ମୁମ୍ବାଇ ୨୦/୧୦:  ବଲିଉଡ୍‌ ଅଭିନେତ୍ରୀ ଶର୍ବରୀ ୱାଘ୍‌ ଏବେ ଚର୍ଚ୍ଚାରେ । ସୂରଜ ବଡ଼ଜାତ୍ୟାଙ୍କ ଆଗାମୀ ଫିଲ୍ମରେ ସେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ ଯୋଡ଼ି ବାନ୍ଧିବାକୁ ଯାଉଛନ୍ତି । ଫିଲ୍ମଟି ଏକ ପାରିବାରିକ ମନୋରଞ୍ଜନ ଧର୍ମୀ ଡ୍ରାମା ହେବ ।  ନଭେମ୍ବର ୧ରୁ ମୁମ୍ବାଇରେ ତାହାର ସୁଟିଂ ଆରମ୍ଭ ହୋଇପାରେ ।

ଶର୍ବରୀଙ୍କ  ସହ ଘନିଷ୍ଠ ଜଣେ ବ୍ୟକ୍ତିଙ୍କ ଅନୁସାରେ, ଏହି ଫିଲ୍ମ ଲାଗି ବଡ଼ଜାତ୍ୟା ଜଣେ  ନୂଆ ଚେହେରାର ସନ୍ଧାନରେ ଥିଲେ । ନିରୀହତା ଏବଂ ସମ୍ବେଦନଶୀଳତା  ଉଭୟକୁ ସାବଲୀଳ ଭାବେ ବ୍ୟକ୍ତ କରିପାରିବାର ସାମର୍ଥ୍ୟ ଯୋଗୁ ସେ  ଶର୍ବରୀଙ୍କୁ ନିଜ ଫିଲ୍ମରେ କାଷ୍ଟ କରିଛନ୍ତି । ଏହା ଶର୍ବରୀଙ୍କ ପ୍ରତିଭାକୁ  ଏକ ବଡ଼ ସ୍ୱୀକୃତି । ଏଥିସହ ଦର୍ଶକେ ପ୍ରଥମ ଥର ପାଇଁ ଆୟୁଷ୍ମାନ  ଏବଂ ଶର୍ବରୀଙ୍କ ରୋମାନ୍ସକୁ ପରଦାରେ ଦେଖିବାକୁ ପାଇବେ । ସୂରଜ  ବଡ଼ଜାତ୍ୟାଙ୍କ ରାଜଶ୍ରୀ ପ୍ରଡକ୍ସନ୍‌ ସହ ମହାବୀର ଜୈନ୍‌ ଫିଲ୍ମସ ଏହି  ଫିଲ୍ମକୁ ପ୍ରଯୋଜନା କରିବ । ତେବେ ଫିଲ୍ମର ନାମ ସଂପର୍କରେ  ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ । ଇତିମଧ୍ୟରେ ଶର୍ବରୀ  ୟଶରାଜ ମୁଭିଜ୍‌ର ‘ଆଲ୍‌ଫା’ର ରିଲିଜ୍‌ ଲାଗି ପ୍ରସ୍ତୁତ ହେଉଛନ୍ତି ।  ସେହି ଫିଲ୍ମରେ ତାଙ୍କ ସହ ଆଲିୟା ଭଟ୍ଟ, ବବି ଦେଓଲଙ୍କୁ ଦେଖିବାକୁ  ମିଳିବ । ଚଳିତବର୍ଷ ଖ୍ରୀଷ୍ଟମାସ ଅବସରରେ ଫିଲ୍ମଟି ରିଲିଜ୍‌ ହେବ ।