ନୂଆଦିଲ୍ଲୀ: ଭାରତରେ ଲଜ୍ଜା। ଶନିବାର ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ସମଗ୍ର ଦେଶର ମୁଣ୍ଡ ତଳକୁ ନଇଁଯାଇଛି। ଖବର ମୁତବାକ ଆଇସିସି ମହିଳା କ୍ରିକେଟ ବିଶ୍ୱକପରେ ଅଂଶଗ୍ରହଣ କରୁଥିବା ଦୁଇ ଅଷ୍ଟ୍ରେଲୀୟ ମହିଳା କ୍ରିକେଟରଙ୍କୁ ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ମୋଟରସାଇକେଲ ଚାଳକ ଆକ୍ରମଣ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ଶନିବାର ଏକ ମାମଲା ରୁଜୁ କରିବା ସହ ମଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ତେବେ ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆର ଶୀର୍ଷ ମୁକାବିଲାର ଦୁଇ ଦିନ ପୂର୍ବରୁ ଗୁରୁବାର ଏହି ଲଜ୍ଜାଜନକ ଘଟଣା ଘଟିଛି।

ଏସମ୍ପର୍କରେ ପୋଲିସ ସୂଚନା ଦେଇ କହିଛି ଯେ ଏହି ଘଟଣାରେ ସାମିଲ ଥିବା ମୁଖ୍ୟ ଅଭିଯୁକ୍ତର ନାମ ହେଉଛି ଅକିଲ ଖାନ। ଗୁରୁବାର ସକାଳେ ଅଷ୍ଟ୍ରେଲିୟ କ୍ରିକେଟ ଦଳ ରାଡିସନ ବ୍ଲୁ ହୋଟେଲରୁ ସ୍ଥାନିୟ ଅଞ୍ଚଳରେ ଥିବା ଏକ କାଫେକୁ ଯାଉଥିଲେ। ଠିକ୍ ଏହି ସମୟରେ ଅଭିଯୁକ୍ତ ଜଣକ ଖଜରାନା ରୋଡ ଅଞ୍ଚଳରେ ଦୁଇଜଣ କ୍ରିକେଟରଙ୍କ ପିଛା କରିଥିଲା। ଏଥିରେ ମଧ୍ୟ ଅଭିଯୁକ୍ତର ମନ ଭରିନଥିଲା ସେ ପୀଡିତ ଖେଳାଳି ଦ୍ୱୟଙ୍କ ମଧ୍ୟରୁ ଜଣକ ସହ ଅସଦାଚରଣ ମଧ୍ୟ କରିଥିଲା। ​

ସବ୍-ଇନ୍ସପେକ୍ଟର ନିଧି ରଘୁବଂଶୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଦୁଇ କ୍ରିକେଟର ସେମାନଙ୍କ ହୋଟେଲରୁ ବାହାରି ଏକ କାଫେ ଆଡକୁ ଚାଲି ଚାଲି ଯାଉଥିଲେ। ସେହି ସମୟରେ ଜଣେ ବ୍ୟକ୍ତି ମୋଟରସାଇକେଲରେ ସେମାନଙ୍କ ପଛେ ପଛେ ଯିବା ଆରମ୍ଭ କଲେ। ସେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅନୁପଯୁକ୍ତ ଭାବରେ ଛୁଇଁ ଫେରାର ହୋଇଯାଇଥିଲେ।

ଏହି ଘଟଣା ଘଟିବା ପରେ ଦୁଇ ଖେଳାଳି ସେମାନଙ୍କ ଦଳର ସୁରକ୍ଷା ଅଧିକାରୀ ଡାନି ସିମନ୍ସଙ୍କ ସହିତ ଯୋଗାଯୋଗ କରିଥିଲେ। ସୂଚନା ପାଇ ଡାନି ସ୍ଥାନୀୟ ସୁରକ୍ଷା ଯୋଗାଯୋଗ ଅଧିକାରୀଙ୍କ ସହିତ ସମନ୍ୱୟ ସ୍ଥାପନ କରିଥିଲେ ଏବଂ ସହାୟତା ପାଇଁ ଏକ ଗାଡ଼ି ପଠାଇଥିଲେ। ଏ ସମ୍ପର୍କରେ ଖବର ପାଇବା ପରେ, ସହକାରୀ ପୋଲିସ କମିଶନର ହିମାନି ମିଶ୍ର ଦୁଇ ଖେଳାଳିଙ୍କୁ ଭେଟି ସେମାନଙ୍କ ବୟାନ ରେକର୍ଡ କରିଥିଲେ। ଏହାପରେ ସ୍ଥାନିୟ MIG ପୋଲିସ ଷ୍ଟେସନରେ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା 74 (ମହିଳାଙ୍କ ଭଦ୍ରତାକୁ ଆଘାତ କରିବା ପାଇଁ ଅପରାଧିକ ବଳ ବ୍ୟବହାର) ଏବଂ ୭୮(ପିଛା କରିବା) ଅନୁଯାୟୀ ଏକ ମାମଲା ଦାଏର କରିଥିଲେ। ​

ଅଧିକାରୀ ଜଣକ ସୂଚନା ଦେଇ କହିଛନ୍ତି, ଉକ୍ତ ସ୍ଥାନରେ ଉପସ୍ଥିତ ଥିବା ଲୋକ ସନ୍ଦିଗ୍ଧ ବ୍ୟକ୍ତିଙ୍କ ମୋଟରସାଇକେଲ ନମ୍ବର ଦେଖିଥିଲେ ଯାହା ଆଧାରରେ ଅଭିଯୁକ୍ତ ଅକିଲ ଖାନଙ୍କୁ ଗିରଫ କରାଯାଇଥିଲା। "ଖାନଙ୍କ ବିରୁଦ୍ଧରେ ପୂର୍ବରୁ ଅପରାଧିକ ମାମଲା ରହିଛି ଏବଂ ଏହି ମାମଲାରେ ତଦନ୍ତ ଚାଲିଛି," ବୋଲି ଅଧିକାରୀ ରଘୁବଂଶୀ କହିଛନ୍ତି।

ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଗୋଟିଏ ସପ୍ତାହ ପାଇଁ ଇନ୍ଦୋରରେ ରହିଛନ୍ତି। ଘଟଣା ଘଟିବାର ଗୋଟିଏ ଦିନ ପୂର୍ବରୁ ସେମାନେ ବୁଧବାର ଇଂଲଣ୍ଡ ସହିତ ଖେଳିଥିଲେ। ଅଷ୍ଟ୍ରେଲିଆ ଗୁରୁବାର ଦକ୍ଷିଣ ଆଫ୍ରିକା ସହିତ ଖେଳିବ ଏବଂ ତାପରେ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ସେମାନେ କାହା ସହିତ ଖେଳୁଛନ୍ତି ତାହା ଉପରେ ନିର୍ଭର କରି ଗୌହାଟୀ କିମ୍ବା ମୁମ୍ବାଇ ଯାତ୍ରା କରିବାର ଯୋଜନା ରହିଛ।