୨.୬ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଥିଲା । ସେ ପାକ ଖେଳାଳିଙ୍କ ବିରୋଧରେ ଅଭଦ୍ର ଭାଷା ପ୍ରୟୋଗ କରିଥିବା ଅଭିଯୋଗ ହୋଇଥିଲେ ହେଁ ମ୍ୟାଚ୍ ରେଫରୀ ଏହାକୁ ନାକଚ କରିଥିଲେ ।
୨୮ ତାରିଖରେ ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ର ବିଶୃଙ୍ଖଳାକୁ ନେଇ ଯଶପ୍ରୀତ ବୁମରାଙ୍କୁ ଚେତାବନୀ ଦିଆଯିବ ସହ ଗୋଟିଏ ଶୃଙ୍ଖଳା ପଏଣ୍ଟ କାଟ୍ କରାଯାଇଛି । ବୁମରା ଆଇସିସି ଆଚାର ସଂହିତାର ଆର୍ଟିକଲ୍ ୨.୨୧ ଉଲ୍ଲଙ୍ଘନ କରିଥିଲେ । ସମାନ ଘଟଣାକୁ ନେଇ ରୌଫ ପୁନର୍ବାର ଦୋଷୀ ସାବ୍ୟସ୍ତ ହୋଇଥିଲେ । ଫଳ ସ୍ୱରୂପ ତାଙ୍କ ମ୍ୟାଚ୍ ପାଉଣାର ୩୦% ଅର୍ଥ କାଟ୍ କରାଯିବା ସହ ଆଉ ୨ଟି ଶୃଙ୍ଖଳା ପଏଣ୍ଟ ମଧ୍ୟ କଟା ଯାଇଥିଲା । ୪ଶୃଙ୍ଖଳା ପଏଣ୍ଟ କଟା ଯିବା ଫଳରେ ସେ ୨ଟି ମ୍ୟାଚ୍ରୁ ନିଲମ୍ବିତ ହୋଇଛନ୍ତି । ଫଳରେ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ଦିନିକିଆ ସିରିଜର ପ୍ରଥମ ୨ଟି ମ୍ୟାଚ୍ରେ ସେ ଅନୁପସ୍ଥିତ ରହିବେ ।